Unknown

 

 

 

 

 

 

 

 

 

ନରବଳି

(ତୃତୀୟ ଭାଗ)

ଶ୍ରୀ ଚନ୍ଦ୍ରମଣି ଦାସ

 

ନରବଳି

 

ଖରାଦିନ । ତିନିଟା ବାଜିବା ଉପରେ । କଟକ ଜେଲଖାନାର ଜେଲର ରାମହରିବାବୁ ବିଶ୍ରାମ ନେଇସାରି ଜେଲ ଅଫିସକୁ ଯିବାକୁ ପୋଷାକପତ୍ର ପିନ୍ଧୁ ପିନ୍ଧୁ ନିଜ ସ୍ତ୍ରୀ ସହିତ ଏଣୁତେଣୁ ଗପସପ ହେଉଛନ୍ତି । ଜଣେ ଚାକର ଆସି ଖବର ଦେଲା—ଆଜ୍ଞା, ଜଣେ କିଏ ବଡ଼ବାବୁ ଘୋଡ଼ାଗାଡ଼ିରେ ଆପଣଙ୍କୁ ଦେଖା କରିବାକୁ ଆସିଛନ୍ତି ।

 

ରାମହରିବାବୁ ବିହାରୀ ହେଲେ ବି ସାଧାସିଧା, ବଡ଼ ଭଦ୍ରଲୋକ । ବୟସ ଅଠଚାଳିଶ ଭିତରେ । ଓଡ଼ିଶାରେ ତାଙ୍କର ଅନେକ ଦିନ କଟିଗଲାଣି । ଚାକରଠାରୁ କିଏ ଜଣେ ବାବୁ ସାକ୍ଷାତ କରିବା କଥା ଶୁଣି କହିଲେ—ବାବୁଙ୍କୁ ବସିବାକୁ କହି ପଙ୍ଖାଟା ଖୋଲିଦେ । ଦଶମିନିଟ ପରେ ଯାଉଛି ବୋଲି କହ । ସିଗାରେଟ୍‍ ନେଇ ଦେ ।

 

ଚାକରଟି ସିଗାରେଟ୍‍ ପାକେଟ୍‍ଟି ଧରି ସିଧା ଦାଣ୍ଡମେଲାକୁ ଆସି ଅତି ସମ୍ମାନରେ ଆସିଥିବା ବାବୁଙ୍କୁ ବସାଇ ପଙ୍ଖା ଖୋଲିଦେଇ ସିଗାରେଟ୍‍ ଦେଲା ଏବଂ ବାବୁ ଦଶମିନିଟ ଛାଡ଼ି ଆସୁଛନ୍ତି ବୋଲି ଜଣାଇଦେଲା ।

 

ଦଶମିନିଟ ନ ପୁରୁଣୁ ଜେଲରବାବୁ ପୋଷାକପତ୍ର ପିନ୍ଧି ଦାଣ୍ଡମେଲାରେ ପହଞ୍ଚିଲାକ୍ଷଣି ଆଗନ୍ତୁକ ଭଦ୍ରଲୋକ ଭଦ୍ରତାରେ ସଡ଼ବଡ଼ ହୋଇ ହସି ହସି ନମସ୍କାର ଜଣାଇଲେ । ଜେଲରବାବୁ ସେହିପରି ପ୍ରତି ନମସ୍କାର ଜଣାଇ ବଡ଼ ଆଦରରେ ଚେୟାରରେ ବସିବାକୁ କହି ବଡ଼ ନରମ ଗଳାରେ ପଚାରିଲେ—ଚିହ୍ନି ନ ପାରିବାରୁ କ୍ଷମା କରିବେ । ଆପଣଙ୍କ ପରିଚୟ ଆଜ୍ଞା ?

 

ଆଗନ୍ତୁକ ଭଦ୍ରବ୍ୟକ୍ତି ହସି ହସି ଉତ୍ତର ଦେଲେ—ଆଜ୍ଞା, ମୋ ନାମ ବିପ୍ରଚରଣ ପଟ୍ଟନାୟକ । ସରକାର ୧୯୮୩ ମସିହାରୁ ଏ ନାଁ ସହିତ ରାୟ ସାହେବଟା ବି ଯୋଡ଼ି ଦେଇଛନ୍ତି-

 

ଜେଲରବାବୁ ଏ ରସିକତାରେ ନ ହସି ରହିପାରିଲେ ନାହିଁ ।

 

ଆଗନ୍ତୁକ କହି ଚାଲିଲେ—ମୁଁ ବାମଣ୍ଡା ଷ୍ଟେଟର ଶିଳ୍ପ ବିଭାଗୀୟ ଡିରେକ୍ଟର । ସେଠିକା ଜେଲର ବିରାଟ ଶିଳ୍ପ ବିଭାଗ ବି ସେହି ବିଭାଗ ସହିତ ସଂପୃକ୍ତ । ଓଡ଼ିଶା ସରକାରଙ୍କ ସହିତ ଷ୍ଟେଟର କେତେକ କାର୍ଯ୍ୟ ନେଇ ସାତଦିନ ହେଲା ସସ୍ତ୍ରୀକ ଏଠିକୁ ଆସିଛି । ସବୁ କାମ ପ୍ରାୟ ଶେଷ ହେଲାଣି । ତା’ ଛଡ଼ା କଟକର ସମସ୍ତ ପ୍ରଧାନ ସ୍ଥାନ ବି ବୁଲା ସରିଲାଣି । ଆମ ଗୃହିଣୀଙ୍କର ସେଠିକା ଜେଲ ମାସକୁ ଛ’ଥର ଦେଖିଯାଉଥିଲେ ବି, ସେ ଟିକିଏ ଏ ଜେଲ ଦେଖିବାକୁ ଚାହୁଁଛନ୍ତି । ତା’ ଛଡ଼ା ଆପଣଙ୍କ ଜେଲ ଶିଳ୍ପଜାତ ଦ୍ରବ୍ୟ ଇତ୍ୟାଦି ମୋର ବି ଟିକିଏ ଦେଖିବାର ଇଚ୍ଛା । ଆପଣଙ୍କ ଅନୁମତି ପାଇବା ପାଇଁ ସାକ୍ଷାତ କରି ଆସିଥିଲି ।

 

ଜେଲରବାବୁ ଆନନ୍ଦରେ ହସି ହସି ଉତ୍ତର ଦେଲେ—ବେଶ୍‍ କଥା । ଆପଣଙ୍କର ଅନୁମତିପତ୍ର ଲୋଡ଼ା ନାହିଁ । ମୁଁ ନିଜେ ସଙ୍ଗରେ ନେଇ ଆପଣମାନଙ୍କୁ ଚାରିଆଡ଼ ବୁଲାଇ ଦେଖାଇବି । ତେବେ ବର୍ତ୍ତମାନ ଟିକିଏ ଅସୁବିଧା । ଖରାବେଳେ ସମସ୍ତଙ୍କୁ ବିଶ୍ରାମ ପାଁଇ ଛାଡ଼ି ଦିଆ ହୁଏ, ପାଞ୍ଚଟାବେଳକୁ ଆସିଲେ ଖୁବ୍‍ ସୁବିଧା ହୁଅନ୍ତା ?

 

ଆଗନ୍ତୁକ ଭଦ୍ରବ୍ୟକ୍ତି କୃତଜ୍ଞତା ଭଙ୍ଗୀରେ କହିଲେ—

 

ଆପଣଙ୍କର ଦୟା ପାଁଇ ଧନ୍ୟବାଦ-! ମୋର ବି ଷ୍ଟେଟକୁ ଗୋଟାଏ ଜରୁରୀ ଟେଲିଗ୍ରାମ କରିବା ପାଁଇ ଗଭର୍ଣ୍ଣମେଣ୍ଟ ଟେଲିଗ୍ରାଫ ଅଫିସକୁ ଯିବାକୁ ହେବ । ମୁଁ ଆସୁଛି ଆଜ୍ଞା ?

 

ଜେଲରବାବୁ ବାରଣ କରି କହିଲେ—ନା ଆଜ୍ଞା, ଆଉ ଦୁଇମିନିଟ ଅପେକ୍ଷା କରନ୍ତୁ, ସରବତ୍‍ ପାଁଇ ଲୋକ ଯାଇଛି ।

 

ସରବତ୍‍ ଖିଆ ସରିଲା ପରେ ଆଗନ୍ତୁକ ଠିଆ ହୋଇ କହିଲେ, ଆପଣଙ୍କର ଆଦର ସମ୍ଭାଷଣ ଜୀବନରେ ଭୁଲିବାର ନୁହେଁ । ଆଜିକାଲିକା ଟୋକାଏ ଏ ଭଦ୍ରତାର ବାହାରେ । ଆଚ୍ଛା, ମୁଁ ଆସେ ।

 

ସେ ଠିଆ ହେବା ସଙ୍ଗେ ସଙ୍ଗେ ଜେଲରବାବୁ ତାଙ୍କୁ ବଳାଇ ଦେବାକୁ ବାରଣ୍ଡାଯାଏ ଉଠି ଆସି କହିଲେ—ମୁଁ ଫାଟକ ପହରାବାଲାକୁ କହି ଦେଉଛି—ଆପଣ ଆସି ଫାଟକ ପାଖରେ ଖବର ଦେଲେ ମୁଁ ସଙ୍ଗେ ସଙ୍ଗେ ସବୁ ସୁବିଧା କରିଦେବି ।

 

ଆଗନ୍ତୁକ ଆଚ୍ଛା ଆଚ୍ଛା କହି ନମସ୍କାର ଜଣାଇ ଗାଡ଼ିକୁ ଆସିଲେ । ଜେଲରବାବୁ ଭିତରକୁ ଚାଲିଗଲେ । ଘୋଡ଼ାଗାଡ଼ି ଆଗକୁ ଚାଲିଲା ।

 

X X X

 

ପାଞ୍ଚଟା ସମୟ । ଆଗନ୍ତୁକ ବିପ୍ରଚରଣବାବୁ ଜେଲ ଆଗରେ ଘୋଡ଼ାଗାଡ଼ି ଅଟକାଇ ଦୁଇଜଣ ସ୍ତ୍ରୀ ଲୋକଙ୍କ ସହିତ ଗାଡ଼ିରୁ ଓହ୍ଲାଇଲେ । କୁଞ୍ଚକରା ଶାନ୍ତିପୁରୀ ଧୋତିର ଅଗ୍ରଭାଗ ବାମପାଖ ପଞ୍ଜାବୀର ପାକିଟିରେ ଖୋସି ହାତବାଡ଼ି ଖଣ୍ଡିକ ହଲାଇ ହଲାଇ ଜେଲଫାଟକ ପାଖରେ ପହଞ୍ଚିଲାକ୍ଷଣି, ପହରାବାଲା ସଲାମ ପକାଇ କହିଲା, ‘ଜେଲରବାବୁ, ଆପଣ ଆସିଲେ ଖବର ଦେବାକୁ କହି ଯାଇଛନ୍ତି । ଟିକିଏ ଆଜ୍ଞା ଅପେକ୍ଷା କରନ୍ତୁ ।’

 

ବିପ୍ରଚରଣବାବୁ କହିଲେ—ଆଚ୍ଛା, ଏତେ ବ୍ୟସ୍ତ ହେବାର କାରଣ ନାହିଁ । ତମେ ଖବର ଦିଅ ।

 

ପହରାବାଲା ଅନ୍ୟ ଜଣେ ସିପାହୀଦ୍ଵାରା ଜେଲରବାବୁଙ୍କ ପାଖକୁ ଖବର ପଠାଇ ଦେଲା ।

 

ବିପ୍ରଚରଣବାବୁଙ୍କ ସହିତ ଆସିଥିବା ସ୍ତ୍ରୀ ଲୋକ ଦୁଇଜଣଙ୍କ ମଧ୍ୟରୁ ଜଣେ ସତର ଅଠର ବର୍ଷିୟା ସୁନ୍ଦରୀ ଆଧୁନିକା ବାଳିକା, ଅନ୍ୟଜଣକ ତିରିଶ ବର୍ଷ ଭିତରେ । ରଙ୍ଗ ସାବନା, ରୂପ ବେଶ୍ ଡଉଲ ଡାଉଲ, ସୁନା ଗହଣାରେ ଦେହ ଛାଇ ହୋଇଛି ।

 

ପ୍ରାୟ ପାଞ୍ଚ ଛ’ମିନିଟ ପରେ ସିପାହୀ ଫେରି ଆସି ଲୌହଫାଟକ ଫିଟାଇ ଦେଇ କହିଲା—ଭିତରକୁ ଆସନ୍ତୁ ଆଜ୍ଞା ? ଜେଲରବାବୁ ଆପଣଙ୍କୁ ଅପେକ୍ଷା କରି ରହିଛନ୍ତି ।

 

ଫାଟକ ଖୋଲିଯିବା ସଙ୍ଗେ ସଙ୍ଗେ ବିପ୍ରଚରଣବାବୁ ଆଗେ ଆଗେ ଏବଂ ସ୍ତ୍ରୀ ଲୋକ ଦୁଇଟି ତାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ।

 

ବିପ୍ରଚରଣବାବୁ ଅଫିସ ଦୁଆର ମୁହଁରେ ପହଞ୍ଚିଲାକ୍ଷଣି, ଜେଲରବାବୁ ଚୌକିରୁ ଉଠିଆସିଲେ । ବିପ୍ରଚରଣବାବୁ, ଜେଲରବାବୁଙ୍କୁ ଦେଖିଲାକ୍ଷଣି ବାଳିକାଟି ଉଦ୍ଦେଶ୍ୟରେ କହିଲେ–ଜେଲରବାବୁଙ୍କୁ ନମସ୍କାର କର କଲ୍ୟାଣୀ ! ଜେଲରବାବୁ ଆମ ପାଇଁ ବହୁତ କଷ୍ଟ ସହିଲେଣି-

 

କଲ୍ୟାଣୀ, ଜେଲର ବାବୁଙ୍କୁ ନମସ୍କାର କଲାକ୍ଷଣି ଜେଲରବାବୁ ହସି ହସି ଆଶୀର୍ବାଦ କଲେ ଏବଂ ବିପ୍ରଚରଣବାବୁଙ୍କୁ ପଚାରିଲେ—ଏ ଆପଣଙ୍କର କନ୍ୟା ପରା ? ବେଶ୍ ।

 

ତା’ପରେ ଜେଲରବାବୁ, ବିପ୍ରଚରଣବାବୁଙ୍କ ସହିତ ଗପସପ ହେଉ ହେଉ ଜେଲରେ ଥିବା ଡାକ୍ତରଖାନା, ଶିଳ୍ପ କାରଖାନା, ରାଜନୈତିକ ବନ୍ଦୀ ଓ ସାଧାରଣ କଏଦୀମାନଙ୍କ ରହିବା ଘର ଦେଖାଇ ଦେଖାଇ ଚାଲିଲେ । କଲ୍ୟାଣୀ ବି ଜେଲରବାବୁଙ୍କୁ ପଚାରି କେତେ କଥା ବୁଝୁଥାଏ । ଜେଲ ଭିତରେ ଚୋର ସବୁ କିଏ ସତରଞ୍ଜି ବୁଣିବାରେ, କିଏ ତେଲଘଣା ପେଲିବା ଇତ୍ୟାଦି କାମରେ ଲାଗିଯାଇଛନ୍ତି ।

 

ଦେଖି ଦେଖି ଚାଲିବା ବାଟରେ ସାଧାରଣ କଏଦୀମାନଙ୍କ କୋଠରିଗୁଡ଼ିକ ଶେଷ ହେବାକୁ ଆଉ ଅଳ୍ପ କେତୋଟି କୋଠରି ଅଛି, କଲ୍ୟାଣୀ ପଚାରିଲା ଏଇ ଛ’ ସାତ ମାସ ତଳେ ‘ସମାଜ’ରେ ଯେଉଁ ଭୀଷଣ ଡକାୟତ ଦଳ ଖଣ୍ଡଗିରି ପାହାଡ଼ରୁ ଧରା ପଡ଼ିଲେ ବୋଲି ଆମେ ପଢ଼ିଥିଲୁ—ସେମାନେ ସବୁ ଏଇଠି ଅଛନ୍ତି ନା ଅନ୍ୟ କେଉଁ ଜେଲରେ ଅଛନ୍ତି ? ଆମେ ସେ ସମୟରେ ସେହି ଡକାୟତମାନଙ୍କର କୌଶଳ ଏବଂ ଧରାପଡ଼ିବା ଖବର ପଢ଼ି ପଢ଼ି ରାତିରେ ବଡ଼ ଭୟ ପାଉଥିଲୁ ।

 

ଜେଲରବାବୁ ପଛକୁ ଫେରି ପଡ଼ି କହିଲେ—ହଁ ମା, ସେମାନେ ସେହିଭଳି ଭୀଷଣ କାଣ୍ଡମାନ କରୁଥିଲେ । ସେମାନେ ଏଇ ଜେଲରେ ଅଛନ୍ତି । ଆଗରେ ଯେଉଁ କୋଠା ଦେଖୁଛ, ସେଇଠି ସମସ୍ତ ବିପଦଜ୍ଜନକ ବନ୍ଦୀମାନଙ୍କୁ ବଡ଼ ସତର୍କତାର ସହିତ ରଖାଯାଏ । ଯେଉଁ ଡକାୟତଦଳ କଥା କହୁଛ—ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଯାବତ୍‍ଜୀବନ ଦ୍ୱୀପାନ୍ତର ଦଣ୍ଡ ହୋଇଛି, କିନ୍ତୁ ବର୍ତ୍ତମାନ ଯୁଦ୍ଧ ହେତୁ ସେମାନେ ମଧ୍ୟ ଏଇଠି ରହୁଛନ୍ତି ।

 

କଥା କହୁ କହୁ ଜେଲରବାବୁ ସେହି କୋଠରି ଗୁଡ଼ିକର ବାରଣ୍ଡା ତଳ ରାସ୍ତା ଦେଇ ଚାଲିବାକୁ ଲାଗିଲେ । ତାଙ୍କ ପଛେ ପଛେ ଅନ୍ୟମାନେ । ଜେଲରବାବୁଙ୍କୁ ଦେଖି ସେହି କୋଠରିଗୁଡ଼ିକୁ ସ୍ୱତନ୍ତ୍ରଭାବେ ଜଗି ରହିଥିବା ସଙ୍ଗିନ୍‍ଧାରୀ ସିପାହୀ ସଲାମ ବଜାଇ ଠିଆ ହେଲା । ଜେଲରବାବୁ ଗୋଟିଏ କୋଠରିର ଲୌହଦରଜା ଆଡ଼େ ନିର୍ଦ୍ଦେଶ କରି କହିଲେ—ଏଇ ଯେଉଁ କୋଠରିରେ କେତେ ଜଣ ବନ୍ଦୀ ଅଛନ୍ତି ସେମାନେ ଏହି ଦଳର ସର୍ଦ୍ଦାର । ଏମାନଙ୍କୁ ଦିନରେ କେବଳ ଅଳ୍ପ ସମୟ ପାଇଁ ବାହାରକୁ ବାହାର କରାଯାଇ ସେହି କୋଠରି ଭିତରେ ରଖାଯାଏ । ଖାଇବା ପିଇବା ସେମାନଙ୍କର ମଧ୍ୟ ତା’ରି ଭିତରେ । ବଡ଼ ବିପଦଜ୍ଜନକ ବନ୍ଦୀ କିନା !

 

ଜେଲ ବୁଲା ଶେଷ ହେଲା । ଆସିବା ପୂର୍ବରୁ ବିପ୍ରଚରଣବାବୁ ହାତବୁଣା କେଇଖଣ୍ଡି ଗାଲିଚା ଆସନ କିଣି ଆଣିଲେ । ଜେଲରବାବୁ ସେମାନଙ୍କୁ ଫାଟକ ଯାଏ ବଳାଇଦେବାକୁ ଆସିଲାରୁ ବିପ୍ରଚରଣବାବୁ କହିଲେ—ଆମପାଇଁ ଯଥେଷ୍ଟ କଷ୍ଟ ସହିଲେଣି । ଭଗବାନ ଇଚ୍ଛା କଲେ ପୁଣି କେବେ ଦେଖା ହେବ । ମୁଁ ଆସୁଛି ଆଜ୍ଞା ।

 

ଦୁହେଁ ଦୁହିଁଙ୍କୁ ନମସ୍କାର ଜଣାଇ ବିଦାୟ ନେଲେ ।

 

ହଠାତ୍ ଦିନେ ସକାଳୁ କଟକ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହେଲା—ଯେଉଁ ଡକାୟତମାନେ ଖଣ୍ଡଗିରିରୁ ଧରା ହୋଇଥିଲେ, ସେମାନ ଜେଲରୁ କୌଣସି ଉପାୟରେ ଖସି ପଳାଇଛନ୍ତି ଏବଂ ବିଚରା ଗୋଟିଏ ବିହାରୀ ଜେଲ ଓ୍ୟାଡର ର ବେକ କଟାହୋଇଛି । ଯିଏ ଏ କଥା ଶୁଣିଲା, ସିଏ ଏ ଲୋମହର୍ଷଣକାରୀ ଘଟଣାରେ ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ବିସ୍ମିତ ବି ହେଲା ।

 

ପ୍ରାୟ ଦିନ ବାରଟା ସରିକି ବିଦ୍ୟୁତବେଗରେ ସହର ସାରା ଏ ଖବର ଖେଳିଗଲା । ଗାଧୁଆ ତୁଠ, କଚେରୀ, ବଜାର, ଦୋକାନ ସବୁଠି କେବଳ ସେହିକଥା । ଜେଲ ଭିତରୁ ସେ ଡକାୟତଦଳ ଖସି ପଳାଇଲେ କିମିତି । କିଏ କହିଲା—ସେମାନେ ଖସି ପଳାଇଯିବାର କୌଣସି ଉପାୟ ନାହିଁ, ସେହି ଦଳର ଗୁପ୍ତ ଷଡ଼ଯନ୍ତ୍ରରେ ଏସବୁ ଘଟଣା ଘଟିଛି । କିଏ କହିଲା—ଚୋର ପଳାଇଯିବା ଭିତରେ ବିଚରା ଓ୍ୟାଡରଟିର ଯାହା ପ୍ରାଣ ଗଲା !

 

ସାଧାରଣ ଲୋକଙ୍କ ଅପେକ୍ଷା ଜେଲ ଓ ପୋଲିସ ବିଭାଗରେ ଏ ଘଟଣା ବଡ଼ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପୋଲିସକୁ ପାହାନ୍ତିଆବେଳୁ ଏ ଖବର ଜଣାଇ ଦିଆ ହୋଇଥିଲେ ବି ପୋଲିସ ବିଭାଗ ସାରା ଦିନ ଅକ୍ଲାନ୍ତ ପରିଶ୍ରମ କରି ଏବଂ ଓଡ଼ିଶାର ସବୁ ଜିଲ୍ଲା ଓ ସମସ୍ତ ଥାନାକୁ ଖବର ପଠାଇଲେ ବି ସନ୍ଧ୍ୟା ସୁଦ୍ଧା କୌଣସିଠାରୁ କିଛି ଖବର ବା ପତ୍ତା ମିଳିଲା ନାହିଁ ।

 

ରାତି ଆଠଟା ବାଜିଲା I ପୋଲିସ ସାହେବ ଗଗନବାବୁ ବଡ଼ ଉଦ୍‍ବିଘ୍ନ ମନରେ ନିଜ ଅଫିସ ଘରେ ବସି ମୁହୁର୍ମୁହୁଃ ଟେଲିଫୋନ ସାହାଯ୍ୟରେ ଥାନା ଓ ଗୋଇନ୍ଦା ବିଭାଗଠାରୁ କୌଣସି ଖବର ଆସିଲା କି ନାହିଁ ବୋଲି ବୁଝୁଥିଲେ କିନ୍ତୁ ସବୁ ଥର ସେ ପାଉଥିଲେ ହତାଶିଆ ଉତ୍ତର I ରାତି ଦଶଟା ବାଜିଲା, ତଥାପି କୌଣସି ଖବର ଆସିଲା ନାହିଁ I ଗଗନବାବୁ ସେପର୍ଯ୍ୟନ୍ତ ବି ଅଫିସ ଘରେ ଚିନ୍ତ କୁଳ ହୋଇ ନୂଆ ନୂଆ ଉପାୟ ଉଦ୍ଭାବନରେ ବ୍ୟସ୍ତ ଥିଲେ I

 

ସାଢ଼େ ଏଗାରଟା ବାଜିବାକୁ ଦଶମିନିଟ ବାକି I ହଠାତ୍‍ ଟେଲିଫୋନ ଘଣ୍ଟାଟା ଝଣ ଝଣ ହୋଇ ବାଜି ଉଠିଲା I ଗଗନବାବୁ କୌଣସି ଶୁଭ ଉତ୍ତର ପାଇବା ଆଶାରେ ଟେଲିଫୋନଟାକୁ କାନ ପାଖରେ ଧରିପକାଇ ଶୁଣିଲେ ଟାଉନ ଥାନା ଇନ୍‍ସପେକ୍‍ଟର ଶ୍ରୀବତ୍ସବାବୁ ଡାକୁଛନ୍ତି I ଗଗନବାବୁ ବଡ଼ ଆଗ୍ରହରେ ପଚାରିଲେ, କୌଣସି ସନ୍ଧାନ ମିଳିଲା—ଶ୍ରୀବତ୍ସବାବୁ ?

 

ଶ୍ରୀବତ୍ସବାବୁ କହିଲେ—ନା, ଏପର୍ଯ୍ୟନ୍ତ କୌଣସି ଖବର ମିଳି ନାହିଁ I କାଳେ କୋଉଠୁ କିଛି ଖବର ଆସିପାରେ ସେଥିପାଇଁ ମୁଁ ବି ଅପେକ୍ଷା କରି ବସି ରହିଛି I ତେବେ ବର୍ତ୍ତମାନ ଏକ ଖବର ସଂଗୃହୀତ ହେଲା ଯେ, ସକାଳେ ଜେଲ ବାହାରେ ଯେଉଁ ଲଙ୍ଗଳଦଉଡ଼ା ଏବଂ କାନ୍ଥକଟା ହେବାର ଯନ୍ତ୍ରଟା ମିଳିଥିଲା, ସେଥିରୁ ସେ ଦଉଡ଼ା ଦି’ଟା କାଲି ରାତି ସାଢ଼େ ଦଶଟାବେଳେ ଜଣେ କେହି ଭଦ୍ରଲୋକ ଚୌଧୁରୀବଜାର ଦଉଡ଼ା ଦୋକାନରୁ କିଣିଥିଲା I ସେ ଦଉଡ଼ାକୁ ଦେଖି ଦୋକାନୀ ତାର ଦଉଡ଼ା ବୋଲି ଚିହ୍ନଛି I ସେ ଲୋକର ଚିହ୍ନଟ ଦେବା ତା’ ପକ୍ଷରେ ଅସମ୍ଭବ ବୋଲି କହୁଛି I ମୁଁ ଭାବୁଛି, ସେ ଦୋକାନୀକୁ ଅଟକାଇ ଧମକ ଚମକ ଦେଇ ଆଉ କିଛି-ପଚାରନ୍ତ-

 

ଗଗନବାବୁ ଉତ୍ତର ଦେଲେ—କିଛି ଲାଭ ନାହିଁ । ଆପଣ ଅନ୍ୟ ଉପାୟ ବାହାର କରନ୍ତୁ-

 

ରାତି ଦୁଇଟା ବାଜିଲା । ତଥାପି କୌଣସି ପତ୍ତା ମିଳିଲା ନାହିଁ । ସେ ପର୍ଯ୍ୟନ୍ତ ବି ପୋଲିସ ବିଭାଗର ଖୋଜାଖୋଜି ସନ୍ଧାନ ନେବାରେ ଧୁମ୍‍ ଚାଲିଥିଲା ଗଗନବାବୁ ଶେଷଥର ପାଇଁ ଯାଇତାଇ ଗଣ୍ଡାଏ ଖାଇ ଶୋଇବାକୁ ଯିବା ପୂର୍ବରୁ ଟେଲିଫୋନ ଦ୍ଵାରା ଥାନାକୁ ଜଣାଇଦେଲେ, ଯେତେ ରାତି ହେଉନା କାହିଁକି ଯଦି କିଛି ଖବର ଆସେ–ତାହାହେଲେ ତାଙ୍କୁ ନିଶ୍ଚୟ ଯେପରି ଖବର ଦିଆହୁଏ ।

 

ସେହିଦିନ “ସମାଜ” ରେ ପ୍ରକାଶ ପାଇଲା ।

 

କଟକ ଜେଲରେ କରୁଣ ଓ ଚାଞ୍ଚଲ୍ୟକର ଘଟଣା

 

“ଆମ ନିଜ ସମ୍ବାଦଦାତା ଦାୟିତ୍ଵପୂର୍ଣ୍ଣ ପୋଲିସ ଅଫିସରଙ୍କ ଠାରୁ ଖବର ନେଇ ଜାଣି ପାରିଛନ୍ତି ଯେ କାଲି ଅମାବାସ୍ୟା ରାତିର ସୁବିଧା ନେଇ ଗଲା ସାତମାସ ତଳେ ଖଣ୍ଡଗିରିରୁ ଧରା ପଡ଼ି ଜେଲ ଭୋଗୁଥିବା ତେରଜଣ ବିପଦଜ୍ଜନକ ଡକାୟତଙ୍କୁ କିଏ ଜେଲରୁ ଅପସାରିତ କରିନେଇଛି ଏବଂ ଜଣେ ବିହାରୀ ଓ୍ୟାଡରର ତୋଟି ବଡ଼ ନୃଶଂସ ଭାବରେ କାଟି ଦିଆଯାଇଛି । ଅନ୍ୟ ଜଣେ ପହରାବାଲାର ଅବସ୍ଥା ମଧ୍ୟ ସାଙ୍ଘାତିକ ।

 

ପରବର୍ତ୍ତୀ ସମ୍ବାଦରୁ ପ୍ରକାଶ—ନିଶ୍ଚିନ୍ତ ଭାବରେ ଜଣାପଡ଼ିଛି ଯେ, ସେହି ଦଳର କେତେ ଜଣ କୌଶଳୀ ଡକାୟତ ଏ ଘଟଣା ଘଟାଇଛନ୍ତି । ଯେଉଁ କୋଠରିରେ କଏଦୀମାନେ ଆବଦ୍ଧ ଥିଲେ ସେହି କୋଠରିର ଲୌହ ଦରଜା ଅକ୍ଷୁର୍ଣ୍ଣ ରହିଥିଲେ ସୁଦ୍ଧା, ‘‘ତୀକ୍ଷ୍‍ଣ କାନ୍ଥକଟା ଅସ୍ତ୍ର ସାହାଯ୍ୟରେ ସେହି କୋଠରିର ଏକ ଆଢୁଆଳ ସ୍ଥାନରେ କାନ୍ଥଫୁଟା ହୋଇଛି । ସେହି ବାଟ ଦେଇ ଡକାୟତମାନେ ଚମ୍ପଟ କରିଛନ୍ତି । ପୋଲିସ ଦିନ ତମାମ ଧମାଧମ୍ ଇନ୍‍କ୍ୱାରୀ ଚଳାଇ ଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ଏ ପର୍ଯ୍ୟନ୍ତ ମିଳିନାହିଁ । ଏ ଘଟଣା ନେଇ ସହରରେ ବଡ଼ ଚାଞ୍ଚଲ୍ୟ ଖେଳି ଯାଇଛି ।’’

 

‘‘ଦିନ ପରେ ଦିନ ବିତିଲା । ଓଡ଼ିଶା ପ୍ରଦେଶର ସମୁଦାୟ ପୋଲିସ ଓ ଗୋଇନ୍ଦା ବିଭାଗ ଏ ବିଷୟରେ ବିଶେଷଭାବେ ସତର୍କ ଥିଲେ ସୁଦ୍ଧା କୌଣସି ଆଡ଼ୁ କିଛି ଖବର ମିଳିଲା ନାହିଁ-।’’

 

ଦିନ ଗଡ଼ିବା ସଙ୍ଗେ ସଙ୍ଗେ ପୋଲିସ ସାହେବ ଗଗନବାବୁ ବଡ଼ ବିସ୍ମିତ ହେବାକୁ ଲାଗିଲେ । ସମୁଦାୟ ପୋଲିସ ଆଖିରେ ଧୂଳି ପକାଇ ଡକାୟତ ଦଳ ଅନ୍ତର୍ହିତ ହେବା କଥା ତାଙ୍କ ମନରେ ଇନ୍ଦ୍ରଜାଲ ସୃଷ୍ଟି କଲା । ଅନ୍ୟାନ୍ୟ ଅଫିସକାମ ଭିତରେ ଏବଂ ଶୋଇବା ବେଳେ ବି କିପରି ସେମାନେ ଜେଲରୁ ପଳାଇଲେ—କିଏ ବା କେଉଁ ଉପାୟରେ ସେମାନଙ୍କୁ ଉଦ୍ଧାର କଲା ଏବଂ ସେମାନେ କେଉଁଆଡ଼େ ଯେ ଛପି ଗଲେ; ସେହି କଥାହିଁ ଭାବିବାକୁ ଲାଗିଲେ । ତାଙ୍କର ଏକମାତ୍ର ଧ୍ୟାନ ରହିଲା—ସେମାନେ ପୁନର୍ବାର କିପରି ଧରା ପଡ଼ିବେ ।

 

ଆଠଦିନ ବିତିଗଲା, ଏହି ସମୟ ଭିତରେ କୌଣସିଆଡ଼ୁ କିଛି ଖବର ନ ମିଳିବାରୁ ସରକାର ତରଫରୁ ଖବରକାଗଜ ଜରିଆରେ ମଧ୍ୟ ଘୋଷଣା କରାହେଲା—ଯିଏ ଏହି ଡକାୟତ ଦଳର ସନ୍ଧାନ ସଠିକ୍‍ ଭାବରେ ପୋଲିସକୁ ଦେଇ ଧରାଇ ଦେବ, ତାକୁ ପାଞ୍ଚହଜାର ଟଙ୍କା ପୁରସ୍କାର ଦିଆଯିବ । ଏହି ଘୋଷଣା ପ୍ରକାଶ ପାଇବା ପରେ ଅବଶ୍ୟ କି ସରକାରୀ, ବେ-ସରକାରୀ ଲୋକେ ପାଞ୍ଚହଜାର ଟଙ୍କା ପାଇବା ଲୋଭରେ ଯଥାସାଧ୍ୟ ସତର୍କତାର ସହିତ ସନ୍ଧାନ ପାଇବା ପାଇଁ ଆଖି ଘୂରାଇଛନ୍ତି, କିନ୍ତୁ ସମସ୍ତଙ୍କ ଚେଷ୍ଟା ବିଫଳ ହୋଇଛି ।

 

ସେଦିନ ସନ୍ଧ୍ୟାବେଳେ ଗଗନବାବୁ ନିଜ କୋଠୀର ବଗିଚା ଭିତରେ ଏକ ଆରାମଚେୟାରରେ ବସି ଜ୍ୟୋସ୍ନାଜଡ଼ିତ ଆକାଶଆଡ଼େ ଚାହିଁ ସେହି ଡକାୟତ ଦଳର କଥା ଭାବୁ ଭାବୁ ଚପରାଶିକୁ ଡାକି କହିଲେ—ଫୋନରେ ଟାଉନଥାନାକୁ ଡାକି ଇନିସପେକ୍‍ଟର ବାବୁଙ୍କୁ ଆସିବା ପାଇଁ ଖବର ଦେବାକୁ କହ । ଆଉ ଦୁଇଟା ଚେୟାର ଆଣି ଏଇଠି ପକାଇଦେବାକୁ ଚାକରକୁ ଡାକ ।

 

ପୋଲିସ ସାହେବ ହିସାବରେ ଗଗନବାବୁ ବଡ଼ କଡ଼ା ହେଲେ ବି, ଘରୋଇ ଭାବରେ ଛୋଟ ବଡ଼ ସମସ୍ତ ପୋଲିସ କର୍ମଚାରୀଙ୍କ ସହିତ ଭାଇ ବନ୍ଧୁ ଭଳି ଚଳୁଥିଲେ । ସେଥିପାଇଁ ଭଲ ଲୋକ ହିସାବରେ ତାଙ୍କର ପୋଲିସ ମହଲରେ ବେଶ୍‍ ସୁନାମ ଥିଲା ଏବଂ ସମସ୍ତେ ତାଙ୍କୁ ଭକ୍ତି ଓ ସ୍ନେହ କରୁଥିଲେ ।

 

ପ୍ରାୟ ଅଧଘଣ୍ଟା ପରେ ଶ୍ରୀବତ୍ସବାବୁ ଗଗନବାବୁଙ୍କ ପାଖରେ ପହଞ୍ଚିଲେ । ଶ୍ରୀବତ୍ସବାବୁଙ୍କୁ ଦେଖି ଗଗନବାବୁ ବସିବାପାଇଁ ଏକ ଚୌକି ଦେଖାଇ ଦେଇ ଘରଆଡ଼ୁ ପାନ ଆଣିବାପାଇଁ ଚପରାଶିକୁ ପଠାଇ ଦେଲେ ।

 

ତା’ପରେ ଗଗନବାବୁ ବଡ଼ ଗମ୍ଭୀର ଭାବରେ ଆରମ୍ଭ କଲେ, ଡକାୟତଦଳ ପଳାଇଯିବାର ଦୁଇ ସପ୍ତାହ ହୋଇଯାଇଥିଲେ ବି କିଛି ସନ୍ଧାନ ମିଳିଲା ନାହିଁ । କେହି କେହି ବଡ଼ ଅଫିସର, ଆମ ପୋଲିସ ବିଭାଗର ଅପାରଗତା ବୋଲି କହୁଥିବାର ମୁଁ ପ୍ରକାରାନ୍ତରେ ଶୁଣି ପାରିଛି । ଆପଣ ଏହାର କୌଣସି ପ୍ରତିକାର ଭାବି ଠିକ୍‍ କଲେ !

 

ଶ୍ରୀବତ୍ସବାବୁ କହିଲେ—ମୋର ଯେତେ ଯାହା ଉପାୟ କରିବାର କଥା ତାହା ଶେଷ ହେଲାଣି । ତଥାପି ମୁଁ ମୋର ଚେଷ୍ଟାରୁ ବିରତ ହୋଇ ନାହିଁ ।

ଗଗନବାବୁ ଖଣ୍ଡେ ସିଗାରେଟ୍‍ ଟାଣୁ ଟାଣୁ କହିଲେ—ମୁଁ ଭାବୁଛି, ମହେନ୍ଦ୍ରବାବୁଙ୍କୁ ଏ ବିଷୟରେ ଅନୁସନ୍ଧାନ ଚଳାଇବାପାଇଁ ପୁରୀରୁ କିଛିଦିନ ସକାଶେ ଆଣିବାକୁ । କାରଣ ତାଙ୍କରି ଦୁଃସାହସିକ ଚେଷ୍ଟା ଯୋଗୁ ଏ ଡକାୟତଦଳ ଧରା ପଡ଼ିଥିଲେ । ସେ ଏ ବିଷୟରେ କିଛି କରିବେ ବୋଲି ମୋର ଆଶା । ତା’ ଛଡ଼ା ବାଲେଶ୍ୱରର ଶ୍ରୀକାନ୍ତବାବୁ ଓ ପ୍ରିୟବାବୁଙ୍କୁ ମୁଁ ମଧ୍ୟ ଏ ଡକାୟତଦଳର ଅନୁସନ୍ଧାନ ଚଳାଇବା ପାଇଁ ବଦଳି କରି ଆଣିବାକୁ ଚେଷ୍ଟା କରୁଛି । ମୁଁ ବାଲେଶ୍ୱରରେ ଥିବାବେଳେ ଏହି ଭଳି ବଡ଼ ଧରଣର ନ ହେଲେ ମଧ୍ୟ ଅନେକ ବଡ଼ ଘଟଣା ଶ୍ରୀକାନ୍ତବାବୁ ଓ ପ୍ରିୟବାବୁ ଛଦ୍ମବେଶରେ ରହି ଧରି ପାରିଥିଲେ । ସେ ଦୁଇଜଣଯାକ ଯୁବକ, ଏ ସବୁ ଘଟଣା ଅନୁସନ୍ଧାନ କରିବା ପାଇଁ ଦୁହିଁଙ୍କର ମଧ୍ୟ ଖୁବ୍‍ ଉତ୍ସାହ ଅଛି ।

ବତ୍ସବାବୁ ଗମ୍ଭୀର ହୋଇ କହିଲେ—ଶ୍ରୀକାନ୍ତବାବୁ ଓ ପ୍ରିୟବାବୁଙ୍କୁ ମୁଁ ଭଲକରି ଜାଣେ-। ଏହି ଅଳ୍ପ ବୟସରେ ମଧ୍ୟ ଗୋଇନ୍ଦା ବିଭାଗରେ ତାଙ୍କର ସୁନାମ ଅଛି, କିନ୍ତୁ ମହେନ୍ଦ୍ରବାବୁଙ୍କ ବିଷୟରେ ହିଁ ମୁଁ ଭାବୁଛି । ସେ ଏଥର ଏ ଘଟଣା ଅନୁସନ୍ଧାନ କରିବା ପାଇଁ ରାଜି ହେବେ କି ନାହିଁ ତାହାହିଁ ବଡ଼ କଥା ।

ଗଗନବାବୁ ଆଗକୁ ଟିକିଏ ଝୁଙ୍କି ପଡ଼ି କହିଲେ—କାହିଁକି ? ଶ୍ରୀବତ୍ସବାବୁ ଉତ୍ତର ଦେଲେ—ମହେନ୍ଦ୍ରବାବୁଙ୍କ ଦୁଃସାହସିକ ଯୋଗୁ ସେହି ଡକାୟତଦଳର ସର୍ବନାଶ ହୋଇଛି । ସେହି ଦଳର ଅବଶିଷ୍ଟ ଯେଉଁମାନେ ସାରା ଜୀବନ ପାଇଁ ଜେଲ ଯାଇଥିଲେ, ସେମାନେ ଯେତେବେଳେ ଜେଲରୁ ଖସି ପଳାଇଛନ୍ତି, ସେତେବେଳେ ମହେନ୍ଦ୍ରବାବୁଙ୍କର ସମସ୍ତଙ୍କ ଅପେକ୍ଷା ବେଶି ବିପଦ ବୋଲି ମୁଁ ଭାବୁଛି । ମହେନ୍ଦ୍ରବାବୁ ଯେ ଏ ଘଟଣା ଶୁଣି ନିଶ୍ଚୟ ଭୟ କରୁଥିବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ବଦମାସ ଡକାୟତଦଳ ତାଙ୍କ ଉପରେ ରାଗ ରଖି ପ୍ରତିଶୋଧ ନେବାକୁ ଯେ ଭାବି ନ ଥିବେ, ୟାର କେଉଁ ଠିକଣା ଅଛି ?

ଗଗନବାବୁ କଥା ଶୁଣୁ ଶୁଣୁ କହିଲେ—ତାହା ଠିକ୍‍ କଥା, କିନ୍ତୁ ଗୋଇନ୍ଦା ବିଭାଗରେ ରହି ଯିଏ ଜୀବନରେ ଥରେ ଏହିଭଳି ଡକାୟତଦଳ କିମ୍ବା ଗୁପ୍ତ ଷଡ଼ଯନ୍ତ୍ରକାରୀ ରାଜନୈତିକ ଦଳର ସନ୍ଧାନ ପାଇବାରେ କୃତକାର୍ଯ୍ୟ ହୋଇଛି, ସେଥିରେ ସେ ଯେତେ ଆନନ୍ଦା ପାଏ, ତା’ ପକ୍ଷରେ ମରଣ ବି ଅତି ତୁଚ୍ଛ । ତାଙ୍କୁ ଆଣିବାକୁ ହେବ, ସେ ଅନ୍ତତଃ ପ୍ରାଥମିକ ଅନୁସନ୍ଧାନ କରନ୍ତୁ-

 

ଶ୍ରୀବତ୍ସବାବୁ କହିଲେ—ଆଚ୍ଛା, ତାଙ୍କୁ ସାହାଯ୍ୟ କରିବାରେ ମୁଁ ତିଳେମାତ୍ର ହେଳା କରିବି ନାହିଁ ।

 

ରାତି ପ୍ରାୟ ଦଶଟା ବାଜି ଯାଇଥିଲା । ଶ୍ରୀବତ୍ସବାବୁ ଗଗନବାବୁଙ୍କଠାରୁ ବିଦାୟ ଘେନି ଥାନାକୁ ଫେରି ଆସିଲେ ।

 

X X X

 

ମହେନ୍ଦ୍ରବାବୁଙ୍କୁ ପୁରୀରୁ ଏ ଘଟଣା ଅନୁସନ୍ଧାନ କରିବାକୁ ମାସକ ପାଇଁ ଅଣା ହୋଇଛି-। ତା’ ଛଡ଼ା ବାଲେଶ୍ୱରରୁ ଶ୍ରୀକାନ୍ତବାବୁ ଓ ପ୍ରିୟବାବୁ ମଧ୍ୟ ଅନୁସନ୍ଧାନ କରିବା ପାଇଁ ଗୋଇନ୍ଦା ବିଭାଗକୁ ବଦଳି ହୋଇ ଆସିଛନ୍ତି ।

 

ଦୁଇଦିନ ପରେ ମହେନ୍ଦ୍ରବାବୁ କଟକରେ ପହଞ୍ଚି ପୋଲିସ ସାହେବଙ୍କୁ ସାକ୍ଷାତ କଲେ । ଗଗନବାବୁ ତାଙ୍କୁ ଦେଖିଲାକ୍ଷଣି ତାଙ୍କ ସହିତ କରମର୍ଦ୍ଦନ କରି ଏ ଘଟଣା ଅନୁସନ୍ଧାନ କରିବାରେ ବିଜୟୀ ହୁଅନ୍ତୁ ବୋଲି ଆଶୀର୍ବାଦ କଲେ । ମହେନ୍ଦ୍ରବାବୁ ପୋଲିସ ସାହେବ ଗଗନବାବୁଙ୍କ ବସାରୁ ଫେରିଲାବେଳେ ଖୋଦ ପୋଲିସ ସାହେବଙ୍କ ଠାରୁ ତାଙ୍କର ପ୍ରଶଂସା ଓ ଉତ୍ସାହବାଣୀ ଶୁଣି ଏତେ ଆତ୍ମହରା ହୋଇ ଯାଇଥିଲେ ଯେ, ଏ ଘଟଣା ଅନୁସନ୍ଧାନ କରିବା ପାଇଁ ତାଙ୍କର ଜୀବନ ଗଲେ ବି, ସେହି ଦୁଃସାହସିକ କାର୍ଯ୍ୟକୁ ସେ ନିଜ ହାତକୁ ନେବେ, ଏ କଥା ମନେ ମନେ ସିଦ୍ଧାନ୍ତ କରିନେଲେ-

 

ଦି’ପହରେ ପୋଲିସ କ୍ଲବରେ ଖାଇ ପିଇ ଏ ଡକାୟତଦଳ ଜେଲରୁ ପଳାୟନ ବିଷୟରେ କେତେକ ଖବର ଜାଣିବା ପାଇଁ ଥାନାକୁ ଗଲେ । ଶ୍ରୀବତ୍ସବାବୁ ତାଙ୍କୁ ଦେଖି ତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ସେ ଅତି ଆଦର ସମ୍ଭାଷଣରେ ତାଙ୍କର ଖାସ କୋଠରିରେ ବସାଇ ମହେନ୍ଦ୍ରବାବୁ ଚାହୁଁଥିବା ସମସ୍ତ ଖବର ଯୋଗାଇ ଦେଲେ । ଶ୍ରୀବତ୍ସବାବୁଙ୍କ ଅନୁରୋଧରେ ମହେନ୍ଦ୍ରବାବୁ ସେଇଠି ଚା’ ଜଳଖିଆ ଖାଇ ଫେରିଲାବେଳକୁ ଚାରିଟା ବାଜି ଯାଇଥିଲା ।

 

ମହେନ୍ଦ୍ରବାବୁ ପ୍ରଥମଥର ପାଇଁ ଘଟଣାସ୍ଥଳରେ ଟିକିଏ ଆଖି ପକାଇବାକୁ ଶ୍ରୀକାନ୍ତବାବୁ ଓ ପ୍ରିୟବାବୁଙ୍କୁ ସଙ୍ଗରେ ନେଇ ବାହାରି ଗଲେ ଜେଲଆଡ଼େ ।

 

ଜେଲରବାବୁ, ମହେନ୍ଦ୍ରବାବୁ ଓ ଗୋଇନ୍ଦା ବିଭାଗର ଅନ୍ୟ ଦୁଇଜଣଙ୍କୁ ନେଇ ଘଟଣାସ୍ଥଳ ତନ୍ନ ତନ୍ନ କରି ଦେଖାଇଦେଲେ । ମହେନ୍ଦ୍ରବାବୁ ଘଟଣାସ୍ଥଳ ପରୀକ୍ଷା କରୁ କରୁ କେତେକ ଦରକାରୀ ପ୍ରଶ୍ନ ଜେଲରବାବୁଙ୍କୁ ପଚାରି ଦୁଇଜଣ ବନ୍ଧୁଙ୍କ ସହ ପୋଲିସ କ୍ଲବକୁ ଫେରି ଆସିଲେ ।

 

ରାତି ଦଶଟା । ମହେନ୍ଦ୍ରବାବୁ ବନ୍ଧୁମାନଙ୍କ ସହ ଖାଇ ପିଇ ବିଛଣାରେ ପଡ଼ିଲେ, କିନ୍ତୁ ତାଙ୍କ ଆଖିକୁ ଆଉ ନିଦ ଆସିଲା ନାହିଁ । ଅନେକ ରାତି ଯାଏ ଧୀରସ୍ଥିର ମନରେ କେତେକ ମୂଲ୍ୟବାନ ପ୍ରଶ୍ନ କଲି ଜେଲରବାବୁଙ୍କୁ ପଚାରିବା ପାଇଁ ଠିକ୍‍ କରିନେଲେ ।

 

ତହିଁଆର ଦିନ ସମୟ ସକାଳ ସାଢ଼େ ନ’ଟା । ମହେନ୍ଦ୍ରବାବୁ ସହଳ ଗାଧୋଇ ଜଳଖିଆ ଖାଇ ଏକୁଟିଆ ଜେଲ ଆଡ଼େ ବାହାରି ଗଲେ । ସେତେବେଳକୁ ଜେଲରବାବୁ ଜେଲ ଭିତରେ ତାଙ୍କ ଅଫିସ ଘରେ ବସି କାମ କରୁଥାନ୍ତି । ମହେନ୍ଦ୍ରବାବୁଙ୍କୁ ଦେଖି ଜେଲରବାବୁ ଅଭ୍ୟର୍ଥନା କରି ଚେୟାରରେ ବସାଇଲେ ।

 

ମହେନ୍ଦ୍ରବାବୁ କିଛି କହିବା ଆଗରୁ ଜେଲରବାବୁ ଅଫିସ କାମ ବନ୍ଦ କରି ଆଗ କରି ପଚାରିଲେ, କିଛି ଭାବି ଠିକ୍‍ କଲେ ମହେନ୍ଦ୍ରବାବୁ ? ଆପଣ ତ ସେ ବିଷୟରେ ଧୁରନ୍ଧର । ମୋ ଅମଳରେ ଏଭଳି ଏକ ବଦନାମି ଘଟଣା ଘଟିବ ବୋଲି ମୁଁ କେବେ ହେଲେ ଭାବି ନଥିଲି । ବାସ୍ତବିକ୍‍ ଏ ଘଟଣା ନେଇ ମୁ ଅତ୍ୟନ୍ତ ଦୁଃଖିତ ।

 

ମହେନ୍ଦ୍ରବାବୁ କହିଲେ—ଆପଣତ; ଦୁଃଖିତ ହେବାର କଥା କିନ୍ତୁ ଆପଣଙ୍କ ଅପେକ୍ଷା ଅନ୍ୟମାନଙ୍କର ଭୟ କରିବାର ଯଥେଷ୍ଟ କାରଣ ମଧ୍ୟ ଅଛି । ଏଥର ସେମାନେ ଧରା ପଡ଼ିବେ ବୋଲି ମୋର ଆଦୌ ବିଶ୍ୱାସ ନାହିଁ । ପୋଲିସ କୁହନ୍ତୁ ବା ଗୋଇନ୍ଦା ବିଭାଗ କୁହନ୍ତୁ, ସେମାନେ ସମସ୍ତଙ୍କ ଅପେକ୍ଷା ଖୁବ୍‍ ଚତୁର । ଆରଥର ସେମାନଙ୍କୁ ମୁଁ ଯେ କିଭଳି କୌଶଳରେ ଜୀବନକୁ ପାଣି ଛଡ଼ାଇ ଧରିଥିଲି, ତାହା ମନେ ପଡ଼ିଲେ ଦେହ ମୋର ଶୀତେଇ ଉଠେ ।

 

ଜେଲରବାବୁ, ମହେନ୍ଦ୍ରବାବୁଙ୍କ ହାତକୁ ଖଣ୍ଡେ ସିଗାରେଟ୍‍ ବଢ଼ାଇ ଦେଉ ଦେଉ କହିଲେ–ସେତେବେଳେ ସେ କଥା ଯିଏ ଶୁଣିଛି, ସିଏ ଆପଣଙ୍କୁ ପ୍ରଶଂସା ନ କରି ରହିପାରି ନାହିଁ-। ସେଥିପାଇଁ ଆପଣ ବାସ୍ତବିକ ଧନ୍ୟବାଦର ପାତ୍ର ।

 

ମହେନ୍ଦ୍ରବାବୁ ସିଗାରେଟ୍‍ ଟାଣୁ ଟାଣୁ କହିଲେ—ମୁଁ ଆସି ଆପଣଙ୍କର ବହୁତ ସମୟ ନଷ୍ଟ କଲିଣି । ଆଚ୍ଛା, ଆପଣ ଯଦି ମୋ ପାଇଁ ଦୟା କରି ଅଧଘଣ୍ଟା ସମୟ ଦେଇପାରନ୍ତେ—ତାହାହେଲେ କେତୋଟି ଦରକାରୀ ପ୍ରଶ୍ନ ପଚାରି ମୁଁ ଚାଲିଯାଆନ୍ତି ।

 

ଜେଲରବାବୁ ଆଗ୍ରହାନ୍ଵିତ ହୋଇ କହିଲେ, ଅଧଘଣ୍ଟା କ’ଣ ଆପଣ ଇଚ୍ଛା କଲେ ଘଣ୍ଟାଏ ସମୟ ଦେଇପାରେ । ଆପଣଙ୍କ ଦରକାରରେ ଆସିଲାଭଳି ଯେତେ ଯାହା ପ୍ରଶ୍ନ ସ୍ୱଚ୍ଛନ୍ଦରେ ପଚାରିପାରନ୍ତି ।

 

ମହେନ୍ଦ୍ରବାବୁ ଟିପାଖାତା ଖଣ୍ଡିଏ ଆଗରେ ଥୋଇ ପେନ୍‍ସିଲଟି ଧରି ପଚାରିଲେ—ଆଚ୍ଛା, ସେହି ଡକାୟତଦଳ ଯେଉଁ କୋଠରିରେ ରହୁଥିଲେ, ଏକଥା ଆପଣଙ୍କ ଜାଣିବାରେ କେହି ବାହାରର ଲୋକ କେବେ ଜାଣିବାର କ’ଣ ସୁବିଧା ପାଇଥିଲେ କି ?

 

ଜେଲରବାବୁ ଟିକିଏ ଚିନ୍ତା କରିବା ଭଙ୍ଗୀରେ କହିଲେ—ଜେଲ ବିଭାଗର କର୍ମଚାରୀମାନଙ୍କୁ କିଏ କେଉଁଠି ରହେ, ଏକଥା ପ୍ରାୟ କାହାରିକୁ ଅଛପା ନାହିଁ । ତେବେ ମୋ ଜାଣିବାରେ ବାହାରର ବାଜେ ଲୋକ କାହିଁକି ବା କିଏ କେଉଁଠି ଅଛି ବୋଲି ଜାଣିବାକୁ ଚେଷ୍ଟା କରିବି ! ତେବେ ମାସକ ତଳେ ଜଣେ ବିଶିଷ୍ଟ ଭଦ୍ରଲୋକଙ୍କୁ ମୁଁ ନିଜ ସଙ୍ଗରେ ନେଇ ଜେଲର ଶିଳ୍ପ କାରଖାନା ଇତ୍ୟାଦି ଦେଖାଉ ଦେଖାଉ ତାଙ୍କର କନ୍ୟା ସେହି ଡକାୟତ ଦଳ ଏଠି ରହୁଛନ୍ତି କି କୁଆଡ଼େ ଗଲେଣି ବୋଲି ପଚାରିଲା । ମୁଁ କଥା ପ୍ରସଙ୍ଗରେ ସେମାନେ ସେହି ଘରେ ରହୁଛନ୍ତି ବୋଲି କହିଥିଲି ।

 

ମହେନ୍ଦ୍ରବାବୁ ଏ କଥା ଶୁଣୁ ଶୁଣୁ ତାଙ୍କର ମୁଖଭଙ୍ଗୀ ସଙ୍ଗେ ସଙ୍ଗେ ବଦଳିଗଲା । ସେ ଟିକିଏ ବିସ୍ମିତ ହେଲାପରି ପଚାରିଲେ—ଆଚ୍ଛା, ଭଦ୍ରଲୋକ ଜଣକ କିଏ, ତାଙ୍କର ନାମ ଆପଣ ମନେ ରଖିଛନ୍ତି ?

 

ଜେଲରବାବୁ କହିଲେ—ନିଶ୍ଚୟ, ସେ ଜଣେ ବିଶିଷ୍ଟ ଭଦ୍ରଲୋକ । ତାଙ୍କର ପୂରା ନାମ ମନେ ନ ଥିଲେ ବି ସେ ହେଉଛନ୍ତି ବାମଣ୍ଡା ଷ୍ଟେଟର ଶିଳ୍ପବିଭାଗର ଡିରେକ୍ଟର । ନାମ ରାଏ ସାହେବ ବିପ୍ରଚରଣ । ତାଙ୍କର ପୂରା ନାମ ଠିକ୍‍ ଭାବରେ ମନେ ପଡ଼ୁନାହିଁ । ସେ ଓଡ଼ିଶା ସରକାରଙ୍କ ସହିତ ଷ୍ଟେଟର କେତେକ ଜରୁରୀ କାମ ନେଇ ଆସିଥିଲେ ବୋଲି କହୁଥିଲେ । ମୋ ସହିତ ସାକ୍ଷାତ କରି ଏ ଜେଲର ଶିଳ୍ପ ବିଭାଗ ଦେଖିବାକୁ ଚାହିଁବାରୁ ଷ୍ଟେଟର ବିଶିଷ୍ଟ ଶିଳ୍ପବିଭାଗର ଡିରେକ୍ଟର ହିସାବରେ ମୁଁ ତାଙ୍କୁ ସାଙ୍ଗରେ ନେଇ ଜେଲର କେତେକ ସ୍ଥାନ ଦେଖାଇଥିଲି ।

 

ମହେନ୍ଦ୍ରବାବୁ କହିଲେ—ଆଚ୍ଛା ତାଙ୍କ ସଙ୍ଗରେ ତାଙ୍କର ଏକା କନ୍ୟା ଥିଲା ନା ଆଉ କିଏ ଥିଲେ ?

 

ଜେଲରବାବୁ କହିଲେ ନା, ସେ ସସ୍ତ୍ରୀକ ଆସିଥିଲେ ।

ମହେନ୍ଦ୍ରବାବୁ ପଚାରିଲେ—ତାଙ୍କ କନ୍ୟାଙ୍କ ବୟସ କେତେ ହେବ ?

ଜେଲରବାବୁ କହିଲେ—ପ୍ରାୟ ସତର ଅଠର ବର୍ଷରୁ କମ୍‍ ହେବ ନାହିଁ; କିନ୍ତୁ ସେ ଭଦ୍ରଲୋକ ବଡ଼ ରସିକ ବୋଲି ମୋର ମନେହେଲା । କାରଣ ତାଙ୍କ ସ୍ତ୍ରୀଙ୍କର ବୟସ ମୋଟେ ତିରିଶ ଭିତରେ । ତାଙ୍କର ସେ ନିଶ୍ଚୟ ଦ୍ଵିତୀୟପକ୍ଷ ସ୍ତ୍ରୀ ।

ମହେନ୍ଦ୍ରବାବୁ ଗୋଟିଏ ଖିଆଲରେ କହିଗଲେ ଦେହ ହାତ ବଳିଳା ପରି, ରଙ୍ଗ ସାବନା ହୋଇଥିବ, ନୁହେଁ ?

ଜେଲରବାବୁ ଆଶ୍ଚର୍ଯ୍ୟ ହେଲାପରି କହିଲେ—ଠିକ୍‍ତ ସେମିତି ! ଆପଣ ତାହାହେଲେ ତାଙ୍କୁ ଚିହ୍ନିଛନ୍ତି, ନୁହେଁ ?

ମହେନ୍ଦ୍ରବାବୁ ନିଜେ ଏ କଥା କହୁ କହୁ ତାଙ୍କ ମୁଖଭଙ୍ଗୀରୁ ଭୟ ବିସ୍ମୟର ସ୍ପଷ୍ଟ ଆଭାସ ମିଳୁଥିଲା ।

ଜେଲରବାବୁ ତାଙ୍କ ମୁହଁକୁ ଚାହିଁଦେଇ ଚମକିଲା ପରି ପଚାରିଲେ—ଆପଣ ଏତେ ବିସ୍ମିତ ହେଲେ କାହିଁକି ମହେନ୍ଦ୍ରବାବୁ ?

ମହେନ୍ଦ୍ରବାବୁ କ୍ଷଣକାଳ ନୀରବ ରହି ଉତ୍ତର ଦେଲେ—ସର୍ବନାଶ ହୋଇଛି । ମୋର ଅନୁମାନ ଯଦି ଠିକ୍‍ ହୁଏ, ତାହାହେଲେ ଅବସ୍ଥା ଅତି ସାଂଘାତିକ ହୋଇ ପଡ଼ିବ । ବିଶେଷତଃ ବିପଦ ସମସ୍ତଙ୍କଠୁଁ ମୋର ବେଶି ।

ଜେଲରବାବୁ ଆବାକାବା ହୋଇ ମହେନ୍ଦ୍ରବାବୁଙ୍କ ଆଡ଼େ ଅନାଇଁ ରହି କହିଲେ—କ’ଣ ଆପଣ କହୁଛନ୍ତି ମହେନ୍ଦ୍ରବାବୁ ? ମୁଁ ତ କିଛି ବୁଝିପାରିଲି ନାହିଁ । ତାହାହେଲେ କ’ଣ ସେହି ଭଦ୍ରଲୋକ କାହାକୁ ଖବର ଯୋଗାଇଛନ୍ତି !

 

ମହେନ୍ଦ୍ରବାବୁ ରହି ରହି କହିଲେ—ଆପଣ ବର୍ତ୍ତମାନ ନୀରବ ରୁହନ୍ତୁ । ମୁଁ ସେ ବିଷୟରେ ସଠିକ୍‍ ଅନୁସନ୍ଧାନ ନ କରି କିଛି କହି ପାରିବି ନାହିଁ । ତେବେ ଆପଣ ଏ ସବୁ ବିଷୟରେ କାହା ଆଗରେ କିଛି କହିବାରେ ଯେତେ ନୀରବ ରହନ୍ତି—ସେତେ ମଙ୍ଗଳ ।

 

ଜେଲରବାବୁ, ମହେନ୍ଦ୍ରବାବୁଙ୍କ କଥାରେ ସମ୍ମତି ଜଣାଇ କହିଲେ—ନିଶ୍ଚୟ ।

 

ମହେନ୍ଦ୍ରବାବୁ ଆଉ କିଛି ନ ପଚାରି ଉଠି ଠିଆହେଲେ ।

 

ଜେଲରବାବୁ ପଚାରିଲେ—ତାହାହେଲେ କ’ଣ ଆପଣଙ୍କର ଆଉ କିଛି ପଚାରିବାର ନାହିଁ ।

 

—ନା, ବର୍ତ୍ତମାନ ଆଉ କିଛି ପଚାରିବାର ନାହିଁ । ଯଦି ମୋର ଅନୁମାନ ଠିକ୍‍ ହୁଏ, ତାହାହେଲେ ଜେଲରୁ ଅନ୍ୟମାନଙ୍କୁ କୌଶଳରେ ନେଇଯିବା ବା କାହାକୁ ହତ୍ୟା କରିବା ସେହି ଦଳ ପକ୍ଷରେ କିଞ୍ଚିତ୍‍ ମାତ୍ର ।

 

ମହେନ୍ଦ୍ରବାବୁ ଜେଲରୁ ଫେରି ଆସି ସିଧା ପୋଲିସ କ୍ଲବକୁ ଗଲେ । ସେଠି ଖାଇ ପିଇ ସାରି ଟିକିଏ ମାତ୍ର ବିଶ୍ରାମ ନେଇ ସିଧାଗଲେ ପୋଲିସ ସାହେବଙ୍କ କୋଠିକୁ ।

 

ପୋଲିସ ସାହେବ ଗଗନବାବୁ, ମହେନ୍ଦ୍ରବାବୁଙ୍କୁ ଦେଖି ହସି ହସି ପଚାରିଲେ—ନିଶ୍ଚୟ କିଛି ଶୁଭ ଖବର ଆପଣ ଆଣିଛନ୍ତି । ମୁଁ ଜଣେ, ଆପଣଙ୍କ ଛଡ଼ା ଏ ଘଟଣାର ଅନ୍ୟ କେହି ସନ୍ଧାନ ପାଇବାକୁ ସକ୍ଷମ ହେବେ ନାହିଁ ।

 

ମହେନ୍ଦ୍ରବାବୁ ନିଜ ପ୍ରଶଂସାରେ ମନେ ମନେ ଆତ୍ମହରା ହୋଇ ବଡ଼ ନରମ ଗଳାରେ କହିଲେ—ମୋର ଅନୁସନ୍ଧାନ ପତ୍ର ମୁଁ ଆପଣଙ୍କୁ ତିନି ଚାରିଦିନ ମଧ୍ୟରେ ଦେବି । କିନ୍ତୁ ଆପଣଙ୍କୁ ବର୍ତ୍ତମାନ ଏକ ସାଧାରଣ ମଟର ଗାଡ଼ି ଯୋଗାଇଦେବାକୁ ପଡ଼ିବ । କାରଣ, ମୋତେ ବର୍ତ୍ତମାନ ଶ୍ରୀକାନ୍ତବାବୁ ଓ ପ୍ରିୟବାବୁଙ୍କ ସହିତ ବାମଣ୍ଡା ଯିବାକୁ ପଡ଼ିବ । ସେଠୁ ଫେରି ଆସିଲେ, ମୋର ଖୁବ୍‍ ଆଶା, ମୁଁ ଯାହା ଅନୁସନ୍ଧାନ କରିଛି, ତାହା ବୋଧହୁଏ ସଠିକ୍‍ ହେବ ଏବଂ ମୁଁ ଆପଣଙ୍କ ପାଖରେ ମୋର ସଠିକ୍‍ ଅନୁସନ୍ଧାନ ପତ୍ର ଦାଖଲ କରିବି ।

 

ଗଗନବାବୁ ଉତ୍ସାହରେ କହି ଉଠିଲେ—ଆପଣ ଯିବାକୁ ପ୍ରସ୍ତୁତ ହୁଅନ୍ତୁ । ମୁଁ ଏଇ ଅଧଘଣ୍ଟା ମଧ୍ୟରେ ଶ୍ରୀବତ୍ସବାବୁଙ୍କୁ ଡାକି ସମସ୍ତ ବନ୍ଦୋବସ୍ତ କରି ଦେଉଛି ।

 

ଦିନ ଚାରିଟା ସୁଦ୍ଧା ମଟର ଚହଟା ଘାଟ ପାରିହୋଇ ବିଜୁଳି ବେଗରେ ଛୁଟି ଚାଲିଲା ।

 

X X X

 

ପରଦିନ ସନ୍ଧ୍ୟା । ଶ୍ରୀବତ୍ସବାବୁ ସନ୍ଧ୍ୟାବେଳେ ତାଙ୍କ ବସାଘର ସାମ୍ନାରେ କେତୋଟି ଚେୟାର ପକାଇ ତାଙ୍କର ବନ୍ଧୁମାନଙ୍କ ସହିତ ଗପସପ କରୁଛନ୍ତି । ଜଣେ ବୁଢ଼ା’ କାଖରେ କାଗଜପତ୍ର ବୁଜୁଳା ଜାକି ତାଙ୍କ ପାଖରେ ଟିକିଏ ଦୂରେଇ ଠିଆ ହୋଇ କହିଲା—ଇନ୍‍ସପେକ୍‍ଟରବାବୁଙ୍କୁ ଖୋଜୁଛି, ଏଇ ତାଙ୍କ ବସା ନା ?

 

ଶ୍ରୀବତ୍ସବାବୁ କଥା ବନ୍ଦ କରି ପଚାରିଲେ—କ’ଣ ଦରକାର, କେଉଁଠୁ ଆସିଛ ?

 

ବୁଢ଼ା ଜଣକ ସେହି ଇନ୍‍ସପେକ୍‍ଟରବାବୁ ବୋଲି ଜାଣିପାରି ନମସ୍କାର ଜଣାଇଲା—ଆଜ୍ଞା, ମୁଁ ଉତ୍ତରପାର୍ଶ୍ଵ ମଠର ମୋହରିର । ହାଇକୋର୍ଟର ମକଦ୍ଦମା ଥିବାରୁ କାଗଜପତ୍ର ନେଇ କାଲିଠୁଁ ଆସିଛି । ମହେନ୍ଦ୍ରବାବୁଙ୍କ ବସାର ଅଳ୍ପଦୂରରେ ମୋ ବସା । ଏକା ଗାଁର ଲୋକ । ମୁଁ କଟକ ଆସିବା ଶୁଣି ତାଙ୍କ ସ୍ତ୍ରୀ ଚିଠି ଖଣ୍ଡେ ଦେଇଛନ୍ତି । ଥାନାରେ ଇନ୍‍ସପେକ୍‍ଟରବାବୁଙ୍କ ପାଖରୁ ଖବର ନେଲେ ମହେନ୍ଦ୍ରବାବୁଙ୍କ ଦେଖା ମିଳିବ ବୋଲି ସେ କହିଥିଲେ । ମୁଁ ବୁଢ଼ା ଲୋକ, ଦିନାଯାକ କଚେରୀରେ ଏପାଖ ସେପାଖ ହୋଇ ହୋଇ ଥକିଲାଣି । ବାବୁ କେଉଁଠି ଅଛନ୍ତି—ଆଜ୍ଞା ?

 

ଶ୍ରୀବତ୍ସବାବୁଙ୍କ ମନରେ ସନ୍ଦେହ ହେବାର କୌଣସି କାରଣ ନ ଥିଲା । ସେ କହିଲେ–ତାଙ୍କର ଦେଖା ବର୍ତ୍ତମାନ ମିଳିବ ନାହିଁ । ଦି’ତିନିଦିନ ପରେ ମିଳିବ । ଯଦି ତୁମେ କଟକରେ ରହୁଥାଅ, ତାହାହେଲେ ତାଙ୍କ ସଙ୍ଗରେ ଦେଖାହେବ । ନୋହିଲେ ଚିଠିଟା ଦେଇ ଯାଇପାର ।

 

ବୁଢ଼ା ମୋହରିର ଜଣକ ଟିକିଏ ସଙ୍କୁଚିତ ହୋଇ କହିଲେ—ମୁଁ ରହିପାରୁଛି କେଉଁଠି ଆଜ୍ଞା ? ତାଙ୍କ ଘରୋଇ ଚିଠି ବୋଲି... !

 

ଶ୍ରୀବତ୍ସବାବୁ କହିଲେ—ସେଥିରେ ଯାଏ ଆସେ ନାହିଁ । କିଏ କାହିଁକି ଖୋଲିବ ? ତୁମେ ଦେଇଯାଇ ପାର ।

 

ବୁଢ଼ା ମୋହରିର ତାଙ୍କ ହାତକୁ ଚିଠି ଖଣ୍ଡି ବଢ଼ାଇ ଦେଇ ନମସ୍କାର କରି ବିଦାୟ ନେଇ ଆସିଲେ ।

 

ପୁରୀ କଚେରୀର ଅଳ୍ପ ଦୂରରେ ଲଗାଲଗି ହୋଇ କେତେକ ସରକାରୀ କର୍ମଚାରୀଙ୍କ ବସା ଘର । ମହେନ୍ଦ୍ରବାବୁଙ୍କ ବସାରେ ତାଙ୍କର ସ୍ତ୍ରୀ, ବିଧବା ପିଉସୀ, ଜଣେ ଚାକର ଓ ପୁଝାରୀ ଟୋକାଟିଏ । ମହେନ୍ଦ୍ରବାବୁ କୌଣସି କାମରେ ବାହାରକୁ ଗଲେ, ଜଣେ ସିପାହୀ ବରାବର ତାଙ୍କ ବସା ଜଗି ରହେ ।

 

ମହେନ୍ଦ୍ରବାବୁ ହଠାତ୍‍ ମାସକ ପାଇଁ କଟକ ଆସୁଥିବାରୁ ପୁରୀ ବସା ବଦଳାଇବାରେ କୌଣସି ଆବଶ୍ୟକତା ନ ଥିଲା । ତେଣୁ ସେ ଆସିବା ପୂର୍ବରୁ ବସାରେ ସମସ୍ତ ସୁବିଧା କରାଇ ଦେଇ ଏବଂ ଥାନାରୁ ଜଣେ ସିପାହୀ ଯେପରି ବରାବର ତାଙ୍କ ଫେରିବା ପର୍ଯ୍ୟନ୍ତ ବସା ଜଗି ରହେ ତା’ର ବନ୍ଦୋବସ୍ତ କରିଦେଇ ଆସିଥିଲେ । ତା’ଛଡ଼ା ତାଙ୍କ ବସା ପାଖକୁ ଲାଗି ମାଜିଷ୍ଟ୍ରେଟଙ୍କ ପେସ୍କାର ରାମବାବୁଙ୍କୁ ମଧ୍ୟ ତାଙ୍କ ବସାଆଡ଼େ ଟିକିଏ ନଜର ଦେବାକୁ କହି ଆସିଥିଲେ ।

 

ମହେନ୍ଦ୍ରବାବୁ କଟକ ଆସିବାର ଆଜକୁ ପାଞ୍ଚଦିନ ହୋଇଗଲାଣି । ଅନୁସନ୍ଧାନରେ ବାମଣ୍ଡା ଯିବାଦିନ ବସାକୁ ଖବର ପଠାଇବାକୁ ଇଚ୍ଛାଥିଲେ ସୁଦ୍ଧା ସମୟ ଅଭାବରୁ ବାମଣ୍ଡାରୁ ଫେରିଲେ ଚିଠି ଦେବେ ବୋଲି ଠିକ୍‍ କରି ମଟର ନେଇ ବାହାରିଗଲେ ।

 

X X X

 

ମହେନ୍ଦ୍ରବାବୁ ବସା ଛାଡ଼ିବା ପରଠୁଁ ତାଙ୍କ ବସାରେ କାମଦାମ ଅନେକ ପରିମାଣରେ କମିଯାଇଛି । ବସାରେ ତାଙ୍କ ସ୍ତ୍ରୀ ପ୍ରାଣଧନ ବାବୁଙ୍କ ସାନ ଝିଅ ଟୁନି, ଚାକର ଓ ବନ୍ଧୁ ବାନ୍ଧବର ଜଣେ ବିଧବା ପିଉସୀ ଛଡ଼ା ଅନ୍ୟ କେହି ନାହାନ୍ତି । ଠିକା ଚାକରଣୀଟା ସକାଳ ସନ୍ଧ୍ୟାରେ ବାସନକୁସନ ମଜା, ମସଲା ବଟା ଇତ୍ୟାଦି କାମ ସାରିଦେଇ ଚାଲିଯାଏ । ରାତି ନ’ଟା ସୁଦ୍ଧା ମହେନ୍ଦ୍ରବାବୁଙ୍କ ବରାଦ ଅନୁସାରେ ଥାନାର ଜଣେ କନେଷ୍ଟବଳ ଦାଣ୍ଡ ମେଲାରେ ଆସି ଶୁଏ ।

 

ଘରର ଧନ୍ଦା ଅନେକ ପରିମାଣରେ କମିଯିବାରୁ ଟୁନି ଖାଇପିଇ ଖଟ ଉପରେ ବିଶ୍ରାମ ନିଏ । କେଉଁଦିନ ବେଳାବେଳି କାମ ସାରିଦେଇ ସାଇପଡ଼ିଶାର ଅନ୍ୟାନ୍ୟ ବାବୁମାନଙ୍କ ଘରକୁ ବୁଲିଯାଏ । ଅନେକ ସମୟରେ ଅନ୍ୟ ଭଦ୍ରପରିବାରିର ସ୍ତ୍ରୀମାନେ ମଧ୍ୟ ଆସି ଖରାବେଳେ ତାଙ୍କ ଘରେ ଗହଳି ଲଗାନ୍ତି । ହସ ଖୁସିରେ ଘର ଉଛୁଳି ପଡ଼େ ।

 

ମହେନ୍ଦ୍ରବାବୁ ପୁରୀ ଛାଡ଼ିବାର ଠିକ୍‍ ଛ’ଦିନ ସନ୍ଧ୍ୟାବେଳେ ଜଣେ ଦରବୁଢ଼ା ହାତରେ ଖଣ୍ଡିଏ ବାଡ଼ି ଧରି ଦାଣ୍ଡ ଦୁଆର ମୁହଁରେ ଡାକିଲା—ବାବୁ, ଘରେ କିଏ ଅଛ ? ଖବର ଟିକିଏ ଶୁଣି ଯାଆନ୍ତ ! କଟକରୁ ବାବୁ ଖବର ପଠାଇଛନ୍ତି ।

 

ଜହ୍ନ ରାତି । ଟୁନି ସେତେବେଳକୁ ପୁରୀର ଅନ୍ୟ ଏକ ସାହୀର ଜଣେ ବନ୍ଧୁଙ୍କ ଘରକୁ ବୁଲିଯିବାକୁ ଚାକରକୁ ଖଣ୍ଡେ ରିକ୍‍ସା ପାଇଁ ପଠାଇ ଲୁଗା ପିନ୍ଧୁଥିଲା । କଟକରୁ ବାବୁ କ’ଣ ଖବର ପଠାଇଛନ୍ତି ବୋଲି ଶୁଣି ତରତର ହୋଇ ନିଜ ଶୋଇବା ଘରୁ ଆସି ଦାଣ୍ଡମେଲା ପାଖରେ ଠିଆ ହୋଇ କହିଲା—ବାବୁ କ’ଣ ଖବର ଦେଇଛନ୍ତି ?

 

ବୁଢ଼ାଟି ଦାଣ୍ଡମେଲାର ଉପର ପାହାଚ ପର୍ଯ୍ୟନ୍ତ ଉଠି ଯାଇ ବଡ଼ ନରମ ଗଳାରେ କହିଲା—ମା’, ଚିହ୍ନିପାରିବ ନାହିଁ । ବାବୁଙ୍କ ସହିତ ନିତି କଚେରୀରେ ଦେଖା ହୁଏ । ଉତ୍ତମ ଲୋକ-। ହରଚଣ୍ଡୀ ସାଇରେ ମୋ ବସା । ପୁରୀରେ ମୋହରିର ଗିରି କରେ । ବଡ଼ ବଡ଼ ମକଦ୍ଦମା ନେଇ ମୁଁ ଅନେକ ଥର କଟକ ତମ ବାପାଙ୍କ ପାଖକୁ ଯାଇଛି । ତୁମେ ସେତେବେଳକୁ ଏଡ଼ଟିମାନ ହେଇଥାଅ । ବୁଢ଼ା ଟିକିଏ ମୁରବିଆନାଗିରିରେ ହସିବାକୁ ଲାଗିଲା ।

 

ତା’ପରେ ବୁଢ଼ା କହି ଚାଲିଲା—କାଲି କଟକରେ ଅଦାଲତ କଚେରୀରେ ବାବୁଙ୍କ ସହିତ ଦେଖାହେଲା । ଉତ୍ତରପାର୍ଶ୍ଵ ମଠ ମକଦ୍ଦମାରେ କଟକ ଯାଇଥିଲି । ବାବୁଙ୍କୁ ଦେଖି ନମସ୍କାର କଲାରୁ ବାବୁ କହିଲେ—କେବେ ଯିବ ? କହିଲି ଏଇ ଦି’ପହର ଗାଡ଼ିରେ ଯିବି । ସେ ତରତର ହୋଇ ଖଣ୍ଡେ କାଗଜ ପେନ୍‍ସିଲ ଆଣି ଲେଖିଦେଲେ । ତାଗିଦ କରି କହିଲେ, ଚିଠିଟା ଜରୁରୀ । ସନ୍ଧ୍ୟା ସୁଦ୍ଧା ଯେପରି ବସାରେ ପହଞ୍ଚେ । ଏ କଥା କହୁ କହୁ ବୁଢ଼ା ଧରିଥିବା ଚିଠି ଖଣ୍ଡିକ ତାଙ୍କ ସ୍ତ୍ରୀ ହାତକୁ ବଢ଼ାଇଦେଲା ।

 

ଟୁନି ଚିଠି ଖଣ୍ଡିକ ଧରି ନରମ ଗଳାରେ ପଚାରିଲା—ବାବୁ କେବେ ଆସିବାକୁ କହୁଥିଲେ-?

 

ବୁଢ଼ା କହିଲା ନା ମା’ ମୁଁ କିଛି ପଚାରି ନାହିଁ । ସେ ଭାରି ତରତର ହେଉଥିଲେ । ଭାରି କାମ କ’ଣ ପଡ଼ିଛି । ହଁ ମା’ ଏଇ ସୁନା ଜିନିଷ କ’ଣ ନିଅ । ବାବୁ କହିଛନ୍ତି, କାହା ବାହାଘର କୁ ନିଶ୍ଚୟ ଯିବ, ଟଙ୍କା ବନ୍ଦାଣ ଦେବ । ମୁଁ ଯାଉଛି ମା’, ଦିହ ଭଲ ନାହିଁ ।

 

ବୁଢ଼ା ବାଟେ ବାଟେ ଫେରିଗଲା । ଟୁନି ତରତରରେ ଚିଠି, ସୁନାମୁଦିଟି ଧରି ଶୋଇଲା ଘରକୁ ଯାଇଁ ଖୋଲି ପଢ଼ିଲା ।

 

ପେନ୍‍ସିଲରେ ତରବରିଆ ଲେଖା ହୋଇଛି ।

 

ଟିକିଏ ସମୟ ନ ଥିବାରୁ ଚିଠି ଦେଇ ପାରିନାହିଁ । ଆଜି ହଠାତ୍ ବାହାଘର କଥା ମନେ ପଡ଼ିବାରୁ ଲୋକ ପଠାଉଥିଲି । କିନ୍ତୁ କଚେରିରେ ମଦନ ମୋହରିରଙ୍କ ଦେଖା ହେବାରୁ ସେ ଦି’ପହର ଗାଡ଼ିରେ ଯାଉଛନ୍ତି ଶୁଣି ଚିଠି, ସୁନାମୁଦିଟି ପଠାଇଲି ।

 

ହୀରାଗୋହିରୀ ସାହି ଅମୂଲ୍ୟବାବୁଙ୍କ ସାନଝିଅ ଲତାର ଆଜି ବାହାଘର । ଲତାର ଭାଇ ମୋର ଅନ୍ତରଙ୍ଗ ବନ୍ଧୁ । ସେମାନେ ବଙ୍ଗାଳି ହେଲେବି ଖୁବ୍ ମେଳାପି । ଆଜି ସନ୍ଧ୍ୟାବେଳେ ତୁମକୁ ନେବା ପାଇଁ ମଟର ପଠାଇବେ ବୋଲି ଅମୂଲ୍ୟବାବୁଙ୍କ ସ୍ତ୍ରୀ ମୋତେ ବାରମ୍ବାର କହିଥିଲେ-। ଲତାକୁ ଦେଖି, ପଠାଇଥିବା ମୁଦିଟି ପିନ୍ଧାଇ ଦେବ । ମୁଦିଟି କିଣିବାକୁ ୪୫ ଟଙ୍କା ପଡ଼ିଲା । ମୁଁ ଜାଣେ ସେ ନିଶ୍ଚୟ ମଟର ପଠାଇବେ । ଚାକରକୁ ସାଙ୍ଗେ ନେଇ ଯିବ । ରହିବାକୁ ବାଧ୍ୟ କଲେ ଏକୁଟିଆ ଘର ବୋଲି କହି ଫେରି ଆସିବ । ମୁଁ ପ୍ରାୟ ଚାରି ପାଞ୍ଚଦିନ ପରେ ଫେରି ଆସିବି ।

 

ଟୁନି ଚିଠିଟି ପଢ଼ିସାରି ମହେନ୍ଦ୍ରବାବୁ ଲତାକୁ ଉପହାର ଦେବା ପାଇଁ ପଠାଇଥିବା ସୁନ୍ଦର ସୁନାମୁଦିଟି ଦେଖୁ ଦେଖୁ ଚାକର ରେକ୍‍ସା ଆଣି ପହଞ୍ଚିଲା । ଦାଣ୍ଡରେ ରେକ୍‍ସା ରହିବା ଶବ୍ଦ ଶୁଣି ତାରି ଶୋଇବା ଘରୁ ଚାକରକୁ ଡାକି କହିଲା—ରେକ୍‍ସା ଫେରାଇ ଦେ । ବୁଲିଯିବା ମୋର ବନ୍ଦ ହେଲା ।

 

ରେକ୍‍ସାବାଲା ପୋଲିସ ବାବୁଙ୍କ ଘର ଜାଣିଥିଲେ ବି ଟିକିଏ ପାଟି କରି କହିଲା—ମା’ ମୁଁ ଅନେକ ବାଟରୁ ଆସିଲିଣି । ଅନ୍ୟ ଗରାଖ ଜୁଟିଥିଲେ, ଖାଲି ବାବୁଙ୍କ ନା ଶୁଣି ଆସିଲି । ସନ୍ଧ୍ୟାବେଳଟାରେ ବଇନି ବି ଗୋଟାଏ ପଇସା ହୋଇନାହିଁ ।

 

ଟୁନି ଘରୁ ଶୁଣାଇ କହିଲା—ଚାରିଟା ପଇସା ଦେଲି, ଯା । ରେକ୍‍ସାବାଲା ଘଣ୍ଟି ଠନ୍ ଠନ୍ କରି ରାସ୍ତା ଉପର ଦେଇ ଚାଲିଗଲା । ଟୁନି ଆଉ ଖଣ୍ଡିଏ ଭଲ ଶାଢ଼ି ଟ୍ରଙ୍କରୁ ଫିଟାଇ ଖଟ ଉପରେ ଥୋଇଲା । ଦି’ ସରିଆ ସୁନାହାରଟି ବେକରେ ନାଇ ଚାକରକୁ କହିଲା—ପାନ ଆଠ ଦଶ ଖଣ୍ଡ ଭାଙ୍ଗି ଦେ । ତୋ ଲୁଗା ପିନ୍ଧିଥା । ମଟର ଆସିଲେ ଅମୂଲ୍ୟବାବୁଙ୍କ ବାହାଘରକୁ ଏଇକ୍ଷଣି ଯିବାକୁ ହେବ ।

 

ଚାକରଟି ଖୁସି ହୋଇ ପାନଭାଙ୍ଗି ବସିଲା ।

 

ପ୍ରାୟ ପଇଁଚାଳିଶ ମିନିଟ ପରେ ନାଲି ରଙ୍ଗର ଏକ ମଟରଗାଡ଼ି ମହେନ୍ଦ୍ରବାବୁଙ୍କ ଦୁଆର ଆଗରେ ଆସି ଅଟକିଲା । ମଟର ଶବ୍ଦ ଶୁଣି ଟୁନି ତରତର କରି ଶାଢ଼ୀଟି ବଦଳି ପକାଇ ଦାଣ୍ଡ ଦୁଆର ମୁହଁରେ ପହଞ୍ଚିଲାକ୍ଷଣି ଜଣେ ଯୁବତୀ ଦାଣ୍ଡ ମେଲା ଭିତରକୁ ପଶିଯାଇ ହସି ହସି ଟୁନିକୁ ନମସ୍କାର କରି କହିଲେ—ମା’ ଅନେକବେଳୁ ତମକୁ ନେଇଯିବା ପାଇଁ ଲଗାଇଲେଣି । ଡ୍ରାଇଭର ମଟର ନେଇ ଅନ୍ୟଆଡ଼େ ଯାଇଥିବାରୁ ଡେରି ହେଲା । ଆସନ୍ତୁ—

 

ଟୁନି ସେହି ଯୁବତୀର ସୁନ୍ଦର ରୂପ, ଆଧୁନିକ ରୁଚିର ସୁନାଗହଣା ଆଡ଼େ ଆଖି ପକାଉ ପକାଉ ହସି ହସି କହିଲା—ଭିତରକୁ ଆସ, ଯିବା ତ ।

 

ଦୁହେଁ ଆଗପଛ ହୋଇ ଟୁନି ଶୋଇବା ଘରକୁ ଗଲେ । ଟୁନି, ଆସିଥିବା ଯୁବତୀକୁ ଆଦର କରି ଖଟ ଉପରେ ବସାଇଲା । ଦୁହେଁ ଯାକ ଗପସପ ହେଉ ହେଉ ଆସିଥିବା ଯୁବତୀଟି କହିଲେ—ଲତାର ବାହାଘର ହେବ ବୋଲି ମୁଁ ଏଇ ଆଠଦିନ ହେଲା ମୋଟେ ଶୁଣିଲି । ଧରାକୋଟ ଷ୍ଟେଟର ଆମର ଏ ବାବୁ ଘରୋଇ ମ୍ୟାନେଜର । ଛୁଟି ଆଣିବା ମହା ମୁସ୍କିଲ । ବହୁତ କଷ୍ଟରେ ରାଜା ଆଠଦିନ ଛୁଟି ଦେଇଛନ୍ତି । ମୁଁ ତ ଗଲା ପଅରଦିନ ଆସି ପହଞ୍ଚିଛି । ତମବାବୁ ଏଠିକୁ ଆସିବା ଆଗରୁ ମୋର ବାହାଘର ହୋଇଥିଲା । ମୁଁ ଲତାର ବଡ଼ ଭଉଣୀ, ମୋ ନାଁ ଆରତୀ-। ମୁଁ ଆସିବାର ଏଇ ଦି’ଦିନ ଭିତରେ ଭାଇଙ୍କ ସହିତ ତମ ବାବୁଙ୍କର ଯେ କି ଭାବ ତାହା ମୁଁ ସବୁ ଶୁଣିଛି-। ଆସ ଯିବା, ମଟର ପୁଣି ଅନ୍ୟଆଡ଼େ ଯିବ ।

 

ଟୁନି ଆରତୀ ହାତକୁ ପାନ ଚାରିଖଣ୍ଡ ବଢ଼ାଇ ଦେଇ ମୁରୁକି ହସି କହିଲା—ଆସ, ମତେ ଯେପରି ଘଣ୍ଟାକ ଭିତରେ ଛାଡ଼ି ଦେଇ ଯିବ ! ତମ ଘରକୁ ଯିବା କଥା ଆଜି ମୁଁ ଜାଣିଲି । ବାବୁଙ୍କର ବାହାଘର କଥା ମୋଟେ ମନେ ନ ଥିଲା । ଆଜି କଟକରୁ ଜଣେ ଲୋକ ପଠାଇ ତମ ଘରକୁ ଯିବା କଥା ଲେଖିଛନ୍ତି ।

 

ଆରତୀ ପାନ ଚାରିଖଣ୍ଡ ଅଣ୍ଟାରେ ଖୋସି ଖଟ ଉପରୁ ଓହ୍ଲାଇ ଆସିଲା ।

 

ଟୁନି କହିଲା—ପାନ ଖାଇଲ ନାହିଁ ?

 

ଆରତୀ ହସିଦେଇ କହିଲା—ମୁଁ ପିଲାଦିନୁ ପାନ ଖାଏ ନାହିଁ ।

 

ଟୁନି, ଆରତୀ ଦୁହେଁଯାକ ବାରଣ୍ଡାକୁ ଆସିଲେ । ଟୁନି କହିଲା, ମଟରକୁ ଚାଲ, ମୁଁ ପିଉସୀଙ୍କୁ କବାଟ ଦେଇଯିବା ପାଇଁ ଠାକୁର ଘରେ କହି ଦେଇ ଆସୁଛି ।

ପ୍ରାୟ ଦୁଇମିନିଟ ପରେ ଚାକର ସହିତ ଟୁନି ଆସି ମଟର ପାଖରେ ପହଞ୍ଚିଲାକ୍ଷଣି ଆରତୀ କହିଲା—ତମେ ଏଇଠିକୁ ଆସ । ସେ ପିଲାଟି ଆଗରେ ବସୁ ।

ଟୁନି ମଟରରେ ବସିବାକ୍ଷଣି ଡ୍ରାଇଭର ସହରର ଲୋକଗହଳି ବାଟ ନ ଦେଇ ସମୁଦ୍ର କୂଳେ କୂଳେ ନିରୋଳା ରାସ୍ତା ଦେଇ ଆଗକୁ ଛୁଟାଇ ଦେଲା । ଆରତୀ କହିଲା, ଏଇବାଟ ଦେଇ ସୁନାର ଗୌରାଙ୍ଗ ପାଖରେ ଜଣେ ଓକିଲ ବାବୁଙ୍କର ସ୍ତ୍ରୀ ଓ ଝିଅଙ୍କୁ ମଧ୍ୟ ନେଇଯିବା । ଠାକୁର ଦର୍ଶନ ବି ହେବ ।

ଟୁନି କହିଲା, ହେଉ ।

କିଛି ବାଟ ଗଲାପରେ ଆରତୀ ପଚାରିଲା—ତମ ପାଖରେ ଲବଙ୍ଗ ଅଛି ?

ଟୁନି କହିଲା—ନା, ବସାରେ ଥିଲା । ମନେ ପକାଇଥିଲେ ନେଇ ଆସିଥାନ୍ତି ।

ଆରତୀ କହିଲା—ଆଚ୍ଛା, ଆଗରେ ଯେଉଁ ଆଲୁଅ ଦିଶୁଛି, ସେଇଠୁ କିଣି ନେବା ।

ମଟର ଅଳ୍ପବାଟ ଗଲାପରେ ଆଲୁଅଟି ନିକଟ ହେବାରୁ ଆରତୀ ଡ୍ରାଇଭରକୁ କହିଲା–ଟିକିଏ ମଟର ଅଟକେଇ ଦିଅ । ଟୁନି ଦେଈଙ୍କ ଟୋକାଟି ଚାରି ପଇସାର ଲବଙ୍ଗ ନେଇ ଆସୁ-! ଆରତୀ ଚାରି ପଇସା ସେଇ ପିଲାଟି ହାତକୁ ବଢ଼ାଇ ଦେଲା ।

ପିଲାଟି ମଟରରୁ ଓହ୍ଲାଇବା ସଙ୍ଗେ ସଙ୍ଗେ ଡ୍ରାଇଭର କହିଲା—ତୁ ଲବଙ୍ଗ ନେଇ ଏଇଠି ଠିଆହୋଇ ଥା । ଜହ୍ନରାତି ଡର କ’ଣ, ଲୋକେ ସମୁଦ୍ରକୂଳରେ ବୁଲାଚଲା କରୁଛନ୍ତି । ଆମେ ଏଇ ସୁନାର ଗୌରାଙ୍ଗ ପାଖରୁ ଓକିଲବାବୁଙ୍କ ସ୍ତ୍ରୀଙ୍କୁ ନେଇ ଫେରି ଆସୁଛୁ ।

 

ଚାକର ଟୋକାଟି ରହି ରହି କହିଲା—ହଉ ।

 

ଡ୍ରାଇଭର ଆଉ କିଛି ନ କହି ମଟର ଖୁବ୍ ଜୋରରେ ଛୁଟାଇ ଦେଲା ।

 

ପ୍ରାୟ ପାଞ୍ଚମିନିଟ ପରେ ଗୋଟିଏ ନିଛାଟିଆ ଜାଗାରେ ମଟର ଯାଇଁ ଅଟକିଲା । ଆଗରେ କେତେଟା ବରଗଛ । ସେ ଗଛ ଆଗରେ ଗୋଟିଏ ବେ ମରାମତି ଭାବରେ ପଡ଼ି ରହିଥିବା ଏକମହଲା କୋଠା ।

 

ମଟର ଅଟକିବା ସଙ୍ଗେ ସଙ୍ଗେ ଆରତୀ କହିଲା—ମୁଁ ସେମାନଙ୍କୁ ଡାକି ଆଣୁଛି, ତମେ ବସ ।

 

ଟୁନି ଆଶ୍ଚର୍ଯ୍ୟ ହେଲାପରି କହିଲା—ଏ ଭଙ୍ଗା ଘରେ କ’ଣ ଓକିଲବାବୁ ରହନ୍ତି ନା କ’ଣ-?

 

ଆରତୀ ହସିଦେଇ କହିଲା—ଏ ଭଡ଼ାଘର । କଲିକତାର ଜଣେ ବଙ୍ଗାଳି ଭଦ୍ରଲୋକଙ୍କର-। ୟା ଭିତରେ ଭଲ ଘର ଅଛି । ଦାଣ୍ଡ ପାଖଟା କେବଳ ମରାମତି ନ ହୋଇ ଏପରି ପଡ଼ିଛି ।

 

ଆରତୀ ସେହି କୋଠାର ଦରଜା ଦେଇ ଭିତରକୁ ପଶିଗଲା । ପ୍ରାୟ ଦୁଇ ତିନି ମିନିଟ ପରେ ଆରତୀ ସହିତ ଆଉ ଜଣେ ସ୍ତ୍ରୀଲୋକ ଫାଟକ ପାଖକୁ ଆସି ହସ ହସ ଗଳାରେ ଡାକି କହିଲା—ତମ ବାବୁଙ୍କୁ ଆମ ଘରେ ସମସ୍ତେ ଭଲ କରି ଚିହ୍ନନ୍ତି । ଭିତରକୁ ଆସ । ଓକିଲବାବୁଙ୍କ ବୋହୂ, ଆପଣଙ୍କୁ ପାଛୋଟି ନେବାପାଇଁ ଆସିଛନ୍ତି । ସେମାନେ ଲୁଗାପଟା ପିନ୍ଧୁଛନ୍ତି, ଟିକିଏ ଡେରି ହେବ ।

 

ଟୁନି ଯିବାକୁ ଇଚ୍ଛା କରୁ ନ ଥିଲେ ବି ଭଦ୍ରତା ଖାତିରିରେ ମଟରରୁ ଓହ୍ଲାଇ ଫାଟକ ପର୍ଯ୍ୟନ୍ତ ଗଲା ।

 

ଆରତୀ ସାଙ୍ଗରେ ଆସିଥିବା ସ୍ତ୍ରୀ ଲୋକଟି ଟୁନିକୁ ଆଦର କରି ଆସ ଆସ କହି ବାଟ କଢ଼େଇ ନେବାକୁ ଲଣ୍ଠନ ଆଣିବା ପାଇଁ ଆଗେ ଆଗେ ଚାଲିଗଲା । ଆରତୀ, ଟୁନି କଥାବାର୍ତ୍ତା ହୋଇ ହୋଇ ଭିତରକୁ ଚାଲିଲେ ।

 

ଟୁନି, ଆରତୀ ସଙ୍ଗରେ କଥାବାର୍ତ୍ତା ହେଉଥିଲେ ବି ଅନ୍ଧାରୁଆ ଅରମା ଜାଗା ଭଙ୍ଗା କୋଠାବାଡ଼ି ଦେଖି କୌଣସି କଥାରେ ଅବିଶ୍ଵାସ କରିବାର କିଛି କାରଣ ନଥିଲେ ବି ତା’ ଜୀବନରେ ଖଣ୍ଡଗିରି ପାହାଡ଼ ତଳେ ଭୀଷଣ ଦୃଶ୍ୟ କଥା ମନେପଡ଼ି ଭୟରେ ଛାତି ଥରି ଉଠୁଥାଏ-

 

କିଛିସମୟ ପରେ ପିଲାଟିଏ ତରବର ହୋଇ ଲଣ୍ଠନ ନେଇ ବାଟ ଦେଖାଇବାକୁ ଆଗେଇ ଆସିଲା । ସେହି ଲଣ୍ଠନ ଆଲୁଅରେ ଦୁହେଁ ଅଧାମିନିଟ ବାଟ ଆଗେଇ ଗଲା ପରେ ପିଣ୍ଡା ପାହାଚ ଉପରକୁ ଉଠିଲାକ୍ଷଣି ଚାକର ଟୋକାଟି ଆଉଜା ହୋଇଥିବା ଦରଜାଟି ଖୋଲି ଦେଇ କହିଲା—ଭିତରକୁ ଆସ ।

 

ଟୁନି ଘର ଭିତରକୁ ପଶିଯାଇଁ ଦେଖିଲା—ସେ କୋଠରିଟି ସେମିତି ଅରମା ହୋଇପଡ଼ିଛି । ସେଠି ଯେ ମଣିଷ, ବିଶେଷତଃ ଜଣେ ଓକିଲବାବୁ ଅଛନ୍ତି, ଏ କଥା କେହି ଭାବି ପାରିବନାହିଁ । ଟୁନିର ଲୋମମୂଳ ଟାଙ୍କୁରି ଉଠିଲା ।

 

ସେହି କୋଠରି ପରେ ଆଉ ଗୋଟିଏ କୋଠରି । ସେ କୋଠରିର ଭଙ୍ଗା କବାଟ ବି ଆଉଜା ହୋଇଛି । ଚାକର ଟୋକାଟି ସେ ଦରଜା ପାଖରେ ହେଲାବେଳକୁ ଟୁନିର ଇଚ୍ଛା ହେଉଥିଲା, ପଚାରନ୍ତା ଏଇ କ’ଣ ଓକିଲବାବୁଙ୍କ ଘର ? ଏତେ ଭିତରେ ଇମିତି ଭୟଙ୍କର ଜାଗାରେ କିମିତି ସେମାନେ ଏଠି ଅଛନ୍ତି ? କିନ୍ତୁ ଏ ନିର୍ଜନ ଜାଗାରେ ପୁଣି ଏ ଭଙ୍ଗା ଘର ଭିତରେ କିଛି ପଚାରିବାକୁ କାହିଁକି ଟୁନିର ସାହାସ ହେଲା ନାହିଁ । ସେତେବେଳକୁ ଗୋଟାଏ ଅଜଣା ଭୟରେ ତା’ର ଛାତି ଉଠୁଥିଲା ପଡ଼ୁଥିଲା । ଆରତୀ ବି ନୀରବ । ଟୁନି ର ଗୋଡ଼ ଥରୁଥିଲା ।

 

ପିଲାଟି ପୁନର୍ବାର ଅନ୍ୟ କୋଠରିର ଦରଜା ଖୋଲିଦେବା ସଙ୍ଗେ ସଙ୍ଗେ ଟୁନି ପଛରେ ଆରତୀ ରହି ହସି ହସି କହିଲା—ଚାଲ ଟୁନିଦେଈ ଭିତରକୁ ଚାଲ । ୟାରି ଭିତରେ ବାହାଘର ହେଉଛି ।

 

ଟୁନିର ବୁଝିବାରେ ଆଉ କିଛି ବାକି ନଥିଲା । ଆରତୀଠାରୁ ପରିହାସ କଥା ଶୁଣୁ ଶୁଣୁ ତା’ ଦେହରୁ ଝାଳ ବୋହି ଗୋଡ଼ ଥରୁଥିଲା, ସତେ ଯେମିତି ଏହିକ୍ଷଣି ତା’ ପ୍ରାଣ ଛାଡ଼ିଯିବ ।

 

ଟୁନି ଦରଜା ଏ ପାଖରେ ନିର୍ବାକ୍ ହୋଇ ଛିଡ଼ା ହୋଇଯିବାରୁ ଆରତୀ ପଛପଟରୁ ଏକରକମ ଠେଲିଲା ପରି ଟୁନିକୁ ଆରପଟକୁ ଘେନିଗଲା ।

 

ସେହି କୋଠରି ଭିତରେ ଗୋଟିଏ ଲଣ୍ଠନ ଆଲୁଅ ମଝିରେ ରଖି ଚାରିଜଣ ଗୁଣ୍ଡା ଶ୍ରେଣୀର ଲୋକ ମଦ ପିଇବାରେ ବ୍ୟସ୍ତ । ପାଖରେ ଚାରିପାଞ୍ଚଟା ହାତେ ହାତେ ଲମ୍ବର ଛୁରି ପଡ଼ି ଚିକ୍‍ଚିକ୍‍ ମାରୁଛି ।

 

ଭୟରେ ଟୁନିର ଶରୀର ଅବଶ ହୋଇ ପଡ଼ୁଥିଲେ ସୁଦ୍ଧା, ଏ ବିଭତ୍ସ ଦୃଶ୍ୟ ଦେଖି ଗୋଟାଏ ହୋସ୍‍ରେ ଚିତ୍କାର କରି ଉଠିଲା ।

 

ମଦ ପିଇ ମାତାଲ ହୋଇଥିବା ଜଣେ ଲୋକ ବିଦ୍ରୂପରେ ହସି ଉଠିଲା । ତା’ ଭିତରୁ ଦି’ଜଣ ସାଙ୍ଗେ ସାଙ୍ଗେ ଦୁଇଟା ଛୁରି ଘେନି ଟୁନି ପାଖକୁ ଛୁଟି ଆସି ତା’ର ମୁଁହ ପାଖରେ ନିଶମୋଡ଼ି ମୁଁହ ହଲାଇ କହିଲେ—ଏଇ ଟୁନି ନା ? ୟା’ରି ଗେରସ୍ତ ମହେନ୍ଦ୍ରବାବୁ ଆମର ସତ୍ୟାନାଶ କରିଛି । ତା’ ପରେ ଜଣେ ଛୁରୀଟାକୁ ଟୁନି ଛାତି ପାଖରେ ଲହ ଲହ କରି କହିଲା—ଆଉ ଯଦି ପାଟି କରୁ, ତାହାହେଲେ ଏଇ ହାତେ ଲମ୍ବର ଛୁରି ଛାତି ଭିତରକୁ ସମୁଦାୟ ଚାଲିଯିବ ।

 

ଟୁନିର ଆଉ ଠିଆ ହେବାର କିମ୍ବା ଆଉ କିଛି ଦେଖିବାର କି ଶୁଣିବାର ଶକ୍ତି ନ ଥିଲା । ସେ ସେହି ମୁହୂର୍ତ୍ତରେ ନଥ କରି ତଳେ ବସିପଡ଼ିଲା । ଟୁନି ଅଚେତନ ହୋଇ ପଡ଼ିବାର କେତେ ସମୟ ବିତିଯାଇଛି । ଜଣେ କେହି ଟୁନି ମୁଁହରେ ପାଣି ମାରି ଡାକିଲା—ଟୁନି ଦେଈ, ଉଠ ଘରକୁ ଯିବ ପରା ।

 

ପ୍ରାୟ ଦୁଇମିନିଟ ପରେ କାହାର ଚିହ୍ନାସ୍ଵର ଶୁଣି ଟୁନି ଗୋଟାଏ ହୋସରେ ଆଖିମେଲି ଅନାଇଲା । ଜଣେ ସ୍ତ୍ରୀଲୋକ ତା’ ପାଖରେ ବସି ତାକୁ ଉଠିବାକୁ ଡାକୁଛି ।

 

ଟୁନି ଦୋ ଦୋ ଚିହ୍ନା ହୋଇ ତା’ରି ମୁଁହ ଆଡ଼େ କରୁଣ ଦୃଷ୍ଟିରେ ଚାହିଁ ରହିଲା ।

 

ସେହି ସ୍ତ୍ରୀ ଲୋକଟି କିଛିସମୟ ହସ ହସ ମୁଁହରେ ଟୁନି ମୁଁହ ଆଡ଼େ ଚାହିଁ ରହି କହିଲା–ଚିହ୍ନି ପାରୁନା ଟୁନି ଦେଈ ? ମୁଁ ପରା ମାଳତୀ । ତମ ସ୍ଵାମୀ ଅନେକ ଲୋକଙ୍କୁ ମରାଇଛନ୍ତି-। ମୋତେ ମାରି ପାରି ନାହାନ୍ତି, ମୁଁ ବଞ୍ଚିଛି ।

 

ମାଳତୀ ! ଯିଏ ତାକୁ ଦିନେ ଷଡ଼ଯନ୍ତ୍ରରେ ନେଇ କାଳୀ ଆଗରେ ବଳି ଦେବାପାଇଁ ଅରଗଳିରେ ତା’ରି ବେକକୁ ପୂରାଇଥିଲା ! ସେହି ମାଳତୀ । ଟୁନି ଆହୁରି ଜୋରରେ ଥରିବାକୁ ଲାଗିଲା ।

 

ମାଳତୀ, ଟୁନିକୁ ଏପରି ଦେଖି ହସି ହସି କହିଲା—ଇମିତି ହେଲେ ଆଉ କ’ଣ ହେବ-? ଏଇକ୍ଷଣି ତମର ଆଉ କୌଣସି ବିପଦ ନାହିଁ । ଦେଖୁନା, କିମିତି ସମସ୍ତେ ମଉଜ ମଜଲିସ୍ କରୁଛନ୍ତି ।

 

ଟୁନି ଅନେକକ୍ଷଣ ନିର୍ଜୀବ ଭଳି ପଡ଼ି ରହିବା ପରେ ତାର ଖିଆଲ ହେଲା, ଗଲା କେତେକ୍ଷଣ ଆଗରୁ ଯେଉଁ ମାତାଲମାନେ ଏ ଘରେ ଥିଲେ ସେମାନେ ଆଉ ନାହାନ୍ତି ତ । ଟୁନି କନ କନ ହୋଇ ଘରର ଚାରିଆଡ଼କୁ ଚାହିଁଲାକ୍ଷଣି ଦେଖିଲା—ସେହି ମାତାଲଙ୍କ ମଝିରେ ଆରତୀ ବସିଛି, ସେଥିଭିତରୁ ଜଣେ ମାତାଲ ଢଳି ଢଳି ନିଜ ହାତରେ ଆରତୀକୁ ମଦ ପିଆଇ ଦେଉଛି । ଟୁନି ଭୟରେ ଆଖି ଫେରାଇ ଆଣିଲା ।

ଟୁନି ଆଖି ଫେରାଇ ଆଣିବାରୁ ମାଳତୀ ହସିଦେଇ କହିଲା, ଦେଖୁଛ ଟୁନି ଦେଈ । କିପରି ମଉଜ ମଜଲିସ୍ । ତମେ ମହେନ୍ଦ୍ରବାବୁଙ୍କୁ ଭୁଲିଯାଅ । ଏଇକ୍ଷଣି ଆମେ ଅନ୍ୟଆଡ଼େ ଯିବା-। ଯଦି ଭୋକ କରୁଛି, କିଛି ଖାଇ ନିଅ ।

ଟୁନି ଆଗପଛ ଭୁଲି କେବଳ କାନ୍ଦିବାକୁ ଲାଗିଲା । ମାଳତୀ ଟୁନି ସାଙ୍ଗରେ କଥା କହୁଥିବାରୁ ସେ ମାତାଲଙ୍କ ଭିତରୁ ଆରତୀ ଉଠି ଆସି ନିର୍ଲଜୀଙ୍କ ପରି କହିଲା—ଟୁନି ଦେଈ, ତମ ସ୍ଵାମୀ ଭାରି ସିଆଣିଆ ବୋଲି ଆମ ଦଳକୁ ଧରିବାକୁ ଯାଇଛନ୍ତି । ଏଣେ ନିଜର ମାଇପ ଚୋରୀ ହେଇଗଲାଣି । ଭାରି ମଜା କଥା । ତା’ ପରେ ମନକୁ ମନ ବେଦମ ହୋଇ ହସିବାକୁ ଲାଗିଲା ।

ଟୁନିର ମନ ତା’ ପ୍ରତି ରାଗ ଘୃଣାରେ ଜଳି ଯାଉଥିଲେ ବି ଆଉ ଉପାୟ କ’ଣ ? କେବଳ ଆଖିରେ ଲୁହ ଢାଳି ମଲାଙ୍କ ପରି ପଡ଼ିରହିଲା ।

ହଠାତ୍ ବାହାରେ ଦରଜାରେ ଖଟ୍ ଖଟ୍ ଫୁସ୍ ଫୁସ୍ କଥା ଶୁଣି ସେହି ମାତାଲଙ୍କ ଭିତରୁ ଜଣେ ଯାଇ କବାଟ ଫିଟାଇ ଦେଲା । ସେ ଆଉ କେହି ନୁହେଁ, ସେହି ଦଳର ମଟର ଡ୍ରାଇଭର । ସିଧା ଦରଜା ପରେ ଦରଜା ଦେଇ ସମସ୍ତେ ଥିବା କୋଠରିକୁ ପଶିଆସି ଟୁନିକୁ ଦେଖି ପକାଇ କହିଲା—ଠିକ୍ ହୋଇଛି । ଖାଲି ବାକି ରହିଲା, ସେଇ ବଦମାସ ଗୋଇନ୍ଦା ପୋଲିସ ମହେନ୍ଦ୍ର ! ତାକୁ ଯେଉଁଦିନ ଅଣା ହେବ, ସେଦିନ ଯାଇ ମୋ ମନରେ ଶାନ୍ତି । ମୋରି ନିଜ ହାତରେ କାଳୀ ଆଗରେ ତା’ ବେକକୁ ମୁଁ ଛିଣ୍ଡାଇ ଦେବି ।

ଟୁନିର ଅନ୍ତର ଏହି ନିଷ୍ଠୁର କଥାରେ ଶିହରି ଉଠିଲା ସତ, କିନ୍ତୁ ଆଉ କିଛି ଭାବିବାର ଭାବନା ଶକ୍ତି ତାର ଲୋପ ହେଇଯାଇଥିଲା ଯେପରି ।

 

ତା’ପରେ ସେହି ଡ୍ରାଇଭର କହିବାକୁ ଲାଗିଲା—ଡେରି କାହିଁକି ? ସମୁଦ୍ରକୂଳ ନିଶୂନ ହୋଇ ଆସିଲାଣି । ମୁଁ ମଟର ନେଇ ସମୁଦ୍ର ପାଖ ରାସ୍ତାରେ ରଖିଛି । ବେଶି ଡେରି ହେଲେ ପହରାବାଲା ପୋଲିସ କିଛି ପଚାରି ପାରେ । ଚଞ୍ଚଳ ଯିବାକୁ ଠିକ୍ ହୁଅ । ଆମ ସର୍ଦ୍ଦାରଜୀ ଯାହା କରିବାକୁ କହିଥିଲେ ତାହା ଠିକ୍ ଠିକ୍ ହୋଇ ଯାଇଛି ତ ?

 

ସେହି ଦଳର ଜଣେ ମାତାଲ, ଡ୍ରାଇଭର ହାତ ଧରି ଅନ୍ୟ ଗୋଟେ କୋଠରିକୁ ଟାଣିନେଇ କହିଲା—ଦେଖ, ସେ କାମ କ’ଣ ବାକି ଅଛି ? ଦି’ପ୍ରହରେ ସବୁ ଠିକ୍ ଠିକ୍ ହୋଇଯାଇଛି, କେବଳ ଏଇ ଟୁନିକୁ ଅଚେତନ କରିଦେଲେ, ଅନ୍ୟ ବାକି କାମତକ ଶେଷ ହୋଇଯିବ । ତା’ପରେ ସମସ୍ତେ ଚାଲିଯିବା । ରାତି ଏଗାରଟା ସୁଦ୍ଧା ଠିକଣାରେ ପହଞ୍ଚିଲେ ହେଲା-। ତମର ଖାଇବା ଜିନିଷ ସେଠି ରଖାଯାଇଛି, ଆଗେ ଖାଇ ଦିଅ ।

 

ସେହି ଦଳର ଡ୍ରାଇଭର ଜଣକ ବି ସେହି କୋଠରିର ଭୟାବହ ଦୃଶ୍ୟ ଦେଖି ପ୍ରଥମେ ଚମକି ଉଠିଲା । ତା’ପରେ ଖୁସି ହୋଇ କହିଲା—ପୋଲିସର ସାଧ୍ୟ ନାହିଁ ଏକଥା ବୁଝିବାକୁ । ଠିକ୍ ହୋଇଛି ।

 

ଡ୍ରାଇଭର ଖାଇ ସାରି କହିଲା—ଆଉ ଡେରି କରି ହେବ ନାହିଁ । ଆମ ପିଲାଟିକୁ ମଟରରେ ବସାଇ ଦେଇ ଆସିଛି । କିଏ ପଚାରିଲେ କ’ଣ ଉତ୍ତର ଦେବାକୁ ହେବ ତାହା ମଧ୍ୟ ବତାଇ ଦେଇ ଆସିଛି । ଏଥର କାମ ସାର ।

 

ତା’ପରେ ଆରତୀ ହାତକୁ ଡ୍ରାଇଭର ଗୋଟିଏ ଛୋଟିଆ ବୋତଲ ଓ କିଛି ତୁଳା ବଢ଼ାଇ ଦେଲା । ଆରତୀ ଅଣ୍ଟାରେ ଖୋସିଥିବା ସୁବାସିତ ରୁମାଲଟି କାଢ଼ି ତା’ ଉପରେ ତୁଳାତକ ରଖି ସେହି ତୁଳାରେ ସେହି ଛୋଟ ବୋତଲରୁ ପ୍ରାୟ ତିରିଶ ବୁନ୍ଦା ଶରୀର ଅଚେତନକାରୀ ଔଷଧ ପକାଇ ଦେଇ କହିଲା—ଏଥର ଠିକ୍ ଅଛି, ଚାଲ ।

 

ଆରତୀ ମୁଁହରୁ କଥା ଶେଷ ହେଲାକ୍ଷଣି ମାଳତୀ ଯାଇଁ ଟୁନି ପାଖରେ ଠିଆ ହେଲା । ଟୁନି ସେମିତି ଆଖି ବୁଜି ତଳେ ପଡ଼ି ଯାଇଥାଏ । ତାର ଦାମିକା ଜରି ଧଡ଼ିଆ ନୀଳଶାଢ଼ିଟି ଧୂଳିରେ ଲୋଟିଥାଏ ଅଯତ୍ନ ଭାବରେ ।

 

ଆରତୀ ଟୁନି ପାଖରେ ପହଞ୍ଚିଲାକ୍ଷଣି, ହଠାତ୍ ମାଳତୀ ଟୁନିର ହାତ ଦୁଇଟାକୁ ଜୋରରେ ମାଡ଼ି ବସିଲା । ଆରତୀ ଟୁନି ମୁଁହରେ ଲୁଗା ପକାଇ ଦେଇ ତୁଳାରେ ଔଷଧ ପଡ଼ିଥିବା ରୁମାଲଟି ତା’ର ନାକ ପାଖରେ ବାରମ୍ବାର ଦେବାକୁ ଲାଗିଲା ।

 

ଟୁନିକୁ ହଠାତ୍ ଏପରି ଭାବରେ କିଏ ମାଡ଼ି ବସିବାରୁ ଏବଂ ତା’ର ନାକ ପାଖରେ ଏପରି କଟୁ ଗନ୍ଧଯୁକ୍ତ କ’ଣ ଔଷଧ ଦିଆଯାଉଥିବାରୁ ସେ ଛାଟିପିଟି ହେବାକୁ ଲାଗିଲା । ତା’ର ଏ ଛାଟିପିଟି ହେବା ଦେଖି ସମସ୍ତେ ହସି ଉଠିଲେ । ପ୍ରାୟ ପାଞ୍ଚମିନିଟ ଯାଏଁ ଟୁନି କେବଳ ବିଳିବିଳେଇ ଉଠୁଥାଏ, ତା’ପରେ ସମ୍ପୂର୍ଣ୍ଣ ଅଚେତ ।

 

X X X

 

ଲବଙ୍ଗ ପାଇଁ ଯାଇଥିବା ମହେନ୍ଦ୍ରବାବୁଙ୍କ ଚାକର ଟୋକାଟି ଲବଙ୍ଗ ଚାରି ପଇସାର ଆଣି ଡ୍ରାଇଭର କହିଯାଇଥିବା ସ୍ଥାନରେ ଠିଆ ହୋଇ ରହିଲା । ସେହି ବାଟ ଦେଇ ଘଣ୍ଟାକ ପରେ ଗୋଟିଏ ମଟର ଆସିଲା, କିନ୍ତୁ ପାଖକୁ ଆସିବାରୁ ଜଣାଗଲା, ଯେ ନାଲି ରଙ୍ଗର ନୁହେଁ, ଠିଆ ହୁଆନ୍ତା ବା କାହିଁକି ?

 

ଘଣ୍ଟାଏ ଗଲା, ଦୁଇଘଣ୍ଟା ଗଲା । ସମୁଦ୍ରକୂଳ ନିର୍ଜନ ହୋଇ ଲହଡ଼ିର ଗର୍ଜନରେ ସମୁଦାୟ କୂଳ ଭୟଙ୍କର ହୋଇଉଠିଲା । ତଥାପି କୌଣସି ମଟର ଫେରିଲା ନାହିଁ । ଟୋକାଟି ହତାଶ ହୋଇ ଭାବିଲା, ବୋଧହୁଏ ସେମାନେ ତାକୁ ନ ନେଇ ଚାଲିଗଲେ । ସେ ଆଉ ବୃଥାରେ କାହିଁକି ଅପେକ୍ଷା କରି ବସି ରହିବ ? ବସାକୁ ଫେରିଯିବ ।

 

ଚାକର ଟୋକାଟି ବସାରେ ଆସି ପହଞ୍ଚିଲା ବେଳକୁ କଚେରୀ ଘଣ୍ଟାରେ ସାଢ଼େ ବାରଟା ବାଜିଲା । ଦିନାକୁ ଏକୁଟିଆ ଦେଖି ମହେନ୍ଦ୍ରବାବୁଙ୍କ ପିଉସୀ ପଚାରିଲେ—କିରେ, ତୁ ଏକୁଟିଆ ପଳେଇ ଆସିଲୁ କାହିଁକି ? ମା’ ସଙ୍ଗରେ ଆସିବାକୁ ରହିଲୁନି ? ଗୋଟାଏ ଆସି ବାଜିବ, ମା’ ଆସିବାକୁ ଆଉ କେତେ ଡେରି ହେବ ?

 

ଦିନା କେମିତିକା ଭୟମିଶା ଗଳାରେ କହିଲା—ସମୁଦ୍ରକୂଳରେ ମା’ଙ୍କୁ ଯେଉଁ ବାବୁଆଣୀ ନେବାକୁ ଆସିଥିଲେ—ସେ ଲବଙ୍ଗ ଚାରି ପଇସାର ଆଣିବାକୁ ପାଖ ଦୋକାନକୁ ପଠାଇଲେ । ମୁଁ ମଟରରୁ ଓହ୍ଲାଇଲାକ୍ଷଣି ଡ୍ରାଇଭର କହିଲା—ତୁ ଲବଙ୍ଗ ଘେନି ଏଇଠି ଆସି ଠିଆ ହୋଇଥିବୁ, ଆମେ ଆଗରୁ ଜଣେ ଓକିଲବାବୁଙ୍କ ଘରୁ ତାଙ୍କ ପିଲାପିଲିଙ୍କୁ ନେଇ ଆସୁଛୁ । ମୁଁ ଲବଙ୍ଗ କିଣି ସେଇଠି ବସିଛି । ଚାରିଘଣ୍ଟା ବିତିଗଲାଣି, ସେ ମଟର ଆସିଲା ନାହିଁ । ସମୁଦ୍ରକୂଳରେ କେହି ଗୋଟିଏ ହେଲେ ମଣିଷ ନାହାନ୍ତି । ଏକୁଟିଆ ବସି ବସି ବଡ଼ ଡର ଲାଗିବାରୁ ଚାଲି ଆସିଲି-। ସେମାନେ ମତେ ଭୁଲି ଅନ୍ୟ ବାଟେ ଚାଲିଗଲେ କି କ’ଣ ? କ’ଣ ଅଛି ମତେ ଖାଇବାକୁ ଦିଅ ମା’-! ବାହାଘର ଖିରୀ ପିଠା ଖାଇବି ବୋଲି ଆଶାକରି ଭୋକରେ ପେଟ ମୋର ହାଉ ହାଉ ହେଲାଣି-

 

ମହେନ୍ଦ୍ରବାବୁଙ୍କ ପିଉସୀ ଏକଥା ଶୁଣୁ ଶୁଣୁ ବିସ୍ମିତ ହୋଇଲେ ବି ମହେନ୍ଦ୍ରବାବୁଙ୍କ ଚିଠି, ସୁନା ମୁଦି ପଠାଇ ବାହାଘରକୁ ଯିବାକୁ ବାରମ୍ବାର ଲେଖିଥିବାରୁ ପରମୁହୂର୍ତ୍ତରେ ସନ୍ଦେହର କୌଣସି କାରଣ ରହିଲା ନାହିଁ । ତେବେ ଟୁନି ଉପରେ ଚିଡ଼ିଚିଡ଼ି ହୋଇ ମନକୁମନ କହିହେଲେ—ସେ କେମିତିକିଆ ଲୋକ କେଜାଣି, ଏକୁଟିଆ ନୂଆଜାଗାକୁ ଯିବାକୁ ଟିକିଏ ହେଲେ ଶଙ୍କା ନାହିଁ । ସେମାନେ ବି କିପରି ଲୋକ, ଜଣକୁ ବାଟରେ ଠିଆ କରାଇ ଦେଇ ମଟର ନେଇ ଚମ୍ପଟ । କେତେବେଳେ ଆଣି ଛାଡ଼ିଦେଇ ଯାଉଛନ୍ତି, ଦେଖାଯାଉ ।

 

ଚାକର ଟୋକାଟି ଖାଇସାରି ଦାଣ୍ଡମେଲାକୁ ଶୋଇବାକୁ ଆସିଲା । ମହେନ୍ଦ୍ରବାବୁଙ୍କ ପିଉସୀ ତାଙ୍କ କୋଠରିକୁ ଶୋଇବାକୁ ଗଲାବେଳେ ଡାକି କହିଲେ—ଚେଇଁ ଶୋଇବୁ ଦିନା ! ମୁଁ ବି ଚେଇଁ ଶୋଇଛି ! ମଟର ଆସିଲାକ୍ଷଣି କବାଟ ଫିଟାଇଦେବୁ ।

 

ଦିନା କହିଲା—ହଉ ମା’, ମୁଁ ଚେଇଁ ଶୋଇଛି । ଶୋଇଥିଲେ ମଧ୍ୟ ମଟର ପେଁ ପେଁ ଶବ୍ଦରେ ମୋ ନିଦ ଭାଙ୍ଗିଯିବ । ପୁଲିସ୍‍ବାଲା ବେଞ୍ଚ ଉପରେ ଶୋଇଛି । ତାଙ୍କ ନିଦ ତ ଆହୁରି ପତଳା ।

 

ଦିନା ମେଲାରେ ତା’ ବିଛଣା ଖଣ୍ଡକ ପାରିଲାବେଳକୁ ଜଗି ଶୋଇଥିବା କନେଷ୍ଟବଳ ଗୋପାଳ ସିଂହ ନିଦରେ ଗରଗର ହୋଇ ପରିସ୍ରା କରିଯିବାକୁ ଉଠି ବସି କହିଲା—କିରେ ଦିନା ! ବାହାଘର ଭାତ ଖାଇ ଏଇକ୍ଷଣି ଫେରିଲୁ ନା କ’ଣ ? ନିଦଟା ଆଜି ବେଶି ହୋଇଗଲା । ତମେ ସବୁ କେତେବେଳୁ ଆସିଲଣି, ମୁଁ ଜାଣିନାହିଁ ।

 

ଦିନା ହସିଦେଇ କହିଲା—ବାହାଘର ଖିରୀ ପିଠା କଥା ଆଉ କ’ଣ କହିବି ? ହେଇତ ଏହିକ୍ଷଣି ସମୁଦ୍ରକୂଳେ ବସି ବସି ଚାଇଁପଖାଳ ଦିଟା ପିଉସୀ ମା’ଙ୍କୁ ମାଗି ଖାଉଛି । ମା’ କ’ଣ ଏ ପର୍ଯ୍ୟନ୍ତ ଫେରିଲେଣି ।

 

ଗୋପାଳ ସିଂହ ଦାଣ୍ଡ କବାଟ ଫିଟାଇ ବାହାରକୁ ଯାଉଁ ଯାଉଁ କହିଲା—କିରେ ଚାଇଁପଖାଳ କ’ଣ ? ରହ ରହ, ବାହାରୁ ଆସେ, କଥା କ’ଣ ଶୁଣିବା ।

 

ଗୋପାଳ ସିଂହ ବାହାରୁ ଫେରି ଆସିଲାବେଳକୁ ତା’ର ନିଦ ପୂରା ଛାଡ଼ିଯାଇଥିଲା । ଘର ଭିତରକୁ ପଶି ଆସି ଭିତରୁ କବାଟ ଦେଉ ଦେଉ କହିଲା—କ’ଣ କିରେ ଦିନା ! ବାହାଘରେ ତୁ ନ ଖାଇ ଉପାସରେ ଆସି ଏଠି ପଖାଳ ଖାଇଲୁ କାହିଁକି ?

 

ଦିନା କହିଲା—ଗୋପାଳ ଭାଇ ତମେ ବସ, ମୁଁ ସବୁ କହୁଛି ।

 

ଗୋପାଳସିଂହ ତା’ ବିଛଣାରେ ବସିଲାକ୍ଷଣି ଦିନା ପାନ ଖଣ୍ଡେ ପାଟିରେ ଯାକି ଗୋଟି ଗୋଟି କରି ସବୁ ଘଟଣା କହିଗଲା ।

 

ଗୋପାଳ ସିଂହ ବେଶ୍ ଚତୁର ଲୋକ । ଚାରିଧାଡ଼ି ପାଠପଢ଼ିଥିଲେ କେତେ ସବ୍-ଇନ୍‍ସପେକ୍‍ଟର ତା’ ବୁଦ୍ଧିକୁ ସରି ହୁଅନ୍ତେ ନାହିଁ । ସେ ସବୁକଥା ଶୁଣି ଶୁଣି ଟିକିଏ ବିସ୍ମିତ ହୋଇଥିଲେ ବି ମହେନ୍ଦ୍ରବାବୁ ଯେତେବେଳେ ସୁନା ମୁଦି ପଠାଇ ଯିବାକୁ କହିଛନ୍ତି, ସେଥିରେ ତା’ର ବିଶେଷ କିଛି ସନ୍ଦେହ ରହିଲା ନାହିଁ । ଦିନ କଥା ବନ୍ଦ କଲାରୁ ଗୋପାଳ ସିଂହ କହିଲା—ଭୁଲରେ ବୋଧହୁଏ ମଟର ସିଆଡ଼େ ନେଇ ଯାଇଛନ୍ତି । ତେବେ ଆମ ବାବୁଆଣୀ ଯେତେବେଳେ ଥିଲେ ମନେପକାଇ ଦେଇଥିଲେ ତୋତେ ନ ନେଇ ଛାଡ଼ିଯାଇ ନ ଥାନ୍ତେ । ସେ ବାବୁଙ୍କ ଘର କେଉଁ ସାହି-?

 

ଦିନା କହିଲା ମୁଁ ଦେଖିନାଇଁ । ମା’ କହୁଥିଲେ ହେରାଗୋହରୀ ସାହି କେଉଁ ଅମୂଲ୍ୟବାବୁ ବଙ୍ଗାଳିଙ୍କ ଝିଅର ବାହାଘର । ସେ ବାବୁଙ୍କ ପୁଅ ଆମ ବାବୁଙ୍କର କୁଆଡ଼େ ଭାରି ସାଙ୍ଗ ।

 

ଗୋପାଳସିଂହ ଟିକିଏ ବିସ୍ମିତ ହୋଇ କ’ଣ ମନେ ପକାଇଲା ପରି ଦଣ୍ଡେ ନୀରବ ରହି କହିଲା, ହେରାଗୋହରୀ ସାହି ! କେଉଁ ଅମୂଲ୍ୟବାବୁ ? ସେ ସାହିରେ ତ ମୋର କେହି ବାବୁ ଅଚିହ୍ନା ନାହାନ୍ତି ! ଆଉ କେଉଁ ସାହି ହୋଇଥିବ, ତୋର ମନେ ନାହିଁ ।

 

ଦିନା ବି ଟିକିଏ ଭାବିଲା ପରି କହିଲା—ମୋର ମନେ ପଡ଼ୁଛି ହେରାଗୋହରୀ ସାହି ବୋଲି, ହେଇଥିବା ଆଉ କେଉଁ ସାହି ।

 

ଗୋପାଳ ସିଂହ ବିଛଣା ଉପରେ ଶୋଇ ପଡ଼ୁ ପଡ଼ୁ କହିଲା—ଆଜି ତୁ ସକାଳୁ କାହା ମୁଁହ ଚାହିଁଥିଲୁ କିରେ ? ଏଥର ଶୋଇପଡ଼, ମୁଁ ତ ବିଛଣାରେ ପଡ଼ିଛି । ସଞ୍ଜପହର ନିଦ ହୋଇଗଲା, ଆଉ ଏଣିକି ନିଦ ହେବ ନାହିଁ । ବାବୁଆଣୀ ଏହିକ୍ଷଣି ଫେରି ଆସିବେ, ମୁଁ କବାଟ ଫିଟେଇ ଦେବି ।

 

କଚେରୀ ଘଣ୍ଟାରେ ଠନ୍‍ ଠନ୍‍ ହୋଇ ତିନିଟା ବାଜିଲା । ମହେନ୍ଦ୍ରବାବୁଙ୍କ ପିଉସୀଙ୍କୁ ଚାଉଁ ଚାଉଁଆ ନିଦ ହୋଇ ଭାଙ୍ଗିଯାଉଥାଏ । ଘଣ୍ଟାର ଠନ୍‍ ଠନ୍‍ ଶବ୍ଦରେ ତିନିଟା ବାଜିଲା ଜାଣି କାଳେ ଟୁନି ତାଙ୍କ ଛାଇ ନିଦ ଭିତରେ କେତେବେଳେ ଆସି ଯାଇଥିବ, ବୁଝିବାପାଇଁ ବିଛଣାରୁ ଉଠିପଡ଼ି ସିଧା ଦାଣ୍ଡମେଲାକୁ ଗଲେ । ଦୁଆରମୁଁହରେ ଠିଆ ହୋଇ ଶୁଣିଲେ ଦିନା ଘୁଙ୍ଗୁଡ଼ି ମାରୁଛି-। କବାଟରେ ହାତ ମାରି ଦିନା ଦିନା ବୋଲି ଡାକ ଛାଡ଼ିଲେ । ଦିନା ଜବାବ ଦେବା ଆଗରୁ ଗୋପାଳ ସିଂହ ଜବାବ ଦେଲା—କ’ଣ ମା’ ?

 

ପିଉସୀ ବଡ଼ ନରମ ଗଳାରେ ପଚାରିଲେ—ବୋହୂ କ’ଣ ଏତେବେଳ ଯାଏ ଫେରି ନାହିଁ ପୁଅ ? ତିନିଟା ବାଜିଲାଣି, ସେ କେଉଁ ବଙ୍ଗାଳିଘର କେଜାଣି ମୁଁ ପୁରୀରେ ପାଞ୍ଚବର୍ଷ ହେଲା ରହିଲିଣି, ଦିନେ ହେଲେ ତାଙ୍କ ଘର ସହ ଭାବଲାଭ କଥା ମୁଁ ତ ଜାଣି ନାହିଁ । ଦିନା ସାଙ୍ଗରେ ଥିଲେ ଟିକେ ନିଶ୍ଚିନ୍ତ ରହନ୍ତି । ତାକୁ ବି ସେ ବଙ୍ଗାଳୁଣୀଟା ବାଟରୁ ଓହ୍ଲାଇ ଦେଇ ଯାଇଛି । ମନ ଦକଦକରେ କ’ଣ ନିଦ ମାଡ଼ୁଚି ?

 

ଗୋପାଳ ସିଂହ କବାଟ ଫିଟାଇ ଦେଇ ବିଜୁଳି ଆଲୁଅ ଜାଳି କହିଲା—ଦିନାଠାରୁ ସବୁକଥା ଶୁଣିଲା ବେଳଠୁଁ ମୋ ଆଖିକୁ ବି ନିଦ ନାହିଁ । ମୁଁ ସେଇକଥା ଭାବୁଛି ହେରାଗୋହରୀ ସାହିରେ ତ କେହି ଅମୂଲ୍ୟବାବୁ ବଙ୍ଗାଳି ନାହିଁ । ଠିକ୍‍ କେଉଁଠିକି ଯାଇଛନ୍ତି ଖବର ଜାଣିଲେ ଭଲା ଏଇକ୍ଷଣି ଯାଇଁ ବୁଝି ଆସନ୍ତି । ଆଚ୍ଛା, ରାତି ପାହୁ । ବାହାଘର କଥା, କାଳେ ତାଙ୍କର ବାଧ୍ୟ କରି ଅଟକାଇ ଦେଇଥିବେ ।

 

ମହେନ୍ଦ୍ରବାବୁଙ୍କ ପିଉସୀ ହତାଶିଆ ଭାବ ଦେଖାଇ କହିଲେ—ଆଉ ଏ ତିନିଟା ରାତିରେ ଉପାୟ କ’ଣ ! ସକାଳ ହଉ…

 

ସକାଳ ହେଲା, ତଥାପି ମହେନ୍ଦ୍ରବାବୁଙ୍କ ସ୍ତ୍ରୀ ଫେରିଲେ ନାହିଁ । ପିଉସୀଙ୍କର ବ୍ୟସ୍ତର ସୀମା ରହିଲା ନାହିଁ । ଦିନା ବି ପଡ଼ିଶାଘର ବାବୁମାନଙ୍କୁ ହେରାଗୋହରୀ ସାହିରେ ଅମୂଲ୍ୟବାବୁ କିଏ ପଚାରି ବୁଝିବାରେ ଲାଗି ଯାଇଥାଏ । ଗୋପାଳ ସିଂହ ତାଙ୍କ ବସା ଛାଡ଼ି ଯିବା ଆଗରୁ କହିଗଲା—ମା’, ବ୍ୟସ୍ତ ହୁଅ ନାହିଁ । ମୁଁ ଘଣ୍ଟାକ ଭିତରେ ସବୁ ଖବର ନେଇ ଫେରି ଆସୁଛି ।

 

ଗୋପାଳ ସିଂହ ସକାଳୁ ସିଧା ହେରାଗୋହରୀ ସାହି ଯାଇଁ ତନ୍ନ ତନ୍ନ କରି ବୁଝିନେଲା ଯେ, ଅମୂଲ୍ୟବାବୁ ବୋଲି କେହି ବଙ୍ଗାଳି ସେ ସାହିରେ ନାହିଁ—ବାହାଘର ତ ଦୂର କଥା । ଅନ୍ୟାନ୍ୟ ଆଖପାଖ ସାହିରେ ସେମିତି କୌଣସି ବଙ୍ଗାଳିର କାଲି ବାହାଘର ବି ନ ଥିଲା । ସେତେବେଳକୁ ଗୋପାଳ ସିଂହର କୌଣସି ଦୁର୍ଘଟଣା ଘଟିଛି ବୋଲି ଧାରଣା ହେଲାଣି । ସେ ତରତର ହୋଇ ମହେନ୍ଦ୍ରବାବୁଙ୍କ ଘରକୁ ନ ଯାଇ ସିଧା ଥାନାକୁ ଚାଲିଲା । ସେତେବେଳକୁ ଦିନ ଆଠଟା ।

 

ଗୋପାଳ ସିଂହ ଥାନା ଭିତରକୁ ପଶିଯାଇ ଦେଖିଲା, ମହେନ୍ଦ୍ରବାବୁଙ୍କ ଅନ୍ତରଙ୍ଗ ବନ୍ଧୁ ସବ୍‍-ଇନ୍‍ସପେକ୍‍ଟର କୁଳମଣିବାବୁ ସେହିକ୍ଷଣି ଆସି ଥାନାରେ ବସୁଛନ୍ତି । ଗୋପାଳ ସିଂହକୁ ଦେଖି ପଚାରିଲେ—ମହେନ୍ଦ୍ରବାବୁଙ୍କ ଘରେ ସବୁ ଭଲ ତ ? କ’ଣ ଅସୁବିଧା ହେଉଛି, ବୁଝି ଆସିବ-

 

ଗୋପାଳ ସିଂହ ତାଙ୍କ ପାଖକୁ ଯାଇ କହିଲା—ବାବୁ, କାଲି ତାଙ୍କ ଘରେ ଯାହା ଘଟଣା ଘଟିଛି, ମୋତେ କାହିଁକି ବଡ଼ ସନ୍ଦେହ ଲାଗୁଛି । ସକାଳୁ କେତେଆଡ଼େ ସନ୍ଧାନ ନେଇ ଆପଣଙ୍କୁ ଖବର ଦେବାକୁ ଛୁଟିଛି ।

 

କୁଳମଣିବାବୁ ଆବାକାବା ହୋଇ ପଚାରିଲେ—କିରେ ଘଟଣା କଣ ?

 

ଗୋପାଳ ସିଂହ ଆରମ୍ଭ କଲା—କାଲି ମୁଁ ତାଙ୍କ ବସାକୁ ଯିବା ଆଗରୁ ଜଣେ କିଏ କଟକରୁ ଆସି ମହେନ୍ଦ୍ରବାବୁ ପଠାଇଥିବା ଖଣ୍ଡେ ଚିଠି ଓ ସୁନା ମୁଦିଟିଏ ଦେଇଗଲା । ବାବୁଙ୍କ ପିଉସୀ କହୁଥିଲେ, କୁଆଡ଼େ ସେ ଚିଠିରେ ଲେଖାଥିଲା, ସେ ସୁନା ମୁଦିଟି ହେରାଗୋହରୀ ସାହି ଅମୂଲ୍ୟବାବୁ ବଙ୍ଗାଳିଙ୍କ ଝିଅର ବିଭାଘରରେ ବନ୍ଦାଣ ଦେବାକୁ ରାତି ସାତଟାବେଳକୁ ସେହି ବଙ୍ଗାଳି ଘରୁ ଜଣେ ଯୁବତୀ ମଟରରେ ଆସି ଦିନା ଚାକର ସହିତ ବାବୁଙ୍କ ସ୍ତ୍ରୀଙ୍କୁ ନେଇଗଲା । ମଟରଟା ସିଧା ସମୁଦ୍ରକୂଳ ବାଟେ ଯାଇ ଅଧା ବାଟରେ ମଟରରେ ଆସିଥିବା ସେହି ଯୁବତୀଟି ଚାକରକୁ ଲବଙ୍ଗ ଚାରି ପଇସାର କିଣି ଆଣିବାକୁ ଓହ୍ଲାଇ ଦେଇ ଚାଲିଗଲା । ଚାକରକୁ କହିଲା—ମଟର ଶୀଘ୍ର ଫେରିଆସିବ, ବାଟରେ ଛିଡ଼ା ହୋଇଥା । ବିଚରା ଚାକର ରାତି ବାରଟାଯାଏ ସମୁଦ୍ର ବାଲିରେ ବସି ବସି ବସାକୁ ଆସିଲା, ମଟର ଫେରିଲା ନାହିଁ । ମହେନ୍ଦ୍ରବାବୁଙ୍କ ସ୍ତ୍ରୀଙ୍କୁ ଏ ପର୍ଯ୍ୟନ୍ତ କେହି ଛାଡ଼ି ଦେଇ ଯାଇ ନାହିଁ । ହେରାଗୋହରୀ ସାହିରେ କିଏ ଅମୂଲ୍ୟବାବୁ ବୋଲି ସନ୍ଧାନ ନେଲି ଯେ, ସେମିତି ଲୋକ ସେଠାରେ କେହି ନାହିଁ । ଘରେ ମହେନ୍ଦ୍ରବାବୁଙ୍କ ପିଉସୀ ବଡ଼ ବ୍ୟସ୍ତ ହେଉଛନ୍ତି ।

 

କୁଳମଣିବାବୁ ତା’ଠାରୁ ଏକଥା ଶୁଣି ବିସ୍ମୟରେ କ୍ଷଣକଳ ନୀରବ ରହି ଭାବିଗଲେ—ପୁରୀ ସହରରେ ପ୍ରକୃତରେ ଏପରି ଏକ ଦୁର୍ଘଟଣା ଘଟିଲା ନା କ’ଣ ! ହଠାତ୍‍ ତାଙ୍କର ମନେପଡ଼ିଲା ଯେଉଁ ଡକାୟତଦଳଙ୍କୁ ମହେନ୍ଦ୍ରବାବୁ ଧରି ଅର୍ଗଳି ଭିତରୁ ଟୁନିକୁ ଆଣି ବିବାହ ହୋଇଥିଲେ, ସେହି ଡକାୟତଦଳ ପନ୍ଦରଦିନ ହେଲା ଜେଲରୁ ଖସି ପଳାଇଛନ୍ତି । ସେମାନେ କୌଣସି ଦୁର୍ଘଟଣା ଘଟାଇ ନାହାନ୍ତି ତ !

 

କ୍ଷଣକ ଭିତରେ ଏଣୁ ତେଣୁ କେତେ କ’ଣ କୁଳମଣିବାବୁ ଭାବିଯାଇ ଗୋପାଳ ସିଂହ ଆଡ଼େ ଚାହିଁ କହିଲେ—ଆଚ୍ଛା, କାଲି ଯେଉଁମାନେ ଟାଉନ ପହରାରେ ଥିଲେ ସେମାନଙ୍କୁ ଏଠାକୁ ଆସିବାକୁ ଖବର ଦିଅ, ତମେ ଶୀଘ୍ର ମହେନ୍ଦ୍ରବାବୁଙ୍କ ବସାକୁ ଯାଇଁ ବୁଝି ଆସ, ସେ ଫେରି ଆସିଛନ୍ତି କି ନାହିଁ ।

 

ଗୋପାଳ ସିଂହ ହଜୁର କହି କନେଷ୍ଟବଳମାନେ ରହୁଥିବା ଥାନା ସଂଲଗ୍ନ ବସାକୁ ଯାଇ କୁଳମଣିବାବୁ ଡାକୁଛନ୍ତି ବୋଲି ଖବର ଦେଲା । ତା’ପରେ ଖଣ୍ଡେ ସାଇକେଲ ଧରି ସିଧା ଚାଲିଲା ମହେନ୍ଦ୍ରବାବୁଙ୍କ ବସା ଆଡ଼କୁ ।

 

ପ୍ରାୟ କୋଡ଼ିଏ ମିନିଟ ପରେ ଗୋପାଳ ସିଂହ ଫେରି ଆସି କହିଲା—ଆଜ୍ଞା, ଚାକିରୀ କରି କରି ବାଳ ପାଚିଲାଣି, ଘଟଣା କ’ଣ ଘଟିଛି ଜଳଜଳ ହୋଇ ଦେଖାଯାଉଛି । ସେ ଆଉ ବସାକୁ ଫେରିବେ କେଉଁଠୁ ? ତାଙ୍କ ବସାରେ କାନ୍ଦବୋବାଳି ପଡ଼ିଛି ।

 

କୁଳମଣିବାବୁ କାଲି ରାତିରେ ସହର ତମାମ ପହରାରେ ଥିବା ପୋଲିସ୍‍ମାନଙ୍କଠାରୁ ବୁଝିଲେ ଯେ, ସହରରେ ଅନେକ ଜାଗାରେ ବିଭାଘର ହୋଉଥିଲେ ବି ଅମୂଲ୍ୟବାବୁ ବୋଲି କୌଣସି ବଙ୍ଗାଳି ବାବୁଙ୍କର ବଡ଼ ଧରଣର ବିଭାଘର ହୋଇନାହିଁ । ତେବେ କାଲି ସମୁଦ୍ରକୂଳ ପହରାରେ ଥିବା କନେଷ୍ଟବଳଙ୍କଠାରୁ ସମ୍ବାଦ ମିଳିଲା ଯେ ପ୍ରାୟ ସନ୍ଧ୍ୟା ସାଢ଼େ ଆଠଟା ହେବ, ଗୋଟାଏ ନାଲି ରଙ୍ଗର ମଟର ସମୁଦ୍ରକୂଳ ରାସ୍ତା ଦେଇ ଯାଇଥିଲା ।

 

ସମସ୍ତଙ୍କଠାରୁ ଖବର ବୁଝିସାରି ପ୍ରକୃତରେ ଯେ ଗୋଟାଏ ଦୁର୍ଘଟଣା ଘଟିଛି, ଏଥିରେ କୁଳମଣିବାବୁଙ୍କର ଅବିଶ୍ୱାସ କରିବାର ଆଉ କୌଣସି କାରଣ ରହିଲା ନାହିଁ, ବିଶେଷତଃ ତାଙ୍କର ଅନ୍ତରଙ୍ଗ ବନ୍ଧୁଙ୍କ ଘରେ l ଏହି ଦୁଃସମ୍ବାଦ ଶୀଘ୍ର ଇନ୍‍ସପେକ୍‍ଟର ବାବୁଙ୍କୁ ଦେଇ ତାଙ୍କ ସହିତ ପରାମର୍ଶ କରିବାପାଁଇ ଉପସ୍ଥିତ ଥିବା ସମସ୍ତ କନେଷ୍ଟବଳମାନଙ୍କୁ କହିଲେ—ସମସ୍ତେ ଏବିଷୟକୁ ଗୁପ୍ତ ରଖି ପ୍ରସ୍ତୁତ ହୋଇ ରୁହ । ମୁଁ ଶୀଘ୍ର ଇନ୍‍ସପେକ୍‍ଟରବାବୁଙ୍କ ବସାରୁ ଫେରି ଆସୁଛି ।

 

କୁଳମଣିବାବୁ ଖୁବ୍‍ ଜୋରରେ ସାଇକେଲ ଛୁଟାଇ ଇନ୍‍ସପେକ୍‍ଟର ଗୋକୁଳିବାବୁଙ୍କ ବସାରେ ପହଞ୍ଚିଲାବେଳକୁ ଗୋକୁଳିବାବୁ ଥାନାକୁ ଆସିବାକୁ ପୋଷାକ ପିନ୍ଧୁଛନ୍ତି । କୁଳମଣିବାବୁଙ୍କୁ ଦେଖି ଗୋକୁଳିବାବୁ କହିଲେ—ବସନ୍ତୁ, ଆଜି ଅନେକ ବାକି କାମ ସାରିବାକୁ ହେବ, ମୁଁ ତ ହେଇ ବାହାରୁଥିଲି ।

 

କୁଳମଣିବାବୁ ବଡ଼ ହତାଶିଆ ଭାବ ଦେଖାଇ କହିଲେ—ଆଜ୍ଞା, ଘଟଣା ବଡ଼ ସାଙ୍ଘାତିକ-। ଜରୁରୀ କୌଣସି ବ୍ୟବସ୍ଥା କରିବାକୁ ହେବ ! ତା’ ପରେ କୁଳମଣିବାବୁ ଗୋଟି ଗୋଟି କରି ସମସ୍ତ ଘଟଣା କହିଗଲେ ।

 

ଗୋକୁଳିବାବୁ ଏ ଘଟଣା ଶୁଣି କିଛିକ୍ଷଣ ଆବାକ୍‍ ହୋଇ ବସିରହି କହିଲେ—ନା, ଆଉ ମୁହୂର୍ତ୍ତେ ବିଳମ୍ବ କରି ଲାଭ ନାହିଁ । ଏ ଘଟଣାକୁ ବର୍ତ୍ତମାନ ଗୁପ୍ତ ଭାବରେ ଟାଉନସାରା ଅନୁସନ୍ଧାନ କରିବାକୁ ପଡ଼ିବ । ଯେଉଁଠି ସନ୍ଦେହ ହେବ ସେଠି ଘେରାଉ କରିବାକୁ ପଡ଼ିବ । ଆପଣ ତାଙ୍କ ବସାକୁ ଯାଇଁ ଅନ୍ୟାନ୍ୟ ଖବର ସଂଗ୍ରହ କରି ଫେରି ଆସନ୍ତୁ । ମୁଁ ଥାନାକୁ ଯାଉଛି ।

 

ଗୋକୁଳିବାବୁ ଥାନାକୁ ଆସି ଏ ବିଷୟ ମଧ୍ୟ ଫୋନ୍‍ ସାହାଯ୍ୟରେ ପୋଲିସ ସାହେବଙ୍କୁ ଜଣାଇ ଦେଲେ l ପୋଲିସ ସାହେବ ଏ ଦୁର୍ଘଟଣା ଶୁଣି ତଟସ୍ଥ ହୋଇଗଲେ ଏବଂ ସମସ୍ତ ଉପାୟରେ ଏ ବିଷୟ ଅନୁସନ୍ଧାନ କରିବାପାଁଇ ଆଦେଶ କରି ନିଜେ ମଧ୍ୟ ଗୋଇନ୍ଦା ବିଭାଗକୁ ଖବର ଦେଇ ଯାଉଛନ୍ତି ବୋଲି ଜଣାଇଦେଲେ ।

 

ଦୁଇଟା ବାଜିଲା । ସହରର ସମସ୍ତ ପୋଲିସ ଓ ଗୋଇନ୍ଦା ବିଭାଗ ସବୁ ଉପାୟ ଅବଲମ୍ବନ କରି ମଧ୍ୟ କୌଣସି ପତ୍ତା ମିଳିଲା ନାହିଁ । ସହରର କେତେକ ସନ୍ଦେହଜନକ ଘର ସହର ତଳି ଅଞ୍ଚଳର କେତେକ ଘର ବ୍ୟାପକ ଭାବେ ଘେରାଉ କରି ଖାନତଲାସ ହେବାରୁ ସହରର ସାଧାରଣ ଲୋକେ ମଧ୍ୟ କୌଣସି ବଡ଼ ଘଟଣା ଘଟିଛି ବୋଲି ସଠିକ୍‍ ଘଟଣା ଜାଣିବାପାଁଇ ପରସ୍ପର ମଧ୍ୟରେ ଫୁସୁରୁଫାସର ହେଲେ । ମହେନ୍ଦ୍ରବାବୁଙ୍କ ବସାଆଡ଼ୁ କ୍ରମେ ଘଟଣାଟା ଜଣାଯାଇ ଲୋକ ମୁଖରେ ବିଜୁଳି ପରି ସହର ତମାମ ବ୍ୟାପିବାକୁ ଲାଗିଲା ।

 

ସାଢ଼େ ତିନିଟା ବାଜିଲା, ତଥାପି କୌଣସି ସମ୍ବାଦ ମିଳିଲା ନାହିଁ । ଜେଲରୁ ଖସି ପଳାଇଥିବା ଡକାୟତ ଦଳଙ୍କର ମହେନ୍ଦ୍ରବାବୁଙ୍କ ଉପରେ ପ୍ରତିଶୋଧ ନେବାପାଁଇ ଯେ ଏ କାଣ୍ଡ, ଏଥିରେ ଆଉ କାହାରି ସନ୍ଦେହ ରହିଲା ନାହିଁ । ଏଥିମଧ୍ୟରେ ଜିଲାର ଅନ୍ୟାନ୍ୟ ଥାନାକୁ ମଧ୍ୟ କୌଣସି ନାଲି ରଙ୍ଗର ମଟର ଯାଇଛି କି ନାହିଁ ଏବଂ ଯଦି ଯାଇଥାଏ, ତେବେ ସେହି ଆରୋହୀମାନଙ୍କୁ ସାବଧାନତାର ସହିତ ଅଟକ ରଖିବାପାଁଇ ବେତାର ଯୋଗେ ନିର୍ଦ୍ଦେଶ ଦିଆ ହୋଇଗଲାଣି । କଟକ, ଗଞ୍ଜାମ, ପାଖ ଗଡ଼ଜାତମାନଙ୍କୁ ବି ସେହିଭଳି ନିର୍ଦ୍ଦେଶ ଦିଆ ହୋଇଛି ।

 

ଚାରିଟା ବାଜିଲା । ସାରାଦିନ ଅକ୍ଲାନ୍ତ ପରିଶ୍ରମ କରି ପୋଲିସ ସାହେବଙ୍କ ମଟରରେ ଗୋକୁଳିବାବୁ ଓ କୁଳମଣିବାବୁ ଥାନାକୁ ଫେରି ଆସିଲେ । ପୋଲିସ ସାହେବ ମଟର ଚଳାଇ ବସାକୁ ଯିବା ଆଗରୁ କହିଗଲେ—କୌଣସି ଖବର ବl ସନ୍ଧାନ ଆସିଲାକ୍ଷଣି ମୋତେ ସଙ୍ଗେ ସଙ୍ଗେ ଖବର ଦେବ । ମହେନ୍ଦ୍ରବାବୁଙ୍କୁ କ’ଣ ଏ ବିଷୟରେ ଖବର ଦିଆ ହୋଇଛି ?

 

ଗୋକୁଳିବାବୁ କହିଲେ—ହଠlତ୍‍ ଏ ଦୁଃସମ୍ବାଦ ତାଙ୍କୁ ଦେବାକୁ ମୁଁ କାହିଁକି ଠିକ୍‍ ମନେ କଲି ନାହିଁ, ତେବେ ତାଙ୍କୁ ଶୀଘ୍ର ଆସିବା ପାଁଇ ମୁଁ ଖବର ଦେବାକୁ କଟକ ଥାନାକୁ ଫୋନରେ ଡାକିଥିଲି । ଉତ୍ତରରେ ଟାଉନ ଥାନା ଇନସ୍‍ପେକ୍‍ଟର ଶ୍ରୀବତ୍ସବାବୁ କହିଲେ, ସେ ବର୍ତ୍ତମାନ ସହରରେ ନାହାନ୍ତି, ଚବିଶଘଣ୍ଟା ମଧ୍ୟରେ ଫେରି ଆସିବେ ବୋଲି ଆଶା କରାଯାଉଛି । ସେ ଆସିଲେ ଖବର ଦେବେ ବୋଲି କହିଲେ ।

 

ପୋଲିସ ସାହେବ କହିଲେ—ଠିକ୍‍ କରିଛନ୍ତି, ସେ ଆସିଲେ ଖବର ଦେବା ଉଚିତ । ଅନୁସନ୍ଧାନ କରିବାରେ ଅନ୍ୟମାନେ ଯେପରି ହେଳା ନ କରନ୍ତି, ଆପଣ ଦେଖିବେ । ମୁଁ ବସାରେ ଅପେକ୍ଷା କରି ରହିଛି । ପୋଲିସ ସାହେବ ମଟର ଚଳାଇ ବାହାରିଗଲେ ।

 

ଗୋକୁଳିବାବୁ ଓ କୁଳମଣିବାବୁ କ୍ଳାନ୍ତ ହୋଇ ପଡ଼ିଥିବାରୁ ଜଣେ ପହରାବାଲାକୁ ଡାକି ପାଖ ଦୋକାନରୁ କିଛି ଗରମ ସିଙ୍ଗଡ଼ା ଓ ଚା’ ଦି’ କପ୍‍ ଆଣିବାକୁ କହି ଚୌକିରେ ବସି ପଡ଼ିଲେ ।

 

X X X

 

ପୁରୀ ସହର ଓ ତା’ର ତଳି ଅଞ୍ଚଳ ଅନୁସନ୍ଧାନ କରିବାପାଁଇ ଜଣେ ପୋଲିସ ସବ୍‍ଇନ୍‍ସପେକ୍‍ଟର, ସହକାରୀ ସବ୍‍ଇନ୍‍ସପେକ୍‍ଟର ଓ ଜମାଦାରଙ୍କ ତତ୍ତ୍ୱାବଧାନରେ ବିଭକ୍ତ ହୋଇଥିବା ପୋଲିସ ଦଳ ଭିତରୁ ସମୁଦ୍ରକୂଳ ତଳି ଅଞ୍ଚଳ ଅନୁସନ୍ଧାନ କରିବାକୁ ଯାଇଥିବା ପୂର୍ଣ୍ଣବାବୁ ଓ ଚାରିଜଣ କନେଷ୍ଟବଳ ଦିନ ସାରା ଅନୁସନ୍ଧାନରେ କ୍ଲାନ୍ତ ହୋଇ ଫେରିଆସିବା ବାଟରେ ସୁନାର ଗୌରାଙ୍ଗ ଉତ୍ତରକୁ ଡାକେ ବାଟ ଦୂରରେ ଭଙ୍ଗା ଦଦରା କୋଠା ଘର ଆଗ ରାସ୍ତା ଦେଇ ଆସୁ ଆସୁ ସେହି ଦଳର କନେଷ୍ଟବଳ ସୋଲା ଖାଁ କହିଲା—ଆଜ୍ଞା, ଏ ଘର ବି ଦିନେ ବଡ଼ ଆଡ଼ା ଜାଗା ଥିଲା ।

 

ପୂର୍ଣ୍ଣବାବୁ ଖୁବ୍‍ କ୍ଲାନ୍ତ ହୋଇ ପଡ଼ିଥିବାରୁ ସେ କୋଠାଆଡ଼କୁ ତାଙ୍କର ନଜର ନ ଥିଲା । ସୋଲା ଖାଁ କଥାରେ ପୂର୍ଣ୍ଣବାବୁ ସିଆଡ଼କୁ ଅନାଇ ଦେଇ ଅଟକିଗଲେ ଏବଂ ତଳକୁ ଚାହିଁ ଦେଖିଲେ ମଟର ଚକର ଚିହ୍ନ । ତାହା ଯିବା ଆସିବା କରିବା ଭଳି ବାଲି ଉପରେ ଅସ୍ପଷ୍ଟ ଦାଗ ପଡ଼ିଛି । ପୂର୍ଣ୍ଣବାବୁ ସେହି କୋଠା ଆଡ଼େ ଅନାଇଁ କହିଲେ, କେତେ ସ୍ଥାନ ତଲାସି ଆସିଲେଣି, କୌଣସି ଜାଗାରେ କିଛି ପତ୍ତା ମିଳିଲା ନାହିଁ । ଶେଷରେ ଯିବା ବାଟରେ ଏଇଟାକୁ ତଲାସ କରିଯିବା ଉଚିତ-। ଆଚ୍ଛା, ସୋଲା ଖାଁ ଆଗରେ ଚାଲ ।

 

ପୂର୍ଣ୍ଣବାବୁଙ୍କ ଆଦେଶ ପାଇ ସୋଲା ଖାଁ କହିଲା—ଆଜ୍ଞା ହଜୁର ମୁଁ ମୋଟା ମଣିଷ ଚାଲି ଚାଲି ଥକିଲିଣି, ନରୁ ସୁଇଁ ଆଗ ଯାଉ । ଏ ଭଙ୍ଗା ଇଟା ଗଦା ଉପରକୁ ମୁଁ ଉଠିପାରିବି ନାହିଁ-

 

ପୂର୍ଣ୍ଣବାବୁ ଅନ୍ୟମାନଙ୍କ ଟିକିଏ ହସିଦେଇ କହିଲେ—ନା ନା, ସୋଲା ମିଆଁ ପୁରୁଣl ଲୋକ l ସେଇ ଆଗ ଯାଉ ।

 

ସମସ୍ତେ କହି ଉଠିଲେ—ଚଲୋ, ଚଲୋ—ମିଆଁ

 

ସୋଲା ମିଆଁ ଦାଢ଼ିରେ ଦି’ଥର ହାତ ବୁଲାଇ ଆଗେ ଆଗେ ଚାଲିଲା, ପୂର୍ଣ୍ଣବାବୁ ପଛେ ପଛେ ଚାଲିଥା’ନ୍ତି ।

 

ସେହି କୁଢ଼ କୁଢ଼ ଭଙ୍ଗାଇଟା ଉପର ଦେଇ କିଛିଦୂର ଗଲା ପରେ ଦେଖିଲେ—ଗୋଟାଏ କୋଠରିର କବାଟ ଆଉଜା ହୋଇଛି । ବାରଣ୍ଡା ଉପରେ ଜମିଥିବା ଧୂଳି ଉପରେ ମଣିଷର ସଦ୍ୟ ପଦଚିହ୍ନ ।

 

ସୋଲାମିଆଁ ମଣିଷର ପାଦଚିହ୍ନ ଦେଖି ତା’ର ପଛରେ ଥିବା ଅନ୍ୟମାନଙ୍କୁ ଦାନ୍ତ କାମୁଡ଼ି ନିର୍ଦ୍ଦେଶ ଦେଲା, ଲାଠିଗୁଡ଼ିକ ସଜାଡ଼ି ଧରିଥା’ । ପୂର୍ଣ୍ଣବାବୁ ନିକଟରେ ପଡ଼ିଥିବା ଗୋଟାଏ ପଥର ଉପରେ ଠିଆ ହୋଇ ସେହି ବଗିଚାର ଅରମା ଜଙ୍ଗଲ, ଏଣେତେଣେ ଭାଙ୍ଗି ପଡ଼ିଥିବା କୋଠାକାନ୍ଥ ଆଡ଼େ ଚାହିଁଥାନ୍ତି ।

 

ସୋଲାମିଆଁ ବଡ଼ ସାବଧାନରେ ସେହି ଭଙ୍ଗା କୋଠରିର ଦରଜା ଖୋଲିଦେଇ ଚମକିପଡ଼ି ପାଦେ ପଛକୁ ଘୁଞ୍ଚି ଆସି ଆଖି ମିଟି ମିଟି କରି ଫୁସ୍‍ ଫୁସ୍‍ କହିଲା—କିଆ ବାତ୍‍ ?

 

ସେହି କୋଠରିର ଏକ ଅଂଶ ବେଶ୍‍ ସଫାସୁତୁରା ହୋଇଛି । ସେହି ସଫାସୁତୁରା ଅଂଶରେ ତିନି ଚାରିଟା ମଦ ବୋତଲ ଇତସ୍ତତଃ ହୋଇପଡ଼ିଛି, ତା’ଛଡ଼ା ମାଂସ କଣ୍ଟା, ବିଡ଼ି ସିଗାରେଟ୍‍ର ପୋଡ଼ାଖଣ୍ଡ ଘର ସାରା ଏଣେ ତେଣେ ବିଛାଡ଼ି ହୋଇରହିଛି ।

 

ଅନ୍ୟମାନେ କ୍ଷଣକାଳ ସେହି କୋଠରିଆଡ଼େ ଚାହିଁ ରହି ସେମାନଙ୍କ ଭିତରୁ ଜଣେ କନେଷ୍ଟବଳ ଚୁପ୍‍ କରି କହିଲା–ଏଠି କେହି ମଦତି ଗୁଣ୍ଡାଦଳ ଆଡ଼ା ମାରି ଚାଲିଯାଇଛନ୍ତି । ଭିତରକୁ ଚାଲ ।

 

ସୋଲାମିଆଁ ଓ ଅନ୍ୟମାନେ ଆସ୍ତେ ଆସ୍ତେ ଗୋଡ଼ ପକାଇ ସେହି କୋଠରି ମଝିକୁ ଯାଇ ଭଙ୍ଗା କୋଠରିର ଛାତଆଡ଼େ ନିରୀକ୍ଷଣ କରୁ କରୁ ନରୁସୁଇଁ କହିଲା—ମିଆଁ, ସେ କୋଠରି କୁ ଦେଖିବା ଚାଲ । ସୋଲାମିଆଁ ଆସ୍ତେ ଆସ୍ତେ ପାଦ ପକାଇ ଆଉଜା ହୋଇଥିବା ଦରଜାରେ କାନ ପାରିଲା—କାଳେ ଭିତରୁ କୌଣସି ଶବ୍ଦ ଶୁଣାଯାଉଛି କି ନାହିଁ । ଅନ୍ୟମାନେ କୌଣସି ଦୁର୍ଘଟଣା ଘଟିଲେ ତାର ପ୍ରତିରୋଧ କରିବାପାଁଇ ପିତ୍ତଳ ଗୁବାମରା ଚିତାଏ ଉଚ୍ଚ ଠେଙ୍ଗାକୁ ଠିକ୍‍ କରି ଧରି ରହିଲେ । ସମସ୍ତଙ୍କ ମୁହଁରେ ଆଶଙ୍କା ଓ ଉଦବେଗର ଚିହ୍ନ ଫୁଟି ଉଠିଥାଏ ।

 

ପ୍ରାୟ ପାଞ୍ଚମିନିଟ କାଳ ସୋଲାମିଆଁ କବାଟରେ କାନଦେଇ ଏକ ଧ୍ୟାନରେ ଭିତରୁ କୌଣସି ଶବ୍ଦ ଶୁଣିବାକୁ ଚେଷ୍ଟାକଲା, କିନ୍ତୁ କିଛି ବାରିପାରିଲା ନାହିଁ । ତା’ ପରେ ମିଆଁ ଆସ୍ତେ ଆସ୍ତେ କବାଟ ଖୋଲି ଦେଇ ଖୁବ୍‍ ଜୋରରେ ଚମକି ହାତ ମୁକୁଳାକରି ଫେରିବାପରେ ଚିତ୍କାର କରି ପଛକୁ ଘୁଞ୍ଚି ଆସୁ ଆସୁ ପଛରେ ଥିବା କନେଷ୍ଟବଳ ଦେହରେ ଧକ୍କା ଖାଇ ତଳେ କଚାଡ଼ି ହୋଇ ପଡ଼ି ଆଲ୍ଲା ଆଲ୍ଲା ହେବାକୁ ଲାଗିଲା ।

 

ଅନ୍ୟମାନେ ବି ସେ କୋଠରିର ବିଭତ୍ସ ଦୃଶ୍ୟ ଦେଖି ପାଞ୍ଚ ହାତ ପଛକୁ ଘୁଞ୍ଚି ଆସିଲେ-। ପୂର୍ଣ୍ଣବାବୁ ଗୋଳମାଳ ଚିତ୍କାର ଶୁଣି ଘଟଣାସ୍ଥଳକୁ ବିସ୍ମିତ ହୋଇ ଦଉଡ଼ା ଗଲେ ।

 

କି ଲୋମ ହର୍ଷଣକାରୀ ବିଭତ୍ସ ଦୃଶ୍ୟ ସିଏ !! ସେ ଦୃଶ୍ୟ ଯିଏ ଦେଖିବ—ଦୁଃଖ, ଭୟ, ବିସ୍ମୟରେ ତା’ର ଛାତି ନ ଥରି ରହି ହେବ ନାହିଁ ।

 

ସାରା କୋଠରିଟିର ଚଟାଣ ରକ୍ତରେ ସଡ଼ବଡ଼ । ଗୋଟାଏ କଟା ହାତ ରକ୍ତ ସାଲୁ ବାଲୁ ହୋଇ ତାରି ମଝିରେ ପଡ଼ିଛି । ଅନ୍ୟ ଏକ ସ୍ଥାନରେ ଗୋଟିଏ ସୁନ୍ଦର ଶିଲ୍‍କ ନୀଳ ବ୍ଲାଉଜ ରକ୍ତରେ କିଛି ଅଂଶବୁଡ଼ି ଶୁଖି ହାଡ଼ ହୋଇ ଗଲାଣି । ଅନ୍ୟ ଏକ ସ୍ଥାନରେ କାନର ଗୋଟାଏ ସୁନା ଦୁଲ ସେହି ଶୁଖିଲା କଳା ରକ୍ତ ଉପରେ ପଡ଼ି ଚିକ୍‍ଚିକ୍‍ ମାରୁଛି । ନିର୍ବାକ ହୋଇ ଏହି କରୁଣ ଦୃଶ୍ୟ ଦେଖୁ ଦେଖୁ ସମସ୍ତଙ୍କ ଛାତି ଉଠୁଥିଲା ପଡ଼ୁଥିଲା । ପ୍ରଥମ କରି ସୋଲା ମିଆଁ ବଡ଼ ଦୁଃଖରେ ଦୀର୍ଘଶ୍ୱାସ ଛାଡ଼ି କହିଲା—ମହେନ୍ଦ୍ରବାବୁ ବେଚାରା ଆଚ୍ଛା ଆଦିମ୍‍, ଯବ୍‍ ଏ ବାତ ଶୁନେଗା...... ବୁଢ଼ା ସୋଲାମିଆଁ ତାଙ୍କର ଦୁଃଖ ପ୍ରାଣେ ପ୍ରାଣେ ଅନୁଭବ କରି ନୀରବ ରହିଲା ।

 

ପୂର୍ଣ୍ଣବାବୁ ଦୁଃଖରେ କ୍ଷଣକାଳ ମ୍ରିୟମାଣ ହୋଇ ଯାଇଥିଲେ ମଧ୍ୟ ସେ ଯେ ଏ ଘଟଣାର ସନ୍ଧାନ ପାଇଛନ୍ତି ଏକଥା ଭାବି ତାଙ୍କ ମନରେ ସମସ୍ତଙ୍କଠୁ ପ୍ରସଂଶା ପାଇବାର ଆନନ୍ଦ ଉକୁଟି ଉଠିଲା । ସେ ସଙ୍ଗେ ସଙ୍ଗେ ପୋଲିସ ଠାଣିରେ ଆଦେଶ ଦେଇ ଜଣଙ୍କୁ କହିଲେ—ଆମେ ସମସ୍ତେ ଏଠି ଜଗି ରହିଛୁ, ତୁମେ ଶୀଘ୍ର ଥାନାକୁ ଯାଅ । ଇନ୍‍ସପେକ୍‍ଟରବାବୁଙ୍କୁ ଖବର ଦେବ, ସେ ସଶସ୍ତ୍ର ପୋଲିସ ସହିତ ଶୀଘ୍ର ଆସିବେ । ବାଟରେ ଯାହାଠାରୁ ସାଇକେଲ ପାଇବ ତାକୁ ଜରୁରୀ କାମ କହି ମାଗି ନେବ । ଯାଅ ଜଲ୍‍ଦି ।

 

ନରୁ ସୁଇଁ ଠେଙ୍ଗାଟି ଧରି ତରତର ହୋଇ ଚାଲିବାକୁ ଲାଗିଲା ।

 

ପୂର୍ଣ୍ଣବାବୁ ଖଣ୍ଡେ ପଥର ମଗାଇ ସେହି ଦୁଆର ମୁଁହରେ ବସିରହି କୋଠରି ଭିତରକୁ ଥରକୁ ଥର ଚାହିଁ ଶିହରି ଉଠୁଥିଲେ । କେତେ ଥର ସେ ମହେନ୍ଦ୍ରବାବୁଙ୍କ ଘରେ ତାଙ୍କ ସ୍ତ୍ରୀଙ୍କର ସୁନ୍ଦର ରୂପ, ଯୌବନଶ୍ରୀ ଦେଖିଛନ୍ତି । ବେଳେ ବେଳେ ବି ଟୁନିର ମୁଖ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାଙ୍କ ଅନ୍ତର ଚହଲି ଯାଇଛି, ଭିତର ହାହାକାର କରି ଉଠିଛି । ମଣିଷ ଜୀବନରେ ପୁଣି ଏଭଳି ରୂପବତୀ ସ୍ତ୍ରୀ ମିଳେ ! ସେହି ଟୁନିର ଏ ଅବସ୍ଥା ! ଆହା, ବିଚାରୀକୁ କଲବଲ କରି ମାରିବା ବେଳେ.…ପୂର୍ଣ୍ଣବାବୁଙ୍କ ତରୁଣ ପ୍ରାଣ ହାହାକାର ହୋଇ ଆଖି ଲୁହରେ ଜାଲୁଜାଲୁରl ହୋଇ ଉଠିଲା-। ଟୁନିର ବାଁ ହାତଟି ଫୁଲି କଳା ପଡ଼ିଗଲାଣି, ସୁନା କାଚଗୁଡ଼ିକ ଚମ ଭିତରେ ଚିକ୍‍ଚିକ୍‍ ମାରୁଛି । ଆଙ୍ଗୁଠିରେ ପଥରବସl ସୁନାମୁଦିଟି ସେମିତି ଉଜ୍ଜ୍ୱଳ ଦିଶୁଛି । ପୂର୍ଣ୍ଣବାବୁଙ୍କ ଆଖିରେ ଟୁନି ଜୀବନ୍ତ ରୂପ ଧରେ । କି ସୁନ୍ଦର ରୂପ, କି ପ୍ରାଣମତାଣିଆ ଆଖିର ଚାହାଣୀ ! ପୂର୍ଣ୍ଣବାବୁଙ୍କ ଛାତି ଥରlଇ ବାହାରି ଆସେ । ଘନଘନ ଶ୍ୱାସ ।

 

X X X

 

ଥାନାରେ ଗୋକୁଳି ବାବୁ ଓ କୁଳମଣିବାବୁ ଜଳଖିଆ ଖାଇ ସାରି ଚା’ ପିଉ ପିଉ ସେହି ବିଷୟରେ କଥାବାର୍ତ୍ତା ହେଉଛନ୍ତି l ନରୁ ସୁଇଁ କନେଷ୍ଟବଳ ଥାନା ଆଗରେ ସାଇକେଲଟା ପକେଇ ଦେଲା ଭଳି ଡେରି ଦେଇ ଧଇଁ ସଇଁ ହୋଇ ଥାନା ଭିତରକୁ ପଶିଯାଇ କହିଲା—ହଜୁର, ସର୍ବନାଶ ହୋଇଛି, ଖୁନ୍‍ । ପୂର୍ଣ୍ଣବାବୁ ଓ ଅନ୍ୟମାନେ ଜଗି ରହିଛନ୍ତି । ସେମାନଙ୍କୁ ବି ସେ ସ୍ଥାନରେ ଖୁବ୍‍ ବିପଦର ଆଶଙ୍କା ଅଛି । ଆପଣ ଶୀଘ୍ର କୋଡ଼ିଏ ଜଣ ପୋଲିସ ନେଇ ସେଠିକୁ ଚାଲନ୍ତୁ ।

 

ଅଧା କରିଥିବା ଚା’ କପ୍‍ଟାକୁ ଗୋକୁଳିବାବୁ ଟେବୁଲ ଉପରେ ଥୋଇ ଦେଇ ଆବାକାବା ହୋଇ କହିଲେ—ମହେନ୍ଦ୍ରବାବୁଙ୍କ ସ୍ତ୍ରୀ ର ଖୁନ୍‍ ! କୁଳମଣିବାବୁ ଶିହରି ଉଠିଲା ପରି ହୋଇ କହିଲେ—ଖୁନ୍‍, କେଉଁଠି ?

 

ନରୁସୁଇଁ କହିଲା—ଆଜ୍ଞl, ସୁନାର ଗୌରାଙ୍ଗ ଆଡ଼େ ଯେଉଁ ବଡ଼ ଭଙ୍ଗା କୋଠା; ସେଇଠି । ଆପଣମାନେ ଚଞ୍ଚଳ ଆସନ୍ତୁ ।

 

କୁଳମଣିବାବୁ ହୁଇସିଲ ମାରି ସମସ୍ତ କନେଷ୍ଟବଳଙ୍କୁ ବନ୍ଧୁକ ଘେନି ଆସିବାକୁ ଆଦେଶ ଦେଲେ l ଗୋକୁଳିବାବୁ ବସିଥିବା ଚୌକିଟି ଖୁବ୍‍ ଜୋରରେ ଆଡ଼େଇ ଦେଇ ଦଉଡ଼ିଗଲେ ଫୋନ ପାଖକୁ; ପୋଲିସ ସାହେବଙ୍କୁ ଏ ଦୁଃସମ୍ବାଦ ଦେବାକୁ l

 

ଫୋନରେ ଡାକିଲାକ୍ଷଣି ଗୋଟାଏ ପୋଲିସବୁହା ଲରୀ ଥାନା ଆଗରେ ଆସି ହାଜର ହୋଇଗଲା । ଗୋକୁଳିବାବୁ ନିଜର ପିସ୍ତଲଟା ଅଣ୍ଟାରେ ଖୋସି, କୁଳମଣିବାବୁଙ୍କୁ ଡାକି ସଶସ୍ତ୍ର ପୋଲିସଦଳ ସହିତ ମଟରରେ ଆସିଲେ । ତା’ପରେ ଲରୀ ଖୁବ ଜୋରରେ ହର୍ଣ୍ଣ ବଜାଇ ଛୁଟି ଚା’ଲିଲା ଆଗକୁ ତା’ପଛକୁ ଦଳେ ଲାଠିଧlରୀ ପୋଲିସ ସୀମାନ୍ତକୁ ଲଢ଼େଇ କରି ଯିବାଭଳି ଲୁହା ଗୋବବସା ଯୋତାକୁ ମଚମଚ କରି ବେ-ପରବାଏ ହେଇ ଜନଗହଳି ଭିତରେ ଆଗେଇ ଚାଲିଲେ-। ତା’ର କିଛିକ୍ଷଣ ପରେ ପୋଲିସ ସାହେବ ନିଜେ ସମୁଦ୍ରକୂଳ ଆଡ଼େ ମଟର ଛୁଟାଇ ଦେଲେ ।

 

ପୋଲିସ ଲରୀ ସେହି ଭଙ୍ଗାକୋଠା ଫାଟକ ଆଗରେ ରହିବା ସଙ୍ଗେ ସଙ୍ଗେ ଗୋକୁଳିବାବୁ ଓ କୁଳମଣିବାବୁ ଓହ୍ଲାଇ ପଡ଼ିଲେ । ପଛବାଟ ଦେଇ କୋଡ଼ିଏଜଣ ବନ୍ଧୁକଧାରୀ ପୋଲିସ ଭୁସ୍‍ଭାସ୍‍ ହୋଇ ତଳକୁ ଡେଇଁ ପଡ଼ିଲେ । ପୋଲିସଦଳ ପରିଚାଳନା କରିବାକୁ ଆସିଥିବା ହାବିଲଦାର ସଙ୍ଗେ ସଙ୍ଗେ ସେହି ହତାର ଚାରିପାଖରେ ଜଗାଇଦେଲା ।

 

ଗୋକୁଳିବାବୁ ଓ କୁଳମଣିବାବୁ, ନରୁ ସୁଇଁ ସହିତ ଭିତରକୁ ଗଲାକ୍ଷଣି, ପୂର୍ଣ୍ଣବାବୁ ହସ୍ତ ନିର୍ଦ୍ଦେଶ କରି ସେହି କରୁଣ ଦୃଶ୍ୟ ସେମାନଙ୍କୁ ଦେଖେଇ ଦେଲେ । ସମସ୍ତେ ସେହିଆଡ଼କୁ ଆଖି ପକାଇ ଦେଇ ଅବାକ୍‍ । କୁଳମଣିବାବୁ କ୍ଷଣକାଳ ଆଖିବୁଜି ପକାଇ ବଡ଼ କରୁଣସ୍ୱରରେ କହି ଉଠିଲେ—ଓହୋ ସର୍ବନାଶ ! ମହେନ୍ଦ୍ରବାବୁ ଏକଥା ଶୁଣିଲେ...। ଆହା, ଟୁନି ଭଳି ସ୍ତ୍ରୀର ଏ ଦଶା !

 

ଗୋକୁଳିବାବୁ କ୍ଷଣକାଳ ଚାହିଁ ରହି ପଛକୁ ମୁଁହ ଫେରାଇ ଆଣିଲେ । ଦୁଃଖରେ ତାଙ୍କ ଛାତି ଥରାଇ ଦୀର୍ଘଶ୍ୱାସ ବାରମ୍ବାର ବାହାରି ଆସିଲା ।

 

ଫାଟକ ପାଖରେ ମଟର ହର୍ଣ୍ଣ ଶବ୍ଦ ଶୁଣି ପୋଲିସ ସାହେବ ଆସିଗଲେଣି ବୋଲି ଗୋକୁଳିବାବୁ ତାଙ୍କୁ ସାଙ୍ଗରେ ଘେନି ଯିବା ପାଁଇ ଯୋତା ମଚମଚ କରି ଫାଟକ ପାଖକୁ ଛୁଟି ଆସିଲେ ।

 

ପୋଲିସ ସାହେବ ନୀରବରେ ଗୋକୁଳିବାବୁଙ୍କ ପଛେ ପଛେ ସେହି କୋଠରି ପର୍ଯ୍ୟନ୍ତ ଗଲେ । ଗୋକୁଳିବାବୁ ସେହି କୋଠରିକୁ ହସ୍ତ ନିର୍ଦ୍ଦେଶ କରି ରୁକ୍ଷ ଗଳାରେ କହିଲେ—ଦେଖନ୍ତୁ ଆଜ୍ଞା ସେହି । ବଦ୍‍ମାସ ଡକାୟତ ଦଳର ଲୋମହର୍ଷଣକାରୀ କାଣ୍ଡ ! ବିଚରା ମହେନ୍ଦ୍ରବାବୁଙ୍କର ସର୍ବନାଶ କରିଛନ୍ତି ।

 

ପୋଲିସ ସାହେବ ସେହି କରୁଣ ଦୃଶ୍ୟ ଦେଖି ବାରମ୍ବାର ଚିବୁକ କାମୁଡ଼ିବାକୁ ଲାଗିଲେ-! କିଛିକ୍ଷଣ ନୀରବ ରହି ସେହି କୋଠରିକୁ ବାରମ୍ବାର ନିରୀକ୍ଷଣ କରୁ କରୁ କହିଲେ—ବର୍ତ୍ତମାନ ଆଉ ଉପାୟ ନାହଁ, କୌଣସି ଉପାୟରେ ସେହି ବଦମାସ ଡକାୟତ ଦଳକୁ ସମୂଳେ ବିନାଶ କରିବାକୁ ହେବ । ସେମାନେ ଏ କାଣ୍ଡ ଏଠି ଘଟାଇ ନିଶ୍ଚୟ ଶରୀରର ସମସ୍ତ ଅଂଶ ଏହି ହତା ଭିତରେ କୌଣସି ଜାଗାରେ ଲୁଚାଇ ଦେଇଥିବେ, ତାହା ବାହାର କରିବାକୁ ଚେଷ୍ଟା କରନ୍ତୁ ।

 

ତା’ପରେ ପୋଲିସ ସାହେବଙ୍କ ଉପସ୍ଥିତରେ ସେହି ବିରାଟ ଭଙ୍ଗା କୋଠାର ଅନ୍ୟାନ୍ୟ କୋଠରିଗୁଡ଼ିକ ବଡ଼ ସତର୍କତାର ସହିତ ତନଖି କରିଗଲା, କିନ୍ତୁ ଡକାୟତଦଳର ଅନ୍ୟ କୌଣସି କୋଠରିରେ କାରବାରର ସୂଚନା ମିଳିଲା ନାହିଁ ।

 

ପ୍ରାୟ ଅଧଘଣ୍ଟା ଯାଏ ପୋଲିସସାହେବ ନିଜେ ହତାର ଅନେକ ସ୍ଥାନ ବୁଲାଚଲା କରି ମଟର ନେଇ ବସାକୁ ଫେରି ଆସିଲେ । ତା’ପରେ ଗୋକୁଳିବାବୁ ଓ କୁଳମଣିବାବୁ ପୋଲିସ ଦଳ ସହିତ ସେହି ହତା ଭିତରେ ବ୍ୟାପକ ଭାବରେ କେବଳ ବା ହାତଟି ଛଡ଼ା ଶରୀରର ଅନ୍ୟାନ୍ୟ ଅଂଶ ଖୋଜିବାରେ ବ୍ୟସ୍ତ ରହିଲେ । ସେତେବେଳକୁ ଏ ଦୁର୍ଘଟଣା ସହରରେ ବ୍ୟାପିଯିବାରୁ ଅନେକ ଦେଖଣାହାରୀ ମଧ୍ୟ ସେହ ନିର୍ଜନ ସ୍ଥାନରେ ରୁଣ୍ଡ ହୋଇଗଲେଣି ।

 

ସହର ସାରା ଏବଂ ମହେନ୍ଦ୍ରବାବୁଙ୍କ ବସାରେ ଏ ଖବର ପହଞ୍ଚିଲାକ୍ଷଣି ମହେନ୍ଦ୍ରବାବୁଙ୍କ ପିଉସୀ ମୁଣ୍ଡ କଚାଡ଼ି କାନ୍ଦିବାକୁ ଲାଗିଲେ । ଦିନା ଚାକର ମୁଣ୍ଡରେ ହାତ ଦେଇ ଆଖିରୁ ଲୁହ ଗଡ଼ାଇଲେ । ଚିହ୍ନାପରିଚ, ସାଧାରଣ ଲୋକ ମଧ୍ୟ ଏ ଖବର ଯିଏ ଶୁଣିଲା, ସେ ଦୁଃଖରେ କ୍ଷଣକାଳ ନୀରବ ରହି ଦୀର୍ଘଶ୍ଵାସ ଛାଡ଼ିଲା ।

 

X X X

 

ପୋଲିସ ସନ୍ଧ୍ୟା ସୁଦ୍ଧା ପାରୁପର୍ଯ୍ୟନ୍ତ ସେହି ହାତଟାକୁ ତନ୍ନ ତନ୍ନ କରି ପରୀକ୍ଷା କଲେ ମଧ୍ୟ ଶରୀରର ଅବଶିଷ୍ଠାଂଶ କେଉଁଠୁ ପାଇଲେ ନାହିଁ ।

 

X X X

 

ସେହିଦିନ ସକାଳ ଦଶଟା ! ମହେନ୍ଦ୍ରବାବୁ ତାଙ୍କ ସଙ୍ଗୀ ସହ ବାମଣ୍ଡାରୁ ଫେରି ଆସି ସିଧା ପୋଲିସ କ୍ଳବକୁ ଗଲେ । ସେଠି ଗାଧୋଇ ଖିଆ ପିଆ ସାରି ତାଙ୍କ ଅନୁସନ୍ଧାନ ପତ୍ରରେ ବାକି ଥିବା କେତେକାଂଶ ଲେଖି ସିଧା ଗଲେ ପୋଲିସ ସାହେବଙ୍କ ଅଫିସକୁ ।

 

Unknown

ମହେନ୍ଦ୍ରବାବୁ ପୋଲିସ ସାହେବଙ୍କୁ ନମସ୍କାର କଲାକ୍ଷଣି ପୋଲିସ ସାହେବ ଗଗନବାବୁ ହସ ହସ ମୁହଁରେ କହିଲେ—ଆପଣ ଆଜି ନିଶ୍ଚୟ ଫେରିବେ ବୋଲି ମୁଁ ଆଶା କରିଥିଲି । ଆଚ୍ଛା ଆପଣ ବସନ୍ତୁ, ଆପଣଙ୍କର ସନ୍ଧାନ ଜୟଯୁକ୍ତ ହୋଇଛି ତ ?

 

ମହେନ୍ଦ୍ରବାବୁ ଟିକିଏ ହସିଦେଇ କହିଲେ—ମୁଁ ଯାହା ଅନୁମାନ କରିଥିଲି ଠିକ୍ । ଏହା କହି ଆମୂଳଚୁଳ ଲେଖିଥିବା ଅନୁସନ୍ଧାନ ପତ୍ରଟି ପୋଲିସ ସାହେବଙ୍କ ହାତକୁ ବଢ଼ାଇ ଦେଲେ ।

 

ଗଗନବାବୁ ଆଗ୍ରହରେ ମହେନ୍ଦ୍ରବାବୁଙ୍କ ହସ୍ତରୁ ଅନୁସନ୍ଧାନ ପତ୍ରଟି ନେଇ ପଢ଼ିବାକୁ ଲାଗିଲେ । ସେହି ପତ୍ରଟିର ଧାଡ଼ିଗୁଡ଼ିକ ଯେତିକି ଆଗକୁ ପଢ଼ି ଯାଉଥାନ୍ତି, ତାଙ୍କ ମୁଖରୁ ବିସ୍ମୟର ଆଭାସ ସେତିକ ଫୁଟି ଉଠୁଥାଏ ।

 

ଗଗନବାବୁ ଅନୁସନ୍ଧାନ ପତ୍ରଟି ପଢ଼ିସାରି ମହେନ୍ଦ୍ରବାବୁଙ୍କ ଆଡ଼େ ଅବାକ୍ ହୋଇ ଚାହିଁ ରହିଲେ । କି ସାହସ ସେମାନଙ୍କର ! ଦିନ ଦି’ପ୍ରହରେ ବି ବାମଣ୍ଡା ଷ୍ଟେଟ ଶିଳ୍ପବିଭାଗର ଡିରେକ୍ଟର ରାଏ ସାହେବ ବିପ୍ରଚରଣଙ୍କ ନାମ କହି ଜେଲ୍ ବୁଲି ଚାଲିଗଲେ । ସେ ଦଳର ସେହି ସ୍ତ୍ରୀଲୋକଙ୍କ ଦୁଇଟାଙ୍କର ତ କମ୍ ସାହସ ନୁହେଁ । କଥା ପ୍ରସଙ୍ଗରେ ଜେଲରଙ୍କ ଠାରୁ ସଠିକ୍ ଖବର ସଂଗ୍ରହ କରି ନେଇଛନ୍ତି । ବର୍ତ୍ତମାନ ସେହି ଦଳ କିପରି ଧରାପଡ଼ିବେ—ତାହାହିଁ ଏକମାତ୍ର ଚିନ୍ତା ।

 

ଗଗନବାବୁଙ୍କ କଥା ଶେଷ ହେଲାକ୍ଷଣି ମହେନ୍ଦ୍ରବାବୁ ମୁରୁକି ହସି କହିଲେ—ଆଜ୍ଞା, ଯେଉଁ ଯୁବତୀଟା ରାଏ ସାହେବ ବିପ୍ରଚରଣଙ୍କ କନ୍ୟା ବୋଲି ପରିଚୟ ଦେଇଥିଲା, ସେଟା ନିଶ୍ଚୟ କୌଣସି ବେଶ୍ୟାଘରର ଝିଅ, ଆଉ ଆର ଜଣକ ମାଳତୀ । ଏସବୁ ମାଳତୀର ଷଡ଼ଯନ୍ତ୍ର । ତାକୁ କମ୍ ମନେ କରିବେ ନାହଁ ଆଜ୍ଞା ! ସେ ଯେ କୌଣସି ସିଆଣିଆ ଲୋକକୁ ଆଖି ପିଛୁଳାକେ ଠକାଇ ଦେଇ ପାରିବ, ଏଥିରେ ତିଳେମାତ୍ରେ ସନ୍ଦେହ ନାହିଁ । ତାକୁ ପୁନର୍ବାର ଧରିବା କ’ଣ ସହଜ ସାଧ୍ୟ ?

 

ଗଗନବାବୁ ଉତ୍ସାହପୂର୍ଣ୍ଣ ସ୍ଵରରେ କହିଲେ—ଦିନେ ଆପଣଙ୍କର କଠିନ ପରିଶ୍ରମ ଓ କୌଶଳରେ ସେହି ଡକାୟତଦଳ ଧରା ପଡ଼ିଥିଲେ । ପୁନର୍ବାର ସେହି ଦଳ ଯେପରି ଧରାପଡ଼ନ୍ତି, ତା’ ର ଯଥାସାଧ୍ୟ ଚେଷ୍ଟା କରନ୍ତୁ । ସେଥିପାଇଁ ଆପଣଙ୍କର ସାହା ସାହାଯ୍ୟ ଲୋଡ଼ା, ପୁଲିସ ବିଭାଗ ତାହା ଯୋଗାଇଦେବ । ଆପଣଙ୍କୁ କେବଳ ସହକାରୀ ଭାବେ ସାହାଯ୍ୟ କରିବା ପାଇଁ ପ୍ରିୟନାଥବାବୁ ଓ ସୁରେଶବାବୁଙ୍କୁ ଅଣାଯାଇଛି ।

 

ମହେନ୍ଦ୍ରବାବୁ ନିଜର ପ୍ରଶଂସାରେ ଟିକିଏ ନୀରବ ରହି କହିଲେ—ମୁଁ ତ ଯଥାସାଧ୍ୟ ଚେଷ୍ଟା କରିବି ।

 

ତା’ପରେ ମହେନ୍ଦ୍ରବାବୁ ପୋଲିସ ସାହେବଙ୍କଠାରୁ ବିଦାୟ ନେଇ ତହିଁ ଆରଦିନ ପୁରୀ ଯାଇଁ ବସାଆଡ଼େ ଟିକିଏ ବୁଲି ଆସିବାପାଇଁ ବଜାରରୁ କେତେକ ଜିନିଷପତ୍ର କିଣିବାକୁ ବାହାରି ଗଲେ ।

 

ଚାରିଟା ବାଜିଲା । ମହେନ୍ଦ୍ରବାବୁ ନିଜର ସ୍ତ୍ରୀ ପାଇଁ କିଣିଥିବା କେତେକ ସୌଖୀନ ଜିନିଷ କ୍ଳବରେ ରଖିଦେଇ ଶ୍ରୀବତ୍ସବାବୁଙ୍କ ସାଙ୍ଗରେ ଦେଖା କରିବାପାଇଁ ଥାନାଆଡ଼େ ବାହାରିଗଲେ ।

 

ଶ୍ରୀବତ୍ସବାବୁ, ମହେନ୍ଦ୍ରବାବୁଙ୍କୁ ଦେଖି ଆଦରରେ ବସାଇ କହିଲେ, ମୁଁ ଭାବୁଥିଲି, ଆପଣ ଆଜି କିମ୍ବା କାଲି ଭିତରେ ନିଶ୍ଚୟ ଫେରି ଆସିବେ ।

 

ମହେନ୍ଦ୍ରବାବୁ ହସ ହସ ମୁହଁରେ କହିଲେ—ଆଜି ଆମ୍ଭେମାନେ ଠିକ୍ ଦିନ ବାରଟାବେଳେ ପହଞ୍ଚିଲୁ । ମୋର ଅନୁମାନ ଠିକ୍ ହୋଇଛି ପୋଲିସସାହେବଙ୍କୁ ମଧ୍ୟ ମୋର ଅନୁସନ୍ଧାନ ପତ୍ରଟି ଦେଇସାରିଛି ।

 

ଶ୍ରୀବତ୍ସବାବୁ ଆନନ୍ଦରେ ଚେୟାରରୁ ଉଠିପଡ଼ି କହିଲେ—ଧନ୍ୟବାଦ ! ଏଥର ଚା’ଲନ୍ତୁ, ମୋ ବସାରେ ନିରୋଳାରେ ବସି କଥାବାର୍ତ୍ତା ହେବ । ମୁଁ ଜାଣେ, ଆପଣଙ୍କ ଛଡ଼ା ଏ ବିଷୟରେ ଅନ୍ୟ କେହି କୃତକାର୍ଯ୍ୟ ହେବାକୁ ସକ୍ଷମ ହୁଅନ୍ତେ ନାହିଁ ।

 

ଶ୍ରୀବତ୍ସବାବୁ, ତାଙ୍କ ନିଜ ବସା ଅଫିସ ଘରେ ମହେନ୍ଦ୍ରବାବୁଙ୍କୁ ବସାଇ ପୂଝାରୀକୁ ଚା’ଜଳଖିଆ ତିଆରି କରିବାକୁ ବରାଦ କରି ଦେଲେ । ତା’ପରେ ମହେନ୍ଦ୍ରବାବୁଙ୍କଠାରୁ ଡକାୟତ ଦଳର ପ୍ରତେକ କୌଶଳପୂର୍ଣ୍ଣ କଥା ଶୁଣିବାକୁ ଲାଗିଲେ ।

 

ଜଳଖିଆ ତିଆରି ସରିଲା । ପୂଝାରୀ ସେହି ଅଫିସ ଟେବୁଲ ଉପରେ ଦୁଇଟି ଥାଳିଆରେ ଆଣି ପରସି ଦେଇଗଲା । ଦୁଇବାବୁ ଖାଇ ବସିଲେ ।

 

ଜଳଖିଆ ଚା’ ଖାଇସାରି ଆହୁରି କେତେକ ସମୟ ଗପସପ ପରେ ମହେନ୍ଦ୍ରବାବୁ ଯିବାକୁ ଉଠି ଠିଆ ହେଲେ । ଶ୍ରୀବତ୍ସବାବୁ, ମହେନ୍ଦ୍ରବାବୁଙ୍କୁ ବଳେଇ ଦେବାପାଇଁ ପିଣ୍ଡା ପର୍ଯ୍ୟନ୍ତ ଚାଲି ଆସିଲେ ।

 

ମହେନ୍ଦ୍ରବାବୁ ପିଣ୍ଡା ଉପରେ ନମସ୍କାର ଜଣାଇ ତଳକୁ ଓହ୍ଲାଇ ଆସୁଛନ୍ତି, ହଠାତ୍ ଶ୍ରୀବତ୍ସବାବୁ ଡାକି କହିଲେ—ରୁହନ୍ତୁ ମହେନ୍ଦ୍ରବାବୁ ! ଆଚ୍ଛା ଭୁଲି ଯାଇଥିଲି, ଦି’ଦିନ ତଳେ ଆପଣଙ୍କ ଘରୁ କିଏ ଜଣେ ଖଣ୍ଡେ ଚିଠି ଦେଇ ଯାଇଛି । ସେ ଚିଠିଖଣ୍ଡି ମୁଁ ଘରେ ସୁଟକେଶ ତଳେ ରଖିଦେଇଛି, ନେଇ ଯାଆନ୍ତୁ ।

 

ମହେନ୍ଦ୍ରବାବୁ ପୁନର୍ବାର ପିଣ୍ଡା ଉପରକୁ ଉଠିଯାଇଁ ବାରଣ୍ଡାରେ ପଡ଼ିଥିବା ଗୋଟିଏ ଚେୟାରରେ ବସି ପଡ଼ିଲେ । “କ’ଣ ଏଡ଼େ ଜରୁରୀ ଚିଠି ! ଘରେ କ’ଣ ଟୁନିର ଦେହ ଖରାପ ହେଲା ନା କ’ଣ ।”

 

ମହେନ୍ଦ୍ରବାବୁଙ୍କ ଭାବନାକୁ ଭାଙ୍ଗି ଶ୍ରୀବତ୍ସବାବୁ ତାଙ୍କ ହସ୍ତକୁ ଚିଠି ଖଣ୍ଡେ ବଢ଼ାଇ ଦେଇ କହିଲେ—ଆପଣ ବସି ପଢ଼ନ୍ତୁ । ଘରୁ ପୋଷାକଟା ବଦଳାଇ ଆସିଲେ, ମୁଁ ମଧ୍ୟ ବଜାର ଆଡ଼େ ଯିବି ।

 

ଶ୍ରୀବତ୍ସବାବୁ ଘରଆଡ଼କୁ ଚାଲିଗଲେ । ମହେନ୍ଦ୍ରବାବୁ ଚିଠିଖଣ୍ଡି ଖୋଲି ଚିଠିର ଉପର ତଳକୁ ଆଖି ପକାଇ ଶିହରି ଉଠି, ଧାଡ଼ିଗୁଡ଼ିକ ଉପରେ ଆଖି ବୁଲାଇ ଆଣିବାକୁ ଲାଗିଲେ ।

 

ଲେଖାଅଛି—

 

ମହେନ୍ଦ୍ରବାବୁ,

 

ତୁମେ ଯେ ଗୋଇନ୍ଦା ବିଭାଗର ଲୋକ, ଏ କଥା ନଜାଣି ମାଳତୀ, ବିଶ୍ଵାସରେ ତୁମକୁ ଆମ ଦଳ ଭିତରକୁ ଘେନି ଯାଇଥିଲା । ତୁମେ ଯଦି ସେହି ବିଶ୍ଵାସ ରଖି ଦଳ ଭିତରେ ରହିଥାନ୍ତ, ତାହାହେଲେ ତୁମ ଜୀବନର ଭୋଗ ବିଳାସର ସୀମା ରହି ନ ଥା’ନ୍ତା । କିନ୍ତୁ ତୁମେ ତାହା କଲନାହିଁ, ଓଲଟି ଆମ ଦଳର ସର୍ବନାଶ କରିଛ । ଏଥର କୌଶଳରେ ଆମ ଦଳର ସାମାନ୍ୟ କେଇଜଣ, ତୁମେ ଯାହାକୁ ଧରାଇ ଜେଲରେ ପୂରାଇଥିଲ, ସେମାନେ ଜେଲରୁ ପଳାଇ ଯାଇଛନ୍ତି । ତୁମେ କେଉଁ ସାହସରେ ପୁନର୍ବାର ସେହି ଦଳକୁ ଧରିବାକୁ ଯାଉଛ ? ସରକାର ଘରେ ମୁଣ୍ଡ ବିକିଛ ସତ, କିନ୍ତୁ ତୁମ ଭବିଷ୍ୟତ ଜୀବନର ସୁଖଶାନ୍ତି କଥା ଭାବିଛ ତ ? ଥରେ ଅବିଶ୍ଵାସ କରି ଆମ ଦଳକୁ ଧରି ପାରିଲ ବୋଲି ଏଥର ଯେ ଧରି ପାରିବ, ଏ ଧାରଣା କଳ୍ପନାରୁ ବାଦ ଦିଅ । ତୁମେ ଆମ ଦଳକୁ ଧରିବାପାଇଁ ଯୁଆଡ଼େ ଯାଇଥାଅ, ଫେରିଆସି କ’ଣ ଶୁଣିବ ଜାଣ ? ହସ ଲାଗୁଛି, ତମର ଗୋଇନ୍ଦାଗିରିକୁ । ଫେରି ଆସି ଶୁଣିବ ତୁମର ପ୍ରିୟତମା ସ୍ନେହର ଟୁନି ହରଣଚାଳ ହୋଇଛି । ଖାଲି ହରଣଚାଳ ନୁହେଁ, ଫେରି ଆସି ଆଖି ପୂରାଇ ଦେଖିବ, ତାହାର ଦେହ ସଙ୍ଗରୁ ମୁଣ୍ଡ ଅଲଗା ହୋଇଛି । ନିଜ ଜୀବନ ପ୍ରତି ବି ସାବଧାନ ରହିବ ।

 

ତମର

ପୂର୍ବ ପରିଚିତ ଦଳ

 

ମହେନ୍ଦ୍ରବାବୁ ଚିଠିଟି ପଢ଼ି ଶେଷ କଲାବେଳକୁ ତାଙ୍କ ଛାତି ଉଠ୍‍ ପଡ଼ ହୋଇ ଦେହ ଖୁବ୍ ଥରୁଥିଲା । ସେ ଚିଠିଟିକୁ ଆରାମ ଚେୟାରର ହାତ ଉପରେ ରଖି ଦେଇ ନିର୍ଜୀବ ଭଳି ଚେୟାରକୁ ଆଉଜି ରହିଲେ ।

 

ଶ୍ରୀବତ୍ସବାବୁ ପ୍ରାୟ ପନ୍ଦର ମିନିଟ ପରେ ଘର ଭିତରୁ ଫେରିଆସି ଦେଖିଲେ—ମହେନ୍ଦ୍ରବାବୁ ଏଭଳି ଅବସ୍ଥାରେ ଚେୟାରକୁ ଆଉଜି ରହିଛନ୍ତି । ବିସ୍ମୟରେ ତାଙ୍କର ଆଉ ସୀମା ରହିଲା ନାହିଁ । ସେ ଆଉ ଖଣ୍ଡେ ଚେୟାର ତାଙ୍କ ପାଖକୁ ଟାଣିଆଣି ବସିପଡ଼ି ଡାକିଲେ ମହେନ୍ଦ୍ରବାବୁ, ବସାରେ କାହା ଦେହ ଖରାପ ହୋଇଛି ନା କ’ଣ ?

 

ମହେନ୍ଦ୍ରବାବୁଙ୍କର ତାଙ୍କ କଥାରେ ଉତ୍ତର ଦେବାକୁ ଯେପରି ଶକ୍ତି ନ ଥିଲା । ସେ କେବଳ ହାତ ଉଠାଇ ଚିଠି ଖଣ୍ଡକ ତାଙ୍କ ହସ୍ତକୁ ବଢ଼ାଇ ଦେଲେ ।

 

ପୋଲିସ ସାହେବ ଗଗନବାବୁ ପାଞ୍ଚଟାବେଳେ ନିଜ ବଙ୍ଗଳାରେ ଜଳଖିଆ ଖାଇ ସାରି ଛୋଟ ପୁଅଟିର ହାତ ଧରି ବଗିଚାରେ ବୁଲୁଛନ୍ତି, ଚପରାଶି ଆସି ଖବର ଦେଲା—ହଜୁର, ପୁରୀର ପୋଲିସ ସାହେବ ଡାକୁଛନ୍ତି । ଗଗନବାବୁ ତରତର ହୋଇ ଫୋନ୍ ପାଖକୁ ଆସି ଫୋନ୍ ଧରିଲେ-

ନମସ୍କାର ଆଦାନ ପ୍ରଦାନ ପରେ ପୁରୀର ପୋଲିସ ସାହେବ ପଚାରିଲେ—ମହେନ୍ଦ୍ରବାବୁ ବର୍ତ୍ତମାନ କେଉଁଠି ?

ଗଗନବାବୁ ଉତ୍ତର ଦେଲେ—ସେ ଯେଉଁ କାର୍ଯ୍ୟରେ ଯାଇଥିଲେ, ଆଜି ସେ କାର୍ଯ୍ୟରେ କୃତକାର୍ଯ୍ୟ ହୋଇ ଫେରି ଆସିଛନ୍ତି ।

ପୁରୀର ପୋଲିସ ସାହେବ ଦୁଃଖ ମିଶା ସ୍ଵରରେ କହିଲେ—ଫେରି ଆସିଛନ୍ତି ! ତାଙ୍କର ସର୍ବନାଶ ହୋଇଛି ଗଗନବାବୁ । ତାଙ୍କ ସ୍ତ୍ରୀଙ୍କୁ ଡକାୟତ ଦଳ କୌଶଳରେ ନେଇ ପୁରୀ ସହରର ଦେଢ଼ ମାଇଲ ଦୂରରେ ହତ୍ୟା କରିଛନ୍ତି । କେବଳ ତାଙ୍କ ସ୍ତ୍ରୀର ଖଣ୍ଡିଆ ବାଁ ହାତ ଛଡ଼ା ଶରୀରର ଅନ୍ୟାନ୍ୟ ଅଂଶ ମିଳି ନାହିଁ, ତା ଛଡ଼ା ବ୍ଲାଉଜ, କାନର ଦୁଲ ଇତ୍ୟାଦି ମିଳିଛି । ବଡ଼ ଦୁଃସମ୍ବାଦ ! ମହେନ୍ଦ୍ରବାବୁଙ୍କୁ କିପରି ଖବର ଦିଆଯିବ । ସେଇକଥା ମୁଁ ଭାବୁଛି । ଆପଣ ଭାବି ଚିନ୍ତି ତାଙ୍କୁ ଖବର ଦେବେ, ବୁଝାଇବାକୁ ମଧ୍ୟ ଭୁଲିବେ ନାହିଁ । ଡକାୟତ ଦଳକୁ କୌଣସି ଉପାୟରେ ବିନାଶ ନ କଲେ ଆଉ ଉପାୟ ନାହିଁ ।

ଗଗନବାବୁ ଏ କରୁଣ ସମ୍ବାଦ ଶୁଣୁ ଶୁଣୁ ତାଙ୍କୁ ଲାଗୁଥିଲା ଯେପରି ସମ୍ବାଦ ସଂଗ୍ରହକାରୀ ଯନ୍ତ୍ରଟି ତାଙ୍କ ହାତରୁ ଖସି ପଡ଼ିବ । ପୁରୀର ପୋଲିସ ସାହେବଙ୍କର କଥା ଶେଷ ହେବାରୁ ଗଗନବାବୁ ଫୋନଟା ଥୋଇ ଦେଇ ପନ୍ଦର ମିନିଟ କାଳ ନିର୍ବାକ ହୋଇ ଚୌକିରେ ବସିପଡ଼ିଲେ । କିପରି ଏ ଦୁଃସମ୍ବାଦ ସେ ମହେନ୍ଦ୍ରବାବୁଙ୍କୁ ଶୁଣାଇବେ । ଏ ଦୁଇଘଣ୍ଟା ଆଗରୁ ସେ ଖୁସି ମନରେ ତାଙ୍କ ପାଖରୁ ବିଦାୟ ହୋଇ ଯାଇଛନ୍ତି, ପୁଣି ଦୁଇଘଣ୍ଟା ପରେ ତାଙ୍କର ବିପଦ ! ଶ୍ରୀବତ୍ସବାବୁ ଯାହା କହୁଥିଲେ ଠିକ୍ କଥା । ଡକାୟତଦଳ ଖସି ପଳାଇବା ଦ୍ଵାରା ମହେନ୍ଦ୍ରବାବୁଙ୍କର ସମସ୍ତଙ୍କ ଟାରୁ ବିପଦ ବେଶି । ସେ ଆଉ କିଛି ଭାବି ନପାରି ଫୋନ୍ ସାହାଯ୍ୟରେ ଶ୍ରୀବତ୍ସବାବୁଙ୍କୁ ଶୀଘ୍ର ତାଙ୍କ ପାଖକୁ ଆସିବାପାଇଁ ଥାନାକୁ ଖବର ଦେଲେ ।

X X X

ଶ୍ରୀବତ୍ସବାବୁ ଚିଠିଟି ପଢ଼ି ସାରି ବିପଦ ଆଶଙ୍କା କରୁଥିଲେବି ରାଗରେ ଜଳିଉଠି କହିଲେ—ବଦମାସ ଡକାୟତ ଦଳର କେତେ ସାହସ । ସେଦିନ ଯେଉଁ ଲୋକଟି ଆସିଥିଲା, ସେ ବୋଧହୁଏ ସେହି ଦଳର । ଭୟଶୂନ୍ୟ ହୋଇ ବି ସେ ପୋଲିସ ଆଗରେ ଚିଠିଦେଇ ଚାଲିଗଲା । ଆଚ୍ଛା ମହେନ୍ଦ୍ରବାବୁ, ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଏଇକ୍ଷଣି ପୁରୀକୁ ଫୋନରେ ଜଣାଇ ଦେଉଛି, ବର୍ତ୍ତମାନଠାରୁ ଚାରିଜଣ ପୋଲିସ ଆପଣଙ୍କ ବସାକୁ ଜଗି ରହନ୍ତୁ, ଆପଣ ବି ଆଜି ସନ୍ଧ୍ୟା ଗାଡ଼ିରେ ପୁରୀ ଯାଆନ୍ତୁ ।

ଜଣେ କନେଷ୍ଟବଳ ଥାନାରୁ ଆସି ଶ୍ରୀବତ୍ସବାବୁଙ୍କୁ ସଲାମ କରି କହିଲା—ପୋଲିସ ସାହେବ ଜରୁରୀ କାମ ନେଇ ବସାରେ ଆପଣଙ୍କୁ ଅପେକ୍ଷା କରି ରହିଛନ୍ତି ।

 

ଶ୍ରୀବତ୍ସବାବୁ, ମହେନ୍ଦ୍ରବାବୁଙ୍କ ହାତ ଧରି ଉଠାଇ ଆଣି କହିଲେ—ଏ ଚିଠିଟାକୁ ମଧ୍ୟ ସାହେବଙ୍କୁ ଦେଖାଇବା ଉଚିତ । ଆସନ୍ତୁ କୋଠି ଆଡ଼େ ବୁଲି ଆସିବା । ମହେନ୍ଦ୍ରବାବୁ ଯନ୍ତ୍ର ଚାଲିଲା ଭଳି ଶ୍ରୀବତ୍ସବାବୁଙ୍କ ସଙ୍ଗରେ ଚାଲିଲେ ।

 

ଥାନା ଆଗରେ ଗୋଟାଏ ଟହଲ ଦିଆ ପୋଲିସ ମଟର ଥୁଆ ହୋଇଥିଲା । ମହେନ୍ଦ୍ରବାବୁଙ୍କ ସହିତ ଶ୍ରୀବତ୍ସବାବୁ ବସି ଡ୍ରାଇଭରକୁ ପୋଲିସସାହେବଙ୍କ ବଙ୍ଗଳାଆଡ଼େ ମଟର ଚଳାଇବାକୁ କହିଲେ ।

 

ଗଗନବାବୁଙ୍କ ବଙ୍ଗଳା ଆଗରେ ମଟର ରହଲାକ୍ଷଣି ଶ୍ରୀବତ୍ସବାବୁ ଆଗ ମଟରରୁ ଓହ୍ଲାଇ ସିଧା ତାଙ୍କ ଅଫିସ ଘରକୁ ପଶିଗଲେ । ଗଗନବାବୁ ସେପର୍ଯ୍ୟନ୍ତ ବି ସ୍ଥିର ମନରେ କିଭଳି ମହେନ୍ଦ୍ରବାବୁଙ୍କୁ ଏ ଖବର ଦେବେ, ସେହିକଥା ଭାବୁଥିଲେ । ଶ୍ରୀବତ୍ସବାବୁଙ୍କୁ ଦେଖି ବ୍ୟଗ୍ର ଭାବରେ ପଚା’ରିଲେ ମହେନ୍ଦ୍ରବାବୁ କାହାନ୍ତି ?

 

ଶ୍ରୀବତ୍ସବାବୁ କହିଲେ—ମୁଁ ବାଧ୍ୟ କରି ତାଙ୍କୁ ସଙ୍ଗରେ ଘେନି ଆସିଛି । ସେ ମଟରରେ ବସିଛନ୍ତି । ଏଇ ନିଅନ୍ତୁ, ଚିଠି ଖଣ୍ଡ ପଢ଼ନ୍ତୁ । ବଦ୍‍ମାସ ଡକାୟତ ଦଳର ଏ କାଣ୍ଡ ।

 

ଗଗନବାବୁ ଚିଠିଖଣ୍ଡକ ଉପରେ ଯେତେ ଚଞ୍ଚଳ ପାରନ୍ତି, ଆଖି ବୁଲାଇଆଣି ବଡ଼ ଦୁଃଖମିଶା ଗଳାରେ କହିଲେ—ବଦମାସ ଦଳ ଏ ଚିଠିରେ ଯାହା ଲେଖିଛନ୍ତି, ତାହା ତ କାର୍ଯ୍ୟରେ ପରିଣତ କରି ସାରିଲେଣି । ତାଙ୍କ ସ୍ତ୍ରୀଙ୍କୁ କାଲି ରାତିରେ ହତ୍ୟା କରାହୋଇଛି ।

 

ଶ୍ରୀବତ୍ସବାବୁ ସୃଷ୍ଟି ପ୍ରଳୟ ହୋଇଯିବାଭଳି ଭୟମିଶା ଗଳାରେ କହିଲେ—ଏ, ଖୁନ୍‍ ! ସର୍ବନାଶ ।

 

ପ୍ରାୟ ପାଞ୍ଚମିନିଟ ନୀରବରେ କଟିଗଲା । ତା’ପରେ ଗଗନ ବାବୁ କହିଲେ—ଏ ଖବର କିଛିକ୍ଷଣ ଲୁଚାଇଲେ ବି କିଛି ଲାଭ ନାହିଁ । ମହେନ୍ଦ୍ରବାବୁଙ୍କୁ ଏଠିକି ଡାକନ୍ତୁ ।

 

ଶ୍ରୀବତ୍ସବାବୁ କହିଲେ—ଡକାୟତ ଦଳ ପଳାଇଯିବା ଦିନଠାରୁ ମହେନ୍ଦ୍ରବାବୁଙ୍କର ସେ ବେଶି ବିପଦ, ଏ କଥା ମୁଁ ଅନୁମାନ କରିଥିଲି । ସେ ବର୍ତ୍ତମାନ ଏ କରୁଣ ସମ୍ବାଦ ଶୁଣିଲେ ଧୈର୍ଯ୍ୟ ଧରି ରହିପାରିବେ ନାହିଁ ।

 

ଗଗନବାବୁ ନିଜେ ଡକାଇ ପଠାଇବାରୁ ମହେନ୍ଦ୍ରବାବୁ ଯାଇଁ ଅଫିସରେ ପଡ଼ିଥିବା ଗୋଟିଏ ଚେୟାରରେ ବସିଲେ; କିନ୍ତୁ କାହାରି ମୁଖରେ ଭାଷା ନାହିଁ । ଗଗନବାବୁ ଓ ଶ୍ରୀବତ୍ସବାବୁ ଏପରି ଅବସ୍ଥାରେ ବସିଥିବାରୁ ମହେନ୍ଦ୍ରବାବୁଙ୍କ ମନ ସନ୍ଦେହରେ ଆହୁରି ଆନ୍ଦୋଳିତ ହେବାକୁ ଲାଗିଲା ।

 

ଅନେକ ସମୟ ପରେ ଗଗନବାବୁ କହିଲେ—ମହେନ୍ଦ୍ରବାବୁ, ଆପଣ ବର୍ତ୍ତମାନ ଯୁବକ-। ଆପଣଙ୍କ ଉପରେ ଯେ କୌଣସି ବିପଦ ଘଟିଲେ ତାହା ସମ୍ଭାଳି ନେବାପାଇଁ ଆପଣଙ୍କର ସାହସ ଓ ଶକ୍ତି ଅଛି । କୌଣସି ଦୁଃସମ୍ବାଦ ଶୁଣି ଆପଣ ଧୈର୍ଯ୍ୟଚ୍ୟୁତ ହେଲେ ଚଳିବ ନାହିଁ । ବଦମାସ ଡକାୟତ ଦଳ ଚିଠି ଅନୁଯାୟୀ କାର୍ଯ୍ୟ କରି ସାରିଛନ୍ତି । ଆଉ କିଛି କହିବା ଆଗରୁ ମହେନ୍ଦ୍ରବାବୁ ମୁହଁରେ ରୁମାଲ ଦେଇ କଇଁ କଇଁ ହୋଇ କାନ୍ଦି ଉଠିଲେ । ଅନେକ ବୁଝାସୁଝା ପରେ ମହେନ୍ଦ୍ରବାବୁ ସିଧା ହୋଇ ବସିଲେ ସତ; କିନ୍ତୁ ତାଙ୍କ ଆଖିରୁ ଲୁହବୁହା ବନ୍ଦ ହେଲା ନାହିଁ ।

 

ଛ’ଟା ବାଜିଲା । ଶ୍ରୀବତ୍ସବାବୁ ମନଦୁଃଖରେ ବାହାରିଲାକ୍ଷଣି ମହେନ୍ଦ୍ରବାବୁ ମଧ୍ୟ ପାଗଳଙ୍କ ପରି ସେହି ସନ୍ଧ୍ୟା ଗାଡ଼ିରେ ପୁରୀ ଯିବାକୁ ବାହାରିଲେ କିନ୍ତୁ ଗଗନବାବୁ ବାଧ୍ୟ କରି ଆଜି ପୁରୀ ନ ଯାଇ କାଲି ଯିବାକୁ କହି ମହେନ୍ଦ୍ରବାବୁଙ୍କୁ ତାଙ୍କ ବସାରେ ଆଜିକ ରହିବା ପାଇଁ ଅଟକାଇଲେ । ଶ୍ରୀବତ୍ସବାବୁ ବି ଯେତେ ପାରନ୍ତି, ବୁଝାସୁଝା କରି ବସାକୁ ଫେରି ଆସିଲେ ।

 

ମହେନ୍ଦ୍ରବାବୁ ଟୁନିର ହତ୍ୟା କଥା ଶୁଣିଲାବେଳଠୁ ସେଇ କେଇ ମିନିଟ ଭିତରେ ତାଙ୍କ ଆଖିରୁ ଯେପରି ଶେଷ ଲୁହବୁନ୍ଦା ସୁଦ୍ଧା ଝରି ପଡ଼ିଥିଲା । ତାଙ୍କ ଆଖିରେ ଏଇକ୍ଷଣି ଲୁହ ନାହିଁ । ସେ ଯୁଆଡ଼କୁ ଚାହୁଁଛନ୍ତି, ସେଇଆଡ଼ୁ ପୁନର୍ବାର ଆଖି ଫେରାଇ ଆଣିବାକୁ ଯେ କେତେ ସମୟ ବିତିଯାଉଛି ତାର ଠିକଣା ନାହିଁ ।

 

ରାତି ଦଶଟା ବାଜିଲା । ଗଗନବାବୁଙ୍କ ବିଶେଷ ଅନୁରୋଧରେ ମହେନ୍ଦ୍ରବାବୁ ସାମାନ୍ୟ ମାତ୍ର ଜଳଖିଆ ଖାଇ ବିଛଣାରେ ପଡ଼ିଲେ । ନିଦ ତ ଆସିଲା ନାହିଁ ଓଲଟି ଟୁନିର ସ୍ନେହ ଆଦର, ତା’ର ଚଟୁଳ ଚାହାଣୀ, ତାର ସୁନ୍ଦର ରୂପ ଗୋଟି ଗୋଟି ହୋଇ ମନେପଡ଼ି ମହେନ୍ଦ୍ରବାବୁଙ୍କ ଛାତି କରତି ହେବାକୁ ଲାଗିଲା ରାତିସାରା ଦାରୁଣ ମାନସିକ ଯନ୍ତ୍ରଣାରେ ସେ ଛଟପଟ ହେବାକୁ ଲାଗିଲେ ।

 

ସେହିଦିନ ‘ସମାଜ’ରେ ଏହି ଲୋମହର୍ଷଣକାରୀ କରୁଣ ସମ୍ବାଦ ଚାରିଆଡ଼େ ପ୍ରଚାରିତ ହୋଇଗଲା । ଯିଏ ଏ ସମ୍ବାଦ ଶୁଣିଲା ନୀରବରେ ଦୁଃଖ ପ୍ରକାଶ ନ କରି ରହିପାରିଲା ନାହିଁ । ଟୁନିର ବାପା ପ୍ରାଣଧନବାବୁ ଏ ଘଟଣା ଶୁଣିବାକ୍ଷଣି ମୁଣ୍ଡରେ ହାତ ଦେଇ ବସି ପଡ଼ଲେ । ତାଙ୍କ ଆଖିରୁ ଲୁହ ବି ଉଭେଇଗଲା ।

 

ତହିଁଆର ଦିନ ଭୋରରୁ ମହେନ୍ଦ୍ରବାବୁ ପାଗଳ ପରି ହୋଇ ପୁରୀ ଲୋକାଲ ଧରିଲେ ।

 

X X X

 

ତହିଁ ଆରଦିନ ସମୟ କେତେହେବ କେଜାଣି, ଟୁନିର ଚେତନା ଆସିବାରୁ ସେ ସ୍ଵପ୍ନ ରାଇଜରୁ ଫେରି ଆସିଲାପରି ଚାରିଆଡ଼କୁ ବଲବଲ କରି ଚାହିଁ ଦେଖିଲା—ସେ ଗୋଟିଏ ସୁନ୍ଦର ବିଛଣାପରା ଖଟ ଉପରେ ଶୋଇଛି । ଘରଟି ବିଶେଷ ଆଲେକିତ ନ ଥିଲେ ବି ସେତେ ଅନ୍ଧାରୁଆ ନୁହେଁ । ଘରର କାନ୍ଥରେ କେତୋଟି ଛବିମରା ହୋଇଛି । ସେହି ଛବିଗୁଡ଼ିକ ଭିତରୁ କେତୋଟି କାଳୀ ମୂର୍ତ୍ତି, ଅନ୍ୟ ଦୁଇ ତିନୋଟି ଜଣେ କାପାଳିକ, ବାବାଜୀଙ୍କର । କୋଠରିଟି ବେଶ୍‍ ପରିଷ୍କାର ପରିଚ୍ଛନ୍ନ । ଘରେ ଏକମାତ୍ର ଦରଜା, ସେ ପୁଣି ବନ୍ଦ ।

 

ହଠାତ୍‍ କାଲି ରାତିର ଘଟଣା ଟୁନିର ମନେ ପଡ଼ଯିବାରୁ ସେ ଚମକି ଉଠି ଭାବିଲା—କାଲିକାର ଭଙ୍ଗା କୋଠା ଏ ଆଉ ନୁହେଁ ତ ! ହୁଏତ ସେମାନେ ଦୟାକରି ଆଉ କାହାଘରେ ଛାଡ଼ିଦେଇ ଯାଇଥିବେ, ଏଇ ଆଶାରେ ଖଟିଆ ଉପରୁ ତଳକୁ ଓହ୍ଲାଇ ଠିଆ ହେଲା, କିନ୍ତୁ ତାକୁ ଲାଗୁଥିଲା—ସେ ଠିଆ ହୋଇଥିଲେ ବି ଯେମିତି ପାଦେ ହେଲେ ଚାଲି ପାରିବ ନାହିଁ । ବିଷ ଖାଇଲା ପରି ଦେହ ଝିମିଝିମି ହୋଇ ମୁଣ୍ଡ ଘୂରାଇ ଦେଉଥାଏ ।

 

ଗୋଟାଏ ହୋସରେ କାନ୍ଥ ଧରି ଧରି ବନ୍ଦଥିବା ଦରଜା ପାଖକୁ ଆସିଲା । କାଳେ ବାହାରଆଡ଼ୁ ଦରଜାଟାକୁ କିଏ ଆଉଜେଇ ଦେଇଥିବ ବୋଲି ଥରକୁ ଥର ଦରଜାରେ ହାତମାରି ଦେଖିଲା, ଦରଜା ବାହାରଆଡ଼ୁ ବନ୍ଦ । କବାଟର ସାମାନ୍ୟ ଫାଙ୍କ ଦେଇ ବି ବାହାରର କିଛି ଦେଖିବାର ଉପାୟ ନାହିଁ, କେବଳ ତା’ ଆରପାଖରେ ଘରଭିତର ଭଳି ଝାପ୍‍ସା ଅନ୍ଧାର ।

 

ଟୁନି ହତାଶ ହୋଇ କବାଟ ପାଖରୁ ଫେରିପଡ଼ି ତାରି ମୁଣ୍ଡ ପାଖରେ ଟଙ୍ଗା ହୋଇଥିବା ଛବିଟିକୁ ଚାହିଁଲା । ସେ ଛବିର ଲୋକକୁ ସେ ଯେମିତି କେଉଁଠି ଦେଖିଛି । ମୁହୂର୍ତ୍ତେ ମାତ୍ର ଚାହିଁ ରହି ଭୟରେ ଖଣ୍ଡେ ଦୂରକୁ ଘୁଞ୍ଚି ଆସି ଦୀର୍ଘଶ୍ଵାସ ଛାଡ଼ିବାକୁ ଲାଗିଲା । ଏତ ସେଇ ସ୍ଵାମୀବାବାଙ୍କର ଛବି ! ଯିଏ ଦିନେ ଅର୍ଗଳି ଭିତରେ, ତାର ବେକକୁ ପୂରାଇ ବଳିଦେବାକୁ ମନ୍ତ୍ର ପାଣି ସିଞ୍ଚୁଥିଲେ ! ତାହାହେଲେ କ’ଣ ସେହି ସ୍ଵାମୀବାବାଙ୍କ ପାଖକୁ ବଳି ଦେବା ଉଦ୍ଦେଶ୍ୟରେ ତାକୁ ପୁନର୍ବାର ଷଡ଼ଯନ୍ତ୍ରରେ ଅଣା ହୋଇଛି ? ତାକୁ କ’ଣ ପୁଣି ବଳି ଦିଆଯିବ ? କାହାନ୍ତି ତାର ସ୍ୱାମୀ ମହେନ୍ଦ୍ରବାବୁ ? ଟୁନି ଗୋଟାପଣ ଥରି ଥରି ଖଟ ଉପରେ ପଡ଼ି ରହିଲା । ତା’ର ସମସ୍ତ ଭାବିବା ଶକ୍ତି ଲୋପ ହୋଇ କେବଳ ଆଖିରୁ ଲୁହଧାର ଛୁଟିଥିଲା ମାତ୍ର ।

 

ପ୍ରାୟ ଅଧଘଣ୍ଟା ପରେ କିଏ ଜଣେ ବାହାରୁ କବାଟ ଫିଟାଇ ସେ ଘରକୁ ଆସିବାର ଶବ୍ଦ ହେଲା । ଟୁନିର ସେଆଡ଼କୁ ଅନାଇବାକୁ ଇଚ୍ଛା ନ ଥିଲେ ବି କାଳେ କାଲି ରାତିର କେଉଁ ମଦୁଆ କି ଗୁଣ୍ଡା ଆସିଥିବ, ଏଇ ଭୟରେ ଚାହିଁ ଦେଖିଲାବେଳକୁ ମାଇପିଟିଏ ଭିତରକୁ ପଶି ଆସୁଛି । ସେ ଆଉ କେହି ନୁହେଁ—ମାଳତୀ ।

 

ମାଳତୀ ହସ ହସ ମୁହଁରେ ଟୁନି ପାଖରେ ଠିଆହୋଇ କହିଲା—କାନ୍ଦିଲେ ଆଉ କ’ଣ ହେବ, ଖାଇପିଇ ମଉଜରେ ଏଠି ରୁହ । କାନ୍ଦିଲେ ତମ ସ୍ଵାମୀ ଏଠି ନାହାନ୍ତି ଯେ, ଆହୁରି ଥରେ ସମସ୍ତଙ୍କୁ ମାରି ତମ ଆଖିରୁ ଲୁହ ପୋଛିଦେବେ । ମୋର କଥା ମାନି ଗାଧୋଇ ଖିଆପିଆ କର, ନୋହିଲେ ତମକୁ ଖୁଆଇବା ପାଇଁ କାଲି ଯେଉଁମାନେ ମଦ ଖାଉଥିଲେ ସେମାନେ ଆସିବେ । ମୋ କଥା ମାନି ଯଦି ଖାଇବ, ତାହାହେଲେ କେତେବେଳେ କ’ଣ ହେବ ସିନା ଏଇକ୍ଷଣି କେହି ପୁରୁଷ ଏ ଘରକୁ ଆସିବେ ନାହିଁ ।

 

ଟୁନି ମାଳତୀର କଥା ଶୁଣୁ ଶୁଣୁ କଇଁ କଇଁ ହୋଇ କାନ୍ଦି ମାଳତୀକୁ କୁଣ୍ଢାଇ ପକାଇ ଥର ଥର ଗଳାରେ କହିଲା—ମୋତେ ଛାଡ଼ିଦେଇ ଆସ ମାଳତୀ !

 

ମାଳତୀ ହସି ହସି କହିଲା—ସେତ ପଛକଥା ଟୁନି ଦେଈ, ଆସ ମୋ ସାଙ୍ଗରେ ଗାଧୋଇବ ।

 

ମାଳତୀ ଉଠି ଠିଆ ହେଲା । ଟୁନି ଖଟ ଉପରେ ସେମିତି ବସିଥାଏ । ମାଳତୀ ଟିକିଏ ଅପେକ୍ଷା କରି ଟୁନିର ହାତ ଧରି ଟାଣି ଆଣି କହଲା—ଆସ, ମୋ ସଙ୍ଗରେ ଆସ ।

 

ଟୁନି ବାଧ୍ୟ ହୋଇ ତା’ରି ପଛେ ପଛେ ଚାଲିଲା !

 

ମାଳତୀ ସେହି କୋଠରିର ଦରଜା ଫିଟାଇ ଗୋଟାଏ ଉପରକୁ ପାହାଚ ହୋଇଥିବା ଗଳିବାଟ ଦେଇ ଅନ୍ୟ ଏକ ଖଞ୍ଜାରେ ପହଞ୍ଚିଲା । ଛୋଟ ଖଞ୍ଜାଟିଏ, ଚାରିପାଖରେ ଏକମହଲା କୋଠା । ମାଳତୀ ଆଗେ ଆଗେ ଯାଇଁ ଗୋଟିଏ କୋଠରି ଭିତରକୁ ଟୁନିକୁ ପେଲି ଦେଇ କହିଲା–ସେହି ଘରେ ପାଇଖାନା, ଦାନ୍ତକାଠି, ପାଣି ଲୁଗା ଇତ୍ୟାଦି ରଖାଯାଇଛି । ସେଇଠି ସମସ୍ତ କାମ ଚଞ୍ଚଳ ସାର, ମୁଁ ଟିକିଏ ଛାଡ଼ି ଆସୁଛି ! ଟୁନି ଭିତରକୁ ପଶିଲାକ୍ଷଣି ମାଳତୀ ବାହାରୁ କବାଟ ବନ୍ଦ କରିଦେଲା ।

 

ଟୁନି ଆଖିରୁ ଲୁହପୋଛି ଘରର ଚାରିଆଡ଼କୁ ଅନାଇଁଲା । ଘରେ ସମସ୍ତ ଜିନିଷ ସଜଡ଼ା ହୋଇ ରଖା ହୋଇଛି । କାଲି ସକାଳେ ନିଜ ବସାରେ କେତେ ସୁଖ ଶାନ୍ତିରେ ଦିନ କଟୁଥିଲା ଆଜି ପୁଣି ସେ କେଉଁଠି ! କେଉଁ ନର୍କପୁରୀ ଭିତରେ ଆବଦ୍ଧ ରହିଛି । କାହାନ୍ତି ତାର ମହେନ୍ଦ୍ରବାବୁ ? ସେ ଯେତେବେଳେ ଶୁଣିବେ, ଡକାୟତ ଦଳ ମୋତେ ହରଣଚାଳ କରି ଆଣିଛନ୍ତି, ସେତେବେଳେ ଯେ ତାଙ୍କ ଅବସ୍ଥା କ’ଣ ହେବ କହି ହେଉ ନାହିଁ । ଟୁନି ଆଉ ଭାବି ପାରିଲା ନାହିଁ । ମୁହଁରେ ଲୁଗାଦେଇ କଇଁ କଇଁ ହୋଇ କାନ୍ଦିଉଠିଲା ।

 

କିଛି ସମୟ ବିତିଗଲା, ଟୁନି ଚମକି ପଡ଼ି ନିଜ ଆଖିରୁ ନିଜେ ଲୁହପୋଛି ଯାଇତାଇ ଦାନ୍ତପତ୍ର ଘଷି ଗାଧୋଇ ପଡ଼ିଲା । ଟୁନିର ଏକମାତ୍ର ଡର, ମାଳତୀ ଏ ଘରକୁ ଆସୁ ପଛକେ, ସେହି ମଦତିଦଳ ଯେପରି ଏ ଘରକୁ ନ ଆସନ୍ତୁ ।

 

ପ୍ରାୟ ଅଧଘଣ୍ଟା ପରେ ମାଳତୀ କବାଟ ଫିଟାଇ ସେ ଘର ଭିତରକୁ ପଶିଯାଇ କହିଲା–କାମ ସାରିଛ ତ ? ଏଥର ମୋ ସଙ୍ଗେ ସଙ୍ଗେ ଆସ । ଟୁନି ଯନ୍ତ୍ର ଚାଲିଲା ପରି ତାରି ପଛେ ପଛେ ଚାଲିଲା ।

 

ଟୁନି କାଲି ରାତିରେ ଯେଉଁ ଘରେ ଶୋଇଥିଲା, ସେହି ଘରକୁ ମାଳତୀ ପୁନର୍ବାର ନେଇ ଯାଇ କହିଲା—ଖଟତଳେ ପ୍ରସାଦ ରଖାଯାଇଛି । ନିଶ୍ଚିନ୍ତରେ ଖାଇ ପିଇ ଶୋଇ ରହ । ଅନ୍ୟ କାମରେ ମୁଁ ଯାଉଛି । ଫେରି ଆସି ଯଦି ମୁଁ ଦେଖେ, ତମେ ପ୍ରସାଦ ଖାଇ ନ ଥିବ, ତାହାହେଲେ କାଲି ସନ୍ଧ୍ୟାବେଳେ ଯେଉଁ ମରଦ ସବୁ ମଦ ପିଉଥିଲେ, ସେମାନଙ୍କ ମଧ୍ୟରୁ ଦି’ଜଣଙ୍କୁ ଆଣି ଏ ଘରେ ପୂରାଇ ବାହାରୁ କବାଟ କିଳିଦେବି । ତା’ପରେ ସେ ଘରେ ରହି ତମକୁ ଯେପରି ଉପାୟରେ ଖୁଆନ୍ତୁ ବା ଯାହା କରନ୍ତୁ, ମୋତେ ଦୋଷ ଦେବ ନାହିଁ ।

 

ମାଳତୀ ଆଉ କାଳ ବିଳମ୍ବ ନ କରି ବାହାରୁ କବାଟ ଦେଇ ଚାଲିଗଲା ।

 

ଟୁନି ପ୍ରାୟ ଦଶମିନିଟ କାଳ ତଳେ ବସି ରହି ଦୀର୍ଘନିଶ୍ୱାସ ଛାଡ଼ି କେତେ କ’ଣ ଭାବିଗଲା । ଏଠୁ ଯିବାର ଆଉ ଉପାୟ କ’ଣ । ଏଠି ଯେ ମୁଁ ଅଟକ ହୋଇରହିଛି, ଏ କଥା କିଏ ବା କିପରି ଜାଣିବ ? ସିଏ ନିଜେ ଜାଣିନାହିଁ କେଉଁଠି ସେ ଅଛି ବୋଲି । ହଠାତ୍ ମାଳତୀର କଥା ମନେପଡ଼ି ଟୁନି ଚମକି ପଡ଼ିଲା—କାଳେ ଯଦି ମାଳତୀ ଏଇକ୍ଷଣି ଆସି ଦେଖିବ ସେ ଖାଇ ନାହିଁ, ତାହାହେଲେ ଦି’ଜଣ ମଦତି ଗୁଣ୍ଡା ଏ ଘରେ ପୂରାଇ ଦେଇଯିବ ! ଟୁନିର ଦେହ ସେ କଥା ଭାବି ଶିହରି ଉଠିଲା । ସବୁକଥା ଭୁଲି ଖଟତଳୁ ପ୍ରସାଦ ଥାଳିଟି ଟାଣିଆଣି କେବଳ ଭୟରେ ପାଗଳୀଙ୍କ ପରି ଖାଇବାକୁ ଲାଗିଲା ।

 

ପ୍ରାୟ ଅଧଘଣ୍ଟା ପରେ ମାଳତୀ କବାଟ ଫିଟାଇ ଆସି ଦେଖିଲା ଟୁନି ପ୍ରସାଦ ଖାଉଛି । ତେଣୁ ଖୁସି ହୋଇ ଟୁନିର ଖଟିଆ ପାଖରେ ଠିଆ ହୋଇ କହିଲା—ଖାଇ ପିଇ ଏଠି ମଉଜ କର, ନିଜ ସ୍ଵାମୀ କଥା ଏଥର ମନରୁ ପାଶୋରି ଦିଅ । ଥରେ ତମକୁ ସେ ଉଦ୍ଧାର କରିଥିଲେ ବୋଲି କ’ଣ ଏଥର ଭାବିଛ, ସେ ଏ ସ୍ଥାନର ସନ୍ଧାନ ପାଇବେ ? ଆରଥର ସିନା ତାଙ୍କ ଆଗରେ ତମ ବେକକୁ ଅର୍ଗଳି ଭିତରେ ପୂରା ଯାଇଥିଲା, ଏଥର ତମେ ନିଶ୍ଚିନ୍ତ ରୁହ । ତମକୁ ଏଥର ବଳି ଦିଆଯିବ ନାହିଁ, ତମ ଆଗରେ ତମ ସ୍ଵାମୀଙ୍କୁ ବଳି ଦିଆଯିବ । ସେଦିନ ସେ ବଳିଦିଆ ଦୃଶ୍ୟ ଦେଖି ଏ ଦଳର ଆନନ୍ଦର ଆଉ ସୀମା ରହିବ ନାହିଁ । ତମର ସ୍ଵାମୀ ଏ ଦଳର ସର୍ବନାଶ କରିଛନ୍ତି ।

 

ଟୁନି ମାଳତୀଠାରୁ ଏ ନିଷ୍ଠୁର କଥା ଶୁଣୁ ଶୁଣୁ ଆଖିରୁ ଲୁହଗଡ଼ାଇ ବିକଳ ହୋଇ କହିଲା—ମୋତେ ଏଭଳି ଆଣିବାରେ ଚାରିଆଡ଼େ ମୋ ନାଆଁରେ କଳଙ୍କ ବୋଳି ହୋଇଯିବଣି । ମୋର ଜୀବନକୁ ଆଉ ଲୋଭ ନାହିଁ । ମୋତେ ଅର୍ଗଳିରେ ପୂରାଇ ବଳି ଦିଅ ପଛକେ, ତାଙ୍କୁ ଧରି ଆଣି ଆଉ ମାର ନାହିଁ । ତୋ ପାଦ ଧରୁଛି—ମାଳତୀ !

 

ମାଳତୀ, ଟୁନିର ହାତକୁ ଉଠାଇଦେଇ କେବଳ ବିଦ୍ରୂପରେ ହସିବାକୁ ଲାଗିଲା ।

 

ଦୀପାନ୍ତର ଏବଂ ଦୀର୍ଘକାଳ କାରାଦଣ୍ଡ ଭୋଗୁଥିବା ଡକାୟତ ଦଳ ଜେଲରୁ କୌଶଳରେ ପଳାୟନ କରିବା ପ୍ରାୟ ଚାରିମାସ ହୋଇଗଲାଣି । ଏହି ଚାରିମାସ ମଧ୍ୟରେ ମହେନ୍ଦ୍ରବାବୁଙ୍କ ସ୍ତ୍ରୀଙ୍କୁ ହତ୍ୟା ଏବଂ ସହର ଓ ମଫସଲରେ ବଡ଼ଲୋକ, ମହାଜନଙ୍କ ଘରୁ ବଡ଼ ଧରଣର ଚୋରି ହେଉଥିବା ଯୋଗୁ ଚାରିଆଡ଼େ ବଡ଼ ଚାଞ୍ଚଲ୍ୟ ଖେଳି ଯାଇଛି । ସମ୍ମିଳିତ ଭାବରେ ପ୍ରଦେଶର ସମୂହ ପୋଲିସ ବିଭାଗ ଏହି ଭୀଷଣ ଡକାୟତଦଳର ସନ୍ଧାନ ପାଇବା ପାଇଁ ଲାଗି ପଡ଼ିଥିଲେ ସୁଦ୍ଧା ଦୀର୍ଘ ସମୟ ଭିତରେ କୌଣସିଠି ତାର ପତ୍ତା ମିଳି ନାହିଁ । ତେବେ ଗୋଇନ୍ଦା ବିଭାଗର ତନଖୀ ଯୋଗୁ ପ୍ରଦେଶରେ ଅନେକ ଛୋଟ ଛୋଟ ଦଳ ଧରା ପଡ଼ିଛନ୍ତି ।

 

ଦିନ ପରେ ଦିନ ବିତି ଯାଇଥିଲେ ବି, ପୁଲିସ ବିଭାଗର ଶତ ଚେଷ୍ଟା ସତ୍ତ୍ଵେ ସେହି ଡକାୟତ ଦଳର ସନ୍ଧାନ ନ ମିଳିବାରୁ ସରକାରୀ ମହଲରେ ଏକ ଚିନ୍ତାର ବିଷୟ ହୋଇପଡ଼ିଛି । ତା’ ସଙ୍ଗେ ସଙ୍ଗେ ସହର ଓ ମଫସଲରେ ବଡ଼ଲୋକମାନଙ୍କର ମଧ୍ୟ ଆତଙ୍କ ବଢ଼ି ଯାଇଛି ।

 

ସେଦିନ ରବିବାର । କଟକର ପୋଲିସ ସାହେବ ଗଗନବାବୁ ନିଜ ବସାରେ ସକାଳ ଚା’ ଜଳଖିଆ ଖାଇସାରି ଅଫିସରେ ବସି କେତେକ ବାକିଆ କାଗଜପତ୍ର ଉପରେ ଦସ୍ତଖତ କରୁଛନ୍ତି ! ଅଫିସ ଚପରାଶି ଗଗନବାବୁଙ୍କ ନିଜ ନାମରେ ଆସିଥିବା କେତେକ ଘରୋଇ ଚିଠି ଆଣି ଦେଇଗଲା । ଗଗନବାବୁ ଅଫିସ କାମ ବନ୍ଦ କରି ଗୋଟିକ ପରେ ଗୋଟିଏ ଚିଠି ଦେଖିବାକୁ ଲାଗିଲେ ।

 

ସେଥିଭିତରୁ ଖଣ୍ଡକରେ ଲେଖାଅଛି—

 

ମହାଶୟ,

 

ଆପଣ ଆମ ଦଳର ସନ୍ଧାନ ପାଇବା ପାଇଁ ସମୁଦାୟ ପୋଲିସ ବିଭାଗକୁ ଲଗାଇଛନ୍ତି କାହିଁକି ? କିଛିଦିନ ତଳେ ଆପଣଙ୍କର ଗୋଇନ୍ଦା ମହେନ୍ଦ୍ର ବାବୁଙ୍କ ଦଶା ଯାହା ହୋଇଛି, ତାହାତ ଆପଣଙ୍କର ବେଶ୍ ମନେଥିବ । ସେହଭଳି ଏକ ଘଟଣା କ’ଣ ଆପଣ ଚା’ହାଁନ୍ତି ? ଏ ଚିଠି ପଢ଼ି ବୃଥା ଚେଷ୍ଟାରୁ ବିରତ ହୁଅନ୍ତୁ ।

 

ସ୍ଵାମୀବାବା ଜୀବିତ ଥିବା ପର୍ଯ୍ୟନ୍ତ ଏ ଦଳର ପ୍ରତିପତ୍ତି କୌଣସି ପ୍ରକାରେ କମିବ ନାହିଁ-। ସ୍ଵାମୀବାବାଙ୍କ ନିର୍ଦ୍ଦେଶରେ ଏ ଦଳ କାହାରି ଅମଙ୍ଗଳ କରିବାକୁ ଯାଇନାହିଁ । ଯେଉଁ ବଡ଼ ବଡ଼ ଚୋରି ପାଇଁ ଆପଣଙ୍କର ବିଭାଗ ବିବ୍ରତ ହୋଇପଡ଼ିଛି, ସେହି ଚୋରୀ ଧନ କ’ଣ ହୁଏ ଜାଣନ୍ତି-? ଦୁଃଖୀ ଦରିଦ୍ର, ଯେଉଁମାନଙ୍କ ପେଟକୁ ଦାନା ନାହିଁ, ପିନ୍ଧିବାକୁ କନା ନାହିଁ, ଯେଉଁମାନଙ୍କୁ ଆପଣଙ୍କ ଭଳି ବଡ଼ଲୋକ ଦେଖିଲେ ଖଣ୍ଡେ ଦୂରରୁ ନାକ ଟେକନ୍ତି, ସେହିମାନଙ୍କୁ ସେମାନଙ୍କ ଅଜାଣତରେ ସାହାଯ୍ୟ କରିବା ପାଇଁ ଗୁପ୍ତରେ ସମସ୍ତ ଅର୍ଥ ଖର୍ଚ୍ଚ ହୁଏ ।

 

ଆପଣ ଯେଉଁ କାର୍ଯ୍ୟକୁ ଅପହରଣ କହି ଅପରାଧ ଅନ୍ୟାୟ ବୋଲି ଭାବୁଛନ୍ତି, ଆମ ଦଳ ତାହାକୁ ସତ୍‍କର୍ମ, ମହତ ଉଦ୍ଦେଶ୍ୟ, ନ୍ୟାୟ ବୋଲି ମନେ କରନ୍ତି । ଭଗବାନଙ୍କ ଦୁନିଆରେ ସମସ୍ତଙ୍କର ସମାନ ଅଧିକାର ରହିବା କଥା, କିନ୍ତୁ ଆପଣମାନେ କ’ଣ ତାହା କରୁଛନ୍ତି ? ଦେଶର କେତେକ ଚତୁର ଖଣ୍ଟ ଦିନ ଦୁଇପ୍ରହରେ କେତେକ ନିରୀହ ଲୋକଙ୍କ ସର୍ବସ୍ୱ ଅପହରଣ କରି ବଡ଼ଲୋକ ହୋଇଛନ୍ତି । ଆଉ ଆପଣମାନେ ଆଇନ କରି ସେହିମାନଙ୍କୁ ସାହାଯ୍ୟ କରୁଛନ୍ତି । ଆମ ଦଳ କେବଳ ସେହି ଧୋବଲି ଚତୁର ଖଣ୍ଟଙ୍କର ଧନ ଅପହରଣ କରୁଛି ମାତ୍ର । ଆପଣଙ୍କର କଡ଼ା ନଜର ଦ୍ଵାରା ଏ ଦଳର କର୍ମ ଅନେକ ପରିମାଣରେ ଶିଥିଳ ହୋଇଯାଇଛି; କିନ୍ତୁ ସାବଧାନ ରୁହନ୍ତୁ, ଏ ଦଳର ମନରେ ଆପଣଙ୍କ ପ୍ରତି ଯେପରି ପ୍ରତିଶୋଧର ନିଆଁ ନ ଜଳେ । ସେତେବେଳେ କାହିଁକି ଏ ବୟସରେ ଆଉ ଆଖିରୁ ଲୁହ ଗଡ଼ାଇବେ । ଇତି ।

 

ଆପଣଙ୍କର….

 

ଗଗନବାବୁ ଚିଠି ଖଣ୍ଡିକ ପଢ଼ି ଅବାକ୍ ହୋଇଗଲେ । କିଛି ଦିନ ତଳେ ମହେନ୍ଦ୍ରବାବୁଙ୍କର ଅବସ୍ଥା ଯାହା ହେଲା, ଦରକାର ପଡ଼ିଲେ ତାଙ୍କର ଅବସ୍ଥା ବି ସେହିପରି ହୋଇଯିବ ! ଗଗନବାବୁ ଭୟରେ ଆଖି ଖୋସି ସେହି ଚିଠି ଖଣ୍ଡିକ ଆଡ଼େ ଅନାଇ ରହିଲେ । ଏକ ଦିଗରେ ତାଙ୍କର ସ୍ତ୍ରୀ, ପିଲା ଛୁଆ, ଅନ୍ୟ ଦିଗରେ ସେ ପୋଲିସ ବିଭାଗର ଶ୍ରେଷ୍ଠକର୍ତ୍ତା—ପୋଲିସ ସାହେବ । ଯେ କୌଣସି ଦଳକୁ ଯବତ୍‍ କରିବାପାଇଁ ତାଙ୍କର ଅସ୍ତ୍ରଶସ୍ତ୍ରର ଅଭାବ ନାହିଁ । ଡକାୟତ ଦଳର ଏ ଧମକାଣରେ ସେ ଡରିଯିବେ ? କେବେ ନୁହେଁ । ପରମୁହୂର୍ତ୍ତରେ ମନ ନରମିଯାଏ । ଯଦି କୌଣସି ଉପାୟରେ ଡକାୟତ ଦଳ ତାଙ୍କର ଅନିଷ୍ଟ କରି ପକାନ୍ତି, ତାହା ହେଲେ ଆଉ ଉପାୟ କ’ଣ ଥିବ ! କୋଟି କାଟି ଟଙ୍କା ଦେଲେ ବି ତାହା ବଦଳାଇ ହେବ ନାହିଁ । ମହେନ୍ଦ୍ରବାବୁଙ୍କ ସ୍ତ୍ରୀ କଥା ମନେପଡ଼ି ଦେହ ତାଙ୍କର ଶିହରି ଉଠେ । ମୁଣ୍ଡ ଭିତରେ ଖୁବ୍ ଜୋରରେ ଘୂରେ ଘୂର୍ଣିବାୟୁ-

 

ଗଗନବାବୁ ଅନେକ ସମୟ ସେହି ଚିଠିଖଣ୍ଡିକ ହସ୍ତରେ ଧରି ବସି ବସି ଭାବିଲେ ଚିଠିଖଣ୍ଡିକ ନିଜର ସ୍ତ୍ରୀଙ୍କୁ ଡାକି ଦେଖାଇବେ, କିନ୍ତୁ ସେ ଏ ଚିଠିଖଣ୍ଡକ ଦେଖିଲେ କ’ଣ ଧୈର୍ଯ୍ୟ ଧରି ରହି ପାରିବେ ? ହୁଏତ ନ ଖାଇ ନ ପିଇ ଜିଦ୍ ଧରିବେ ଚାକିରୀ ଆମର ଦରକାର ନାହିଁ, ଆଜି ଇସ୍ତଫା ଦିଅ । ତାହାହେଲେ…ଉପାୟ କ’ଣ ? ଘରେ ଚବିଶି ଘଣ୍ଟା ଅଶାନ୍ତି ବଢ଼ିବ ।

 

ଗଗନବାବୁ ଧରିଥିବା ଚିଠି ଖଣ୍ଡିକ ବଡ଼ ସାବଧାନରେ ନିଜ ଟେବୁଲ୍ ଡ୍ର ଭିତରେ ରଖି ଭାବିଗଲେ—ପୋଲିସ ସାହେବ ହୋଇ ଗୋଟିଏ ଡକାଏତ ଦଳର ଧମକାଣରେ କିମ୍ବା ନିଜ କର୍ତ୍ତବ୍ୟରେ ସେ କେବେ ହେଳା କରିବେ ନାହିଁ । କାଲିଠାରୁ ନିଜ ବଙ୍ଗଳାର ଚାରିପାଖରେ ପହରା ରଖାଇବେ ।

 

ଦିନ ପରେ ଦିନ ବିତିଗଲା । ଗଗନବାବୁ ସବୁବେଳେ ଅଶାନ୍ତି ଅନୁଭବ କଲେ । ସେହି ଚିଠି ଖଣ୍ଡକର ଲେଖାରୁ ସେ ଭଲକରି ବୁଝିନେଲେ ଯେ, ଏହି ଦଳ କେତେଜଣ ଗୁଣ୍ଡା ଶ୍ରେଣୀର ଲୋକଙ୍କ ଦ୍ୱାରା ଗଠିତ ନୁହେଁ । ସେହି ଦଳ ଭିତରେ ନିଶ୍ଚୟ କେତେଜଣ ଚତୁର ଶିକ୍ଷିତ ଲୋକ ମଧ୍ୟ ଅଛନ୍ତି । ସେହିମାନଙ୍କର ସୂକ୍ଷ୍ମ ନିର୍ଦ୍ଦେଶରେ ଏସବୁ ପରିଚା’ଳିତ ହେଉଛି ।

 

ରାତିରେ ଶୋଇ ରହି ଗଗନବାବୁ ଭାବନ୍ତି, ଡକାୟତ ଦଳ ଧନ ଅପହରଣ କରିବାରେ ଯେଉଁ ନୀତି ଧରିଛନ୍ତି, ତାହା କ’ଣ ପ୍ରକୃତରେ ଅନ୍ୟାୟ ! ସାଧାରଣ ଲୋକ ହିସାବରେ ତାଙ୍କ ମନ ସିଆଡ଼କୁ ଢଳେ । ବାସ୍ତବିକ ଦୁଃଖୀ ଦରିଦ୍ରଙ୍କ ପାଇଁ କି ନିୟମ ଅଛି ? କିନ୍ତୁ ପୋଲିସ ସାହେବ ହିସାବରେ ନିଜ କର୍ତ୍ତବ୍ୟ ମନେପଡ଼ି ମନ ଭିତର ତାଙ୍କର ଗର୍ଜି ଉଠେ । କୌଣସି ଉପାୟରେ ବଦମାସ ଡକାୟତମାନଙ୍କୁ ଜବତ୍ କରିବାକୁ ହିଁ ହେବ ।

 

X X X

 

ଗଗନବାବୁ ଚିଠି ପାଇବାର ଦୁଇସପ୍ତାହ ହୋଇଲାଣି । ଏହି ଦୁଇ ସପ୍ତାହ ମଧ୍ୟରେ ଗଗନବାବୁଙ୍କଠାରୁ ଆସିଥିବା ଚିଠି ବିଷୟ ଦାୟିତ୍ୱପୂର୍ଣ୍ଣ ପୋଲିସ କର୍ମଚାରୀଙ୍କ ମହଲରେ ଆଉ ଅଛପା ହୋଇ ରହିନାହିଁ । କିପରି ଡକାୟତ ଦଳର ସନ୍ଧାନ ମିଳିବ, ସେଥିପାଇଁ ଆଗ ଅପେକ୍ଷା ସମସ୍ତ ଦିଗୁଣ ଉତ୍ସାହରେ ଲାଗି ପଡ଼ିଛନ୍ତି ।

 

ବାଲେଶ୍ଵରରୁ ଏ ବିଷୟ ଗୁପ୍ତରେ ଅନୁସନ୍ଧାନ କରିବାପାଇଁ ଆସିଥିବା ପ୍ରିୟନାଥବାବୁ ଓ ସୁରେଶବାବୁ ଗଲା କେତେ ସପ୍ତାହ ହେଲା ଭିନ୍ନ ଭିନ୍ନ ବେଶରେ କଟକ ଓ ପୁରୀର ବିଭିନ୍ନ ଜାଗା ଘୂରି ଘୂରି କେତେଜଣଙ୍କର ସନ୍ଦେହ କରିବା ଭଳି ଗତିବିଧି ଲକ୍ଷ୍ୟ କରିଛନ୍ତି । ହଠାତ୍‍ ଧରାଧରି କଲେ ପୂରା ଉଦ୍ଦେଶ୍ୟ ସାଧନ ହୋଇପାରିବ ନାହିଁ ବୋଲି କେବଳ ସେମାନଙ୍କର କୌଶଳରେ ପିଛା ଧରିବା ଛଡ଼ା ଅନ୍ୟ କିଛି କରି ନାହାନ୍ତି ।

 

X X X

 

ମହେନ୍ଦ୍ରବାବୁଙ୍କ ସ୍ତ୍ରୀଙ୍କୁ ହତ୍ୟା କରାଯିବାର ପ୍ରାୟ ଚାରିମାସ ହୋଇଗଲାଣି । ମହେନ୍ଦ୍ରବାବୁ ଅତି ମନ କଷ୍ଟରେ ଚାରିମାସ ଛୁଟି ନେଇଥିଲେ ସୁଦ୍ଧା ମୁହୂର୍ତ୍ତକ ପାଇଁ ବି ଟୁନିକୁ ଭୁଲି ପାରିନାହାନ୍ତି । ଟୁନିର ସୁନ୍ଦର ମୁହଁ, ପ୍ରେମଭରା ଥଟ୍ଟାଳିଆ କଥା ମନେପଡ଼ିଲେ ତାଙ୍କ ଆଖିକୋଣରେ ଲୁହ ଜକେଇ ଆସେ । ନିଜେ ନିଜ ହାତରେ ଲୁହ ପୋଛି ମନ ଭୁଲାଇବାପାଇଁ ଚେଷ୍ଟା କରନ୍ତି ।

 

ଛୁଟି ଶେଷ ହୋଇଯିବାରୁ ମହେନ୍ଦ୍ରବାବୁ ମୋଟେ ସାତଦିନ ହେଲା ଆସି ତାଙ୍କ ନିଜ କାର୍ଯ୍ୟ ଗୋଇନ୍ଦା ବିଭାଗର ଇନ୍‍ସପେକ୍‍ଟର ରୂପେ କାର୍ଯ୍ୟ ଭାର ନେଇଛନ୍ତି ।

 

ସେଦିନ ପ୍ରାୟ ସମୟ ଚାରିଟା ହେବ । ମହେନ୍ଦ୍ରବାବୁଙ୍କ ପାଖରେ ଥୁଆ ହୋଇଥିବା ଫୋନ୍‍ଟା ଝଣଝଣ ହୋଇ ବାଜି ଉଠିଲା । ମହେନ୍ଦ୍ରବାବୁ ଫୋନ୍‍ ଧରି ବୁଝିନେଲେ ଯେ ପୁରୀ ଟାଉନ ଥାନାର ଇନ୍‍ସପେକ୍‍ଟର ଗୋକୁଳିବାବୁ ତାଙ୍କୁ ଅଧଘଣ୍ଟା ପାଇଁ ଥାନାକୁ ଆସିବାକୁ ଅନୁରୋଧ କରୁଛନ୍ତି । ମହେନ୍ଦ୍ରବାବୁ ଉତ୍ତରରେ ଆଉ ଦଶମିନିଟ ପରେ ଯାଉଛି କହି ଫୋନ୍‍ ରଖିଦେଲେ ।

 

ପ୍ରାୟ ପନ୍ଦର ମିନିଟ ପରେ ମହେନ୍ଦ୍ରବାବୁ ଯାଇଁ ଦେଖିଲେ ଥାନାଟି ବିଭାଗୀୟ କର୍ମଚାରୀମାନଙ୍କ ଦ୍ଵାରା ପୂର୍ଣ୍ଣ । ମହେନ୍ଦ୍ରବାବୁ ପହଞ୍ଚି ଯିବାରୁ ଗୋକୁଳିବାବୁ ତାଙ୍କୁ ବସିବାକୁ ଚୌକି ଦେଖାଇ ଦେଲେ । ଥାନାରେ ଏପରି ଗହଳି ଦେଖି ମହେନ୍ଦ୍ରବାବୁ ଟିକିଏ ବିସ୍ମିତ ହୋଇ ପଚାରିଲେ–ଘଟଣା କ’ଣ ଗୋକୁଳିବାବୁ ?

 

ଗୋକୁଳିବାବୁ, ମହେନ୍ଦ୍ରବାବୁଙ୍କ ହସ୍ତକୁ ଖଣ୍ଡେ ସିଗାରେଟ୍‍ ବଢ଼ାଇ ଦେଇ କହିଲେ—ବର୍ତ୍ତମାନ ଏ ଚୌକିଦାର, ସୁନ୍ଦରଭାବେ ରଙ୍ଗକରା ହୋଇଥିବା ଏହି ମଜଭୁତ୍‍ କାଗଜଗୁଡ଼ିକୁ ଆଣି ପହଞ୍ଚିଲା । ଜଗନ୍ନାଥ ସଡ଼କର ପାଞ୍ଚମାଇଲ ଦୂରରେ ଗୋଟାଏ ଧାନ ବିଲରେ ଏଗୁଡ଼ାକ ପୋତା ହୋଇଥିଲା । କଡ଼ା ବାର୍ଣ୍ଣିସ ରଙ୍ଗ ଯୋଗୁ କାଗଜ ଗୁଡ଼ିକ ନଷ୍ଟ ନ ହୋଇ ଅକ୍ଷୁର୍ଣ୍ଣ ରହିଛି । ଏହି କାଗଜଖଣ୍ଡ ସବୁ ଯୋଡ଼ାଯୋଡ଼ି କରିବାରେ ଦେଖାଯାଉଛି, ଏଗୁଡ଼ିକ ଯେପରି ଗୋଟିଏ ମଟରର ସମୁଦାୟ ଅଂଶରେ ମଡ଼ାଇ ଦିଆ ଯାଇଥିଲା । ମୋର ଅନୁମାନ ଆପଣଙ୍କ ଘରେ ଯେଉଁ ଦୁର୍ଘଟଣା ଘଟିଲା, ସେହିଦିନ ବୋଧହୁଏ ପୋଲିସ ଆଖିରେ ଧୂଳି ଦେବାପାଇଁ ଅନ୍ୟ କୌଣସି ରଙ୍ଗର ମଟରରେ ଏହି ରଙ୍ଗକରା କାଗଜ ମଡ଼ାଇ ନାଲି ରଙ୍ଗର ମଟର କରି ସେମାନେ ଏ କାଣ୍ଡ ଘଟାଇଛନ୍ତି ।

 

ମହେନ୍ଦ୍ରବାବୁ ଏ କଥା ଶୁଣୁ ଶୁଣୁ ଗୋଇନ୍ଦାଗିରି ଭାବନାରେ ତାଙ୍କ ମସ୍ତିସ୍କ ଆନ୍ଦୋଳିତ ହେବାକୁ ଲାଗିଲା । ହଠାତ୍ ତାଙ୍କ ମନକୁ କାହିଁକି ଖିଆଲ ଆସିଲା—ଟୁନିକୁ ଯଦି ମାରିବାର କଥା, ତାହାହେଲେ କେବଳ ମାରିଦେଇ ଥିଲେ ହୋଇଥାନ୍ତା, ତାର ବାଁ ହାତଟା କାହିଁକି ସେମାନେ ସେଠି ପକାଇଥାନ୍ତେ ? ଶରୀରର ଅନ୍ୟ ଅଂଶ ଲୁଚାଇବାର ଉଦ୍ଦେଶ୍ୟ କ’ଣ ? ତା’ ଛଡ଼ା ତାକୁ ନେଇଗଲା ଦିନ ମଟର ରଙ୍ଗ ବଦଳା ବଦଳି କାହିଁକି ? ତାହାହେଲେ କଣ ଟୁନିକୁ ସେମାନେ ନ ମାରି ଘେନି ଯାଇଛନ୍ତି । ଆଉ ତା’ ବଦଳରେ ସମସ୍ତଙ୍କ ମନରେ ଧାରଣା ଜନ୍ମାଇବା ପାଇଁ ଅନ୍ୟ ଉପାୟରେ ଟୁନିର ମୃତ୍ୟୁଲୀଳା ସମସ୍ତଙ୍କ ସାମନାରେ ଦେଖାଇଛନ୍ତି ? ସେହି ଦଳ ଦ୍ଵାରା କୌଣସି କଥାତ ଅସମ୍ଭବ ନୁହେଁ ! ତା’ଛଡ଼ା ଏ ଦଳରେ ଯେ ଏଥିମଧ୍ୟରେ ଅନେକ ବୁଦ୍ଧିମାନ କୌଶଳୀ ପୁରୁଷ ଯୋଗ ଦେଇଛନ୍ତି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

 

ମହେନ୍ଦ୍ରବାବୁ ସେହି କାଗଜଗୁଡ଼ିକ ଆଡ଼େ ଅନେକକ୍ଷଣ ଚା’ହିଁ ନୀରବ ରହିବାରୁ ଗୋକୁଳିବାବୁ ପଚାରିଲେ—କ’ଣ ଭାବୁଛନ୍ତି ମହେନ୍ଦ୍ରବାବୁ ? ମୋ ଅନୁମାନ ଠିକ୍ କି ନୁହେଁ, ଦେଖନ୍ତୁ-। ଏହା କହି ପୁନର୍ବାର ସେ କାଗଜଗୁଡ଼ିକ ସଜାଇ ଦେବାପାଇଁ ପାଖରେ ଠିଆ ହୋଇଥିବା ଦି’ଜଣ କନେଷ୍ଟବଳଙ୍କୁ ଆଦେଶ ଦେଲେ ।

 

ମହେନ୍ଦ୍ରବାବୁ ସଜିତ ହେବା କାଗଜ ଗୁଡ଼ିକ ଦେଖିସାରି କହିଲେ—ଆପଣଙ୍କ ଅନୁମାନ ଠିକ୍ । ତେବେ ଡକାୟତ ଦଳ ପୁରୀ ଛାଡ଼ି, ସେହିଦିନ ରାତାରାତି ଚାଲି ଯାଇଥିଲେ ବୋଲି ଏହାର ପ୍ରମାଣ ମିଳିଲା । ସେମାନଙ୍କର ପତ୍ତା ପାଇବାପାଇଁ ଏଥିମଧ୍ୟରେ ମୁଁ ସନ୍ଧାନ ଲଗାଉଛି । ଏଥର ଆଉ ମୋ ଜୀବନକୁ ଭୟ ନାହିଁ ।

 

ଆଉ କିଛି ସମୟ ସେହି ବିଷୟରେ କଥାବାର୍ତ୍ତା ହୋଇ ମହେନ୍ଦ୍ରବାବୁ ସାଢ଼େ ପାଞ୍ଚଟାବେଳେ ବସାକୁ ଫେରି ଆସିଲେ । ଆଜି ବାରମ୍ବାର ଟୁନି କଥା ମନେ ପଡ଼ିବାରୁ ଘରଟା ତାଙ୍କୁ ବଡ଼ ନିଶୁନ ଲାଗୁଥାଏ ।

 

ସନ୍ଧ୍ୟା ହେଲା । ମହେନ୍ଦ୍ରବାବୁ ବିଛଣାରେ ଆସି ଶୋଇ ପଡ଼ିଲେ । ତାଙ୍କ ମନରେ କାହିଁକି ଆଜି ସେହି ଗୋଟାଏ ଧାରଣା ବାରମ୍ବାର ଉଙ୍କି ମାରୁଛି—ହୁଏତ ଟୁନି ମରି ନାହିଁ, ଡକାୟତଦଳ ତାକୁ ହରଣଚାଳ କରି ନେଇଛନ୍ତି । ଏ କଥା ମନରେ ପଡ଼ିଲାକ୍ଷଣି ମହେନ୍ଦ୍ରବାବୁଙ୍କ ଶରୀର ଆନନ୍ଦରେ ରୋମାଞ୍ଚିତ ହୋଇଉଠେ । ସତେ କ’ଣ ଟୁନି ବଞ୍ଚିଛି ! ଯଦି ବଞ୍ଚିଥାଏ ତାହାହେଲେ ବିଚାରୀ ତାଙ୍କୁ ଭାବି ଭାବି କ୍ଷୀଣ ହୋଇଯିବଣି । ମହେନ୍ଦ୍ରବାବୁଙ୍କ ଭାବନା ସ୍ଥିର ହୋଇଯାଏ ।

 

ପୁଣି କିଛି ସମୟ ବିତିଯାଏ, ମହେନ୍ଦ୍ରବାବୁ କର ଲେଉଟାଇ ଟୁନି ଯେ ମରିନାହିଁ, ଏ କଥା ସଠିକ୍‍ ଭାବେ ପ୍ରମାଣ କରିବା ପାଇଁ ଭାବିବସନ୍ତି । ଟୁନିକୁ ଯଦି ସେମାନେ ପ୍ରକୃତରେ ମାରିଥାନ୍ତେ, ତାହାହେଲେ ତା’ ଦେହରୁ ବ୍ଲାଉଜ୍ ଖଣ୍ଡକ କାଢ଼ିଥାନ୍ତେ ବା କାହିଁକି ? ବ୍ଲାଉଜଟା ରକ୍ତ ସଡ଼ବଡ଼ ହୋଇ ଅନ୍ୟ ଜାଗାରେ ପଡ଼ିଥାନ୍ତା ବା କାହିଁକି ? ଏ ନିଶ୍ଚୟ ସେହି ଦଳର କାରସାଦି । ଟୁନିକୁ ସେମାନେ ପ୍ରକୃତରେ ମାରି ନାହାନ୍ତି । ସମସ୍ତଙ୍କ ମନରେ ନିଃସନ୍ଦେହର ଧାରଣା ଜନ୍ମାଇବା ପାଇଁ ସେମାନେ ଏପରି କରିଛନ୍ତି । ମଣିଷର ଖଣ୍ଡିଆ ବାଁ ହାତଟା ହୁଏତ କୌଣସି ମଲା ମଣିଷର ହୋଇଥିବ, ସେହି ମଲାହସ୍ତରେ ଟୁନି ହାତରୁ କାଚ କାଢ଼ି ହୁଏତ ସେମାନେ ପିନ୍ଧାଇ ଦେଇଥିବେ । ପୁଲିସ ଆଖିରେ ଧୂଳି ଦେବାକୁ ଏବଂ ସମସ୍ତଙ୍କ ମନର ସଠିକ ଧାରଣା ଜନ୍ମାଇବା ପାଇଁ ବିଶ୍ଵାସ କଲାଭଳି ଘଟଣା ସଜାଇ ଦେବା ସେ ସେ ଦଳ ପକ୍ଷରେ ଅସମ୍ଭବ କଥା ନୁହେଁ । ସେ ଭଙ୍ଗା ଘରେ ଅଭିନୟ କଲାଭଳି ପଡ଼ିଥିବା ରକ୍ତ ହୁଏତ କୌଣସି ପଶୁ ରକ୍ତ ହୋଇଥିବ ।

 

ମହେନ୍ଦ୍ରବାବୁ ଘଟିଥିବା ଘଟଣାକୁ ଯେତିକି ତନ୍ନ ତନ୍ନ ବିଚାର କରିବାକୁ ଲାଗିଲେ, ତାଙ୍କର ଧାରଣା ସେତିକି ଦୃଢ଼ ହେଲା ଯେ ଟୁନିକୁ ସେମାନେ ପ୍ରକୃତରେ ନ ମାରି ହରଣଚାଳ କରି ନେଇଛନ୍ତି । ତାହାହେଲେ ସେ ବୃଥାରେ ଏତେଗୁଡ଼ାଏ ଦିନ ଡକାୟତ ଦଳର ଷଡ଼ଯନ୍ତ୍ର କୌଶଳରେ ଭୁଲି କଟାଇ ଦେଲେ । ଏହି ସମୟ ଭିତରେ ଧୈର୍ଯ୍ୟ ଧରି ଅନୁସନ୍ଧାନ କରିଥିଲେ ହୁଏତ ଟୁନିର ସନ୍ଧାନ ପାଇ ପାରିଥାନ୍ତେ । ଏକଥା ଭାବୁ ଭାବୁ ତାଙ୍କ ଆଖି ଆଗରେ ନାଚିଯାଏ ଟୁନିର ସୁନ୍ଦର ରୂପ, ଯୌବନ, ଲୀଳାୟିତ ଅଙ୍ଗ ଭଙ୍ଗୀ । ମହେନ୍ଦ୍ରବାବୁ ପାହାଡ଼ ପରି ଆଶା ବାନ୍ଧି ଭାବନ୍ତି—ସତେ ଆଉ ଟୁନି ତାଙ୍କର ଫେରି ଆସିବ ? ନୀଳ ଶାଢ଼ିର ପଣତ ଉଡ଼ାଇ ଏ ଘର ଦ୍ୱାରକୁ ପୁଣି ଅପ୍‍ସରା ଭୁବନ ପାଲଟାଇବ ?

 

ତହିଁ ଆରଦିନ ସକାଳୁ ମହେନ୍ଦ୍ରବାବୁ ଗାଧୋଇ ଜଳିଖିଆ ଖାଇ ଦେଇ ସିଧା ଦଉଡ଼ାରେ ଥାନାକୁ, କିନ୍ତୁ ସମୟ ଆଠଟା ହୋଇଥିଲେ ବି ଗୋକୁଳିବାବୁ ସେ ପର୍ଯ୍ୟନ୍ତ ଥାନାକୁ ଆସି ନଥିଲେ-। ବସାରେ ତାଙ୍କର ଦେଖା ମିଳିବ ବୋଲି ତାଙ୍କ ବସାକୁ ଯାଇଁ ଦେଖିଲେ—ଗୋକୁଳିବାବୁ ଥାନାକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି । ମହେନ୍ଦ୍ରବାବୁଙ୍କୁ ଦେଖି ଟିକଏ ବିସ୍ମିତ ହେଲାପରି କହିଲେ–ଆସନ୍ତୁ ମହେନ୍ଦ୍ରବାବୁ, ଆପଣ କୁଆଡ଼େ ?

 

ମହେନ୍ଦ୍ରବାବୁ ଖଣ୍ଡେ ଚେୟାରରେ ବସି ପଡ଼ି କହିଲେ—ଆପଣ ବସନ୍ତୁ, କେତେକ କଥାବାର୍ତ୍ତା ଥିଲା । ଗୋକୁଳିବାବୁ ଆଗ୍ରହରେ କଥାବାର୍ତ୍ତା ହେବାପାଇଁ ଆଉ ଖଣ୍ଡେ ଚେୟାର ଟାଣି ବସି ପଡ଼ିଲେ । ତା’ପରେ ମହେନ୍ଦ୍ରବାବୁ ଆରମ୍ଭ କଲେ—ଆଚ୍ଛା ଗୋକୁଳିବାବୁ, ସେଦିନ ଖୁନ୍ ହେଲା ଦିନ ଆପଣ ବାଁ ହାତ ଏବଂ ରକ୍ତ ବଲବଲ ହୋଇଥିବା ବ୍ଲାଉଜ ଇତ୍ୟାଦି ପରୀକ୍ଷା କରାଇଥିଲେ ତ-?

 

ଗୋକୁଳିବାବୁ ଟିକିଏ ଭାବି ଚିନ୍ତି କହିଲେ—ଆପଣଙ୍କ ସ୍ତ୍ରୀଙ୍କୁ ଯେ ହତ୍ୟା କରାଯାଇଛି, ଏହା ନିଃସନ୍ଦେହରେ ଯେତେବେଳେ ଆମେ ଜାଣିଲୁ, ସେତେବେଳେ ଆଉ ରକ୍ତ ଇତ୍ୟାଦି ପରୀକ୍ଷା କରିବାର କୌଣସି ଆବଶ୍ୟକତା ରହିଲା ନାହିଁ । କେବଳ ଯଦି ରକ୍ତ ପଡ଼ିଥାନ୍ତା, ତାହାହେଲେ ପରୀକ୍ଷା କରିବାପାଇଁ ପଠା ଯାଇଥାନ୍ତା । ଆପଣ ଆଉ କ’ଣ ଭାବୁଛନ୍ତି—ମହେନ୍ଦ୍ରବାବୁ ?

 

ମହେନ୍ଦ୍ରବାବୁ କହିଲେ—ମୁଁ ସେମିତି କିଛି ଭାବୁନାହିଁ, ତେବେ କାଲି ଆପଣ ଯେଉଁ ନାଲି ରଙ୍ଗର କାଗଜ ଗୁଡ଼ିକ ଜାଲ୍ ଭାବରେ ମଟର ଦେହରେ ଲଗାଇ ଦିଆଯାଇ ଥିବାର ଦେଖାଇଲେ, ସେଗୁଡ଼ିକ ଦେଖି ମୁଁ ଅନ୍ୟ ରକମ ଭାବୁଛି । ଦେଖାଯାଉ, ମୋର ଅନୁମାନ କେତେ ଦୂର ସଫଳ ହେଉଛି ।

 

ଗୋକୁଳିବାବୁ ଆଶ୍ଚର୍ଯ୍ୟ ହେଲାପରି ମହେନ୍ଦ୍ରବାବୁଙ୍କ ମୁହଁକୁ ଅନାଇଁ କହିଲେ—ଆପଣ ଅନ୍ୟ ରକମ ଭାବୁଛନ୍ତି ! ତାହାହେଲେ କ’ଣ ଆପଣଙ୍କ ସ୍ତ୍ରୀଙ୍କୁ ସେମାନେ ହତ୍ୟା କରି ନାହାନ୍ତି ! ତେବେ କଟା ବାଁହାତ ଖଣ୍ଡକ ଆସିଲା କେଉଁଠୁ ? ସେହି ହସ୍ତରେ ତ ସୁନା ଚୁଡ଼ି, ଆଙ୍ଗୁଠିରେ ପିନ୍ଧିଥିବା ମୁଦି ଦେଖି ଆପଣଙ୍କ ପିଉସୀ ଆପଣଙ୍କ ସ୍ତ୍ରୀଙ୍କର ହସ୍ତ ବୋଲି ଚିହ୍ନିଲେ ।

 

ମହେନ୍ଦ୍ରବାବୁ ଟିକିଏ ମୁରୁକି ହସି କହିଲେ—ମୁଁ ଏ ବିଷୟରେ ସଠିକ୍‍ ବା ନିଶ୍ଚୟ ଭାବରେ କିଛି କହିପାରିବି ନାହିଁ । ତେବେ ସାଧାରଣ ଲୋକର ବିଶ୍ଵାସ ଜନ୍ମାଇବା ଭଳି କୌଣସି ଘଟଣା ସଜାଇ ଦେବା ସେହି ଦଳ ପକ୍ଷରେ ଆଦୌ ଅସମ୍ଭବ କଥା ନୁହେଁ । ମୁଁ ଯେ ଏ ବିଷୟ ଅନୁସନ୍ଧାନ କରିବାକୁ ମନ ବଳାଇଛି, ଏକଥା ଯେପରି ଆପଣଙ୍କ ଛଡ଼ା ଅନ୍ୟ କେହି ନ ଜାଣନ୍ତି । କଥାଟା ଯଦି କୌଣସି ଉପାୟରେ ଡକାୟତ ଦଳର କାନକୁ ଯାଏ ତାହା ହେଲେ ଟୁନିର ଅବସ୍ଥା ଭଳି ମୋର ଅବସ୍ଥା ମଧ୍ୟ ହୋଇଯିବ ।

 

ଗୋକୁଳିବାବୁ କହିଲେ—ଏ କଥା ଗୁପ୍ତ ନ ରଖିବାର ବା କ’ଣ ଅଛି ! ଭଗବାନଙ୍କ ପାଖରେ ମୋର କାମନା, ଆପଣଙ୍କ ସ୍ତ୍ରୀ ନ ମରିବା ଅନୁମାନ ଯଦି ସଫଳ ହୁଏ, ତାହାହେଲେ ସମସ୍ତଙ୍କ ଅପେକ୍ଷା ମୁଁ ବେଶୀ ଖୁସି ହେବି ।

 

ମହେନ୍ଦ୍ରବାବୁ, ଗୋକୁଳିବାବୁଙ୍କ ଠାରୁ ବିଦାୟ ହୋଇ ନିଜ ଅଫିସକୁ ଫେରି ଆସିଲେ ।

 

X X X

 

ଗଲା ଛ’ ସପ୍ତାହ ହେଲା ମହେନ୍ଦ୍ରବାବୁ ଜୀବନକୁ ପାଣି ଛଡ଼ାଇ ସ୍ଵଇଚ୍ଛାରେ ଗୁପ୍ତରେ ସେହି ଡକାୟତ ଦଳର ସନ୍ଧାନ ନେବାକୁ କଟକ ଆସିଛନ୍ତି ।

 

ଗଗନବାବୁ ପୁନର୍ବାର ମହେନ୍ଦ୍ରବାବୁଙ୍କୁ ପାଇ ତାଙ୍କର ଆନନ୍ଦ ଖୁବ୍ ବଢ଼ିଯାଇଛି । ଆଗ ଅପେକ୍ଷା ଅନୁସନ୍ଧାନ ଖୁବ୍ ଜୋରରେ ଆରମ୍ଭ ହୋଇଛି ।

 

ସେଦିନ ମହେନ୍ଦ୍ରବାବୁ ଗଲା ସପ୍ତାହରେ ସଂଗ୍ରହ କରିଥିବା କେତେକ ମୂଲ୍ୟବାନ ତଥ୍ୟ ବିଷୟରେ ଗଗନବାବୁଙ୍କ ଗୁପ୍ତ ପରାମର୍ଶ କୋଠରିରେ ବସି ଆଲୋଚନା କରୁଛନ୍ତି, ଏହି ସମୟରେ ଗଗନବାବୁଙ୍କ ପ୍ରାଇଭେଟ୍ ସେକ୍ରେଟେରୀ ଖଣ୍ଡେ ରିପୋର୍ଟ ଗଗନବାବୁଙ୍କ ହାତକୁ ବଢ଼ାଇ ଦେଇ କହିଲେ ପ୍ରିୟନାଥବାବୁ ଓ ସୁରେଶବାବୁ ଆଜି ଏ ରିପୋର୍ଟ ପଠାଇଛନ୍ତି ।

 

ଗଗନବାବୁ ସେ ରିପୋର୍ଟ ଖଣ୍ଡିକ ଥରେ ପଢ଼ିସାରି ତା’ ପରେ ମହେନ୍ଦ୍ରବାବୁଙ୍କ ଆଗରେ ପଢ଼ି ଶୁଣାଇ ଦେଲେ—

 

ମହେନ୍ଦ୍ରବାବୁଙ୍କୁ ଚଞ୍ଚଳ ଏଠିକୁ ପଠାଇବେ । ଆମର ଏଥି ମଧ୍ୟରେ କେତେଜଣଙ୍କ ଉପରେ ସେହି ଦଳର ଲୋକ ବୋଲି ପୂରା ସନ୍ଦେହ ହୋଇଛି । ଆମର କେବଳ ସେମାନଙ୍କର ଗତିବିଧି ଲକ୍ଷ୍ୟ କରିବା ଛଡ଼ା ଅନ୍ୟ ଉପାୟ ନାହିଁ । ପ୍ରିୟନାଥବାବୁ ଆସିଲା ଦିନଠୁ କେବଳ ପଞ୍ଜାବୀ ପଠାଣ ବେଶରେ ରହିଛନ୍ତି । କାଲି ରାସ୍ତା ପାଖ ଗୋଟାଏ ଆମ୍ବଗଛ ଗନ୍ଧକର୍ପୂର ଓ ଇରାନୀ ଛୁରୀ ବିକୁଥିବାବେଳେ ଦୁଇଜଣ ଲୋକ ଦୁଇଟା ବଡ଼ ବଡ଼ ଛୁରୀ କହିବା ମୁତାବକ ଖୁବ୍ ଚଢ଼ା ଦାମରେ ବି କୌଣସି ଆପତ୍ତି ଓଜର ନ କରି କିଣି ନେଲେ I ମୁଁ ବାଟୋଇ ହିସାବରେ ସେମାନଙ୍କୁ ଲକ୍ଷ୍ୟ କଲି, କିନ୍ତୁ ସେମାନେ କୌଶଳରେ କେହି ନ ଦେଖିବା ଭଳି ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି I ଆମର ଅନୁମାନ, ସେହି ଦଳର ମଧ୍ୟ ଏଠି ଆଡ଼ା ଜାଗା ଅଛି । ମହେନ୍ଦ୍ରବାବୁଙ୍କୁ ନିଶ୍ଚୟ ଏଠାକୁ ପଠାଇବେ I

 

ମହେନ୍ଦ୍ରବାବୁ ସେହି ରିପୋର୍ଟଟି ପଢ଼ିସାରି କହିଲେ—ମୁଁ ଅନୁମାନ କରି ଜାଣି ପାରିଛି–ସେହି ଦଳର ଗତାଗତ କଟକ, ପୁରୀ ଜିଲ୍ଲା ମଧ୍ୟରେ ଆବଦ୍ଧ ରହିଛି I ଖଣ୍ଡଗିରି ତଳେ ଥିବା ଗୁମ୍ଫା ଭଳି ନିଶ୍ଚୟ ଏହି ଦୁଇ ଜିଲ୍ଲାରେ ସ୍ଥାନରେ ସେମାନଙ୍କର ଗୁପ୍ତ ନିବାସ ଅଛି I ମୁଁ କାଲି ସକାଳେ ପ୍ରିୟନାଥବାବୁଙ୍କୁ ସାହାଯ୍ୟ କରିବା ପାଇଁ ଭୁବନେଶ୍ୱର ଯିବି I

 

X X X

 

ତହିଁ ଆରଦିନ ମହେନ୍ଦ୍ରବାବୁ ମାରଓ୍ୱାଡ଼ି ଭଳି ମୁଣ୍ଡରେ ଟୋପି, ଦେହରେ ଲମ୍ବା କୋଟ ପିନ୍ଧି ଛଦ୍ମବେଶରେ ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇଲେ I ସିଧା ସେ ରାଜପୁତନାରୁ ପୁରୀ, ଭୁବନେଶ୍ୱର ଦର୍ଶନରେ ଆସିଛନ୍ତି ବୋଲି ପଣ୍ଡାମାନଙ୍କର ଭିଡ଼ ତାଙ୍କ ଚାରିପାଖରେ ଲାଗିଗଲା I ପଣ୍ଡାମାନଙ୍କର ଏ ଗୋଳମାଳ ଦେଖି ଛଦ୍ମବେଶୀ ମହେନ୍ଦ୍ରବାବୁ ଙ୍କୁ ହିନ୍ଦୀରେ କହିଲେ—ତାଙ୍କର ପଣ୍ଡା ଦରକାର ନାହିଁ I ସେ ସ୍ୱାସ୍ଥ୍ୟ ପାଇଁ ଏଠିକୁ ଆସିଛନ୍ତି I ଚାରି ଛ ସପ୍ତାହ ରହି ପୁରୀ ଯିବେ I ତାଙ୍କୁ ଦର୍ଶନ କରାଇ ଦେବାପାଇଁ ଯେ କୌଣସି ଜଣେ ପଣ୍ଡାକୁ ମୋଟେ ଏକ ଟଙ୍କା ଦେବେ I

 

ସେଥିରେ ମଧ୍ୟ ଗୋଳମାଳ କମିଲା ନାହିଁ, ଶେଷକୁ ରାଜପୁତନା ଆଡ଼ର ପଣ୍ଡା ବୋଲି ଦାବି କରୁଥିବା ଜଣେ ପଣ୍ଡାକୁ ତାଙ୍କ ସଙ୍ଗରେ ରହିବାକୁ କହି ଅନ୍ୟମାନଙ୍କୁ ନାସ୍ତି କରିଦେଲେ I ପଣ୍ଡା ବାରମ୍ବାର ତାଙ୍କ ନାମ ବୁଝିବାକୁ ଚାହିଁବାରୁ ମହେନ୍ଦ୍ରବାବୁ କହିଲେ—ତାଙ୍କ ନାମ ହେଉଛି—ରଘୁନାଥ ଅଗ୍ରଓ୍ୟାଲ ।

 

ଛଦ୍ମବେଶୀ ମହେନ୍ଦ୍ରବାବୁ ସିଧା ଖଣ୍ଡେ ବଳଦଗାଡ଼ି ଧରି ଧର୍ମଶାଳାରେ ପହଞ୍ଚିଲେ I ସେଠି ଗୋଟିଏ କୋଠରିରେ ଚାରି ଛ ଦିନପାଇଁ ରହି, ପରେ ବସା ଦେଖିବାକୁ ଧର୍ମଶାଳାର ମ୍ୟାନେଜେରଙ୍କଠାରୁ ଅନୁମତି ଆଣି ଖଟିଆ ଉପରେ ବିଛଣ ପତର ବିଛାଇ ଦେଲେ I ତା’ପରେ ତାଙ୍କ ସଙ୍ଗରେ ଆସିଥିବା ପଣ୍ଡାକୁ ଏକ ଟଙ୍କା ଦେଇ ପ୍ରସାଦ ନେଇ ଆସିବା ପାଇଁ ପଠେଇଲେ I ପଣ୍ଡା ଦର୍ଶନ ପାଇଁ ଯିବାକୁ ପ୍ରବର୍ତ୍ତାଇବାରୁ ଛଦ୍ମବେଶୀ ମହେନ୍ଦ୍ରବାବୁ କହିଲେ ମୁଁ ଗଲାଦିନ ଦର୍ଶନ କରି ଯିବି I ଆଜି ବଡ଼ କ୍ଲାନ୍ତ ହୋଇପଡ଼ିଛି I

 

ଚାରିଟା ବାଜିଲା I ଛଦ୍ମବେଶୀ ମହେନ୍ଦ୍ରବାବୁ ସେହି ମାରଓ୍ୱାଡ଼ି ପୋଷାକରେ ବାହାରେ ଟିକେ ଘୂରି ଆସିଲେ, ପ୍ରିୟନାଥବାବୁ ଓ ସୁରେଶବାବୁ, ସେ ଆସିଛନ୍ତି ବୋଲି ଜାଣିପାରିବେ ଭାବି ପଦାକୁ ବାହାରି ପଡ଼ିଲେ I

 

ଧର୍ମଶାଳା ଦୁଆର ମୁହଁରେ ଆସି ଦେଖନ୍ତି, ପ୍ରାୟ କୋଡ଼ିଏ ତିରିଶି ଜଣ ଲୋକ ଠିଆହୋଇ ଆନନ୍ଦରେ କୋଳାହଳ କରୁଛନ୍ତି I ଜଣେ ପଞ୍ଜାବୀ ଫଟ ଉଠେଇଲାବାଲା ହିନ୍ଦୀରେ ଡାକ ଛାଡ଼ିଛି—ଆଠ ଅଣାରେ ସୁନ୍ଦର ଫଟ ଉଠାଇ ନିଅ I ପନ୍ଦର ମିନିଟରେ ଫଟ ଦିଆଯାଏ I

 

ଶସ୍ତା ଓ ସଙ୍ଗେ ସଙ୍ଗେ ନିଜର ଫଟ ଦେଖିବା ଆଶାରେ ଫଟ ଉଠାଇବା ପାଇଁ ଲୋକ ଜମା ହୋଇଛନ୍ତି I

 

ମହେନ୍ଦ୍ରବାବୁ ଧର୍ମଶାଳାର ପାହାଚ ଉପରୁ ଓହ୍ଲାଇ ଆସିଲାକ୍ଷଣି ଫଟବାଲା ଡାକ ଛାଡ଼ିଲା—ସେଠଜୀ ଆସନ୍ତୁ, ରାଜା ଭଳି ଚେହେରା, ଫଟରେ ବଡ଼ ସୁନ୍ଦର ଦିଶିବ । ଏକଟଙ୍କା ଦେଲେ ଭଲକରି ଉଠାଇ, ଦୁଇଖଣ୍ଡି ଛବି ଦେବି ।

 

ଏତେ ଲୋକଙ୍କ ଆଗରେ ମାରଓ୍ୱାଡ଼ି ବେଶ ପିନ୍ଧିଥିବା ମହେନ୍ଦ୍ରବାବୁ ନିଜ ଚେହେରାର ପ୍ରଶଂସାରେ ଖୁସି ହୋଇ ଫଟ ଉଠାଇବାକୁ ଇଚ୍ଛା କରୁଥିଲେ, କିନ୍ତୁ ତାଙ୍କର ମନେ ପଡ଼ିଲା, ସେ ଗୋଇନ୍ଦା ବିଭାଗର ପୋଲିସ । ତାଙ୍କର ଫଟ ବାହାରେ ରହିବା ଉଚିତ ନୁହେଁ । ସେ ଫଟବାଲା ପାଖକୁ ଗଲାକ୍ଷଣି ଫଟବାଲା ଆଗରୁ ଉଠାଇଥିବା ଫଟଗୁଡ଼ିକ ତାଙ୍କୁ ଦେଖାଇ ଅନୁରୋଧ କଲା—ଆଜ୍ଞା, ଫଟ ଉଠାନ୍ତୁ, ଆଚ୍ଛା କରି ଫଟ ଉତାରି ଦେବି ।

 

ମହେନ୍ଦ୍ରବାବୁ ଫଟ ଗୁଡ଼ିକ ଦେଖୁ ଦେଖୁ ଭାବିଲେ—ଏହି ଫଟବାଲା ଅନେକ ଆଡ଼େ ବୁଳିଛି । ତା’ଠାରୁ ହୁଏତ କିଛି ସମ୍ବାଦ ମିଳିପାରେ । ଏଇ ଆଶାରେ ତାକୁ ଲୋଭ ଦେଖାଇ ହିନ୍ଦୀରେ କହିଲେ—ଆଜି ମୁଁ ତୁମକୁ ଜଳଖିଆ ଖାଇବା ପାଇଁ ଏକଟଙ୍କା ଦେଲି । ମୁଁ ଏହି ଧର୍ମଶାଳା ଉପର ମହଲା ୨୮ନମ୍ବର କୋଠରିରେ ଅଛି । କାଲି ଦି’ପହରେ ମୋତେ ଦେଖା କରିବ, ମୁଁ ପାଞ୍ଚଟଙ୍କା ଦେଇ ଭଲ ଫଟ ଉଠାଇବି ।

 

ଏତେ ଲୋକଙ୍କ ସାମନାରେ ଏକଟଙ୍କା ପାଇ ଏବଂ କାଲିକୁ ପାଞ୍ଚଟଙ୍କା ରୋଜଗାର କରିବାର ଭରସା ପାଇ ଫଟବାଲା ସଲାମ ବଜାଇ କୃତଜ୍ଞତା ଜଣାଇଲା । ମହେନ୍ଦ୍ରବାବୁ ସେଠାରୁ ଅନ୍ୟଆଡ଼େ ଚାଲିଗଲେ । ବାଟରେ ମଧ୍ୟ ମୁସଲମାନ ବେଶରେ ଥିବା ପ୍ରିୟନାଥ ବାବୁଙ୍କ ସହିତ ମହେନ୍ଦ୍ରବାବୁଙ୍କର ଦେଖାହେଲା । ସନ୍ଧ୍ୟାପରେ ସୁରେଶବାବୁଙ୍କ ହସ୍ତରେ ଧର୍ମଶାଳାକୁ ଖବର ପଠାଇବାକୁ, କହି ମହେନ୍ଦ୍ରବାବୁ ଅନ୍ୟ ଆଡ଼େ ଚାଲିଗଲେ ।

 

X X X

 

ସେହିଦିନ ରାତି ଆଠଟା । ମହେନ୍ଦ୍ରବାବୁ ବିନ୍ଦୁସାଗର କୂଳ ସିମେଟକରା ବେଞ୍ଚ ଉପରେ ବସି ହିନ୍ଦୀରେ ଭୁବନେଶ୍ୱର ସମ୍ବନ୍ଧରେ କିଛି ନ ଜାଣିଲା ଭଳି ପାଖରେ ବସିଥିବା ଅନ୍ୟ ଅପରିଚିତ ଲୋକଙ୍କଠାରୁ ପଚାରି ବୁଝୁଥାନ୍ତି ।

 

ରାତି ଏଗାରଟା ବାଜିବାରୁ ମହେନ୍ଦ୍ରବାବୁ ନିଜ କୋଠରିକୁ ଫେରି ଆସିଲେ । ଆଗରୁ ବରାଦ କରିଥିବା ଅନୁଯାୟୀ ପଣ୍ଡା ଖାଇବା ଜିନିଷ ଆଣି ଅପେକ୍ଷା କରିଥିଲା । ମହେନ୍ଦ୍ରବାବୁ ପଣ୍ଡା ଉପରେ ଖୁସି ହୋଇ ଗୋଟିଏ ଟଙ୍କା ତା’ହାତକୁ ବଢ଼ାଇ ଦେଇ କହିଲେ, ନିଅ ଆଜିର ବକ୍‍ସିସ୍‍ । ତା’ପରେ ପଣ୍ଡା ଚାଲିଯିବାରୁ ମହେନ୍ଦ୍ରବାବୁ କବାଟ ଭିତରୁ କିଳି ଦେଲେ ।

 

ମହେନ୍ଦ୍ରବାବୁ ଓଡ଼ିଆ ଲୋକ । ମାରଓ୍ୱାଡ଼ି ପୋଷାକରେ ରହିବାକୁ କେବେ ସେ ଅଭ୍ୟସ୍ତ ନୁହନ୍ତି । ସକାଳୁ ଏପର୍ଯ୍ୟନ୍ତ ସେହି ପୋଷାକରେ ରହିବାରୁ ଦିହରୁ ଝାଳ ବୋହି ବଡ଼ ଅଡ଼ୁଆ ଅଡ଼ୁଆ ଲାଗୁଥାଏ । ସେ କବାଟ ବନ୍ଦ କରିଦେବା ସଙ୍ଗେ ସଙ୍ଗେ ମୁଣ୍ଡରୁ ପଗଡ଼ିଟା ଓହ୍ଲାଇ, କୋର୍ଟଟା ଖୋଲି ପକାଇ ଦେଲେ । ସେହି କୋଠରିର ଦକ୍ଷିଣ ପାଖକୁ ଥିବା ଝରକାଟି ଖୋଲି ଦେବା ସଙ୍ଗେ ସଙ୍ଗେ ବାହାରର ଶୀତଳ ପବନ ମହେନ୍ଦ୍ରବାବୁଙ୍କ ଦେହରେ ବାଜି ତାଙ୍କୁ ଖୁବ୍ ଆରାମ ଲାଗିଲା । ସେ ଖଟ ଉପରେ ବିଛଣା ପାରି ତାଙ୍କର କ୍ଳାନ୍ତ ଦେହଟାକୁ ଲମ୍ବାଇଦେଲେ । ଶୀତଳ ପବନ ବାଜି କେତେବେଳେ ତାଙ୍କୁ ଗାଢ଼ ନିଦ ହୋଇଗଲା ।

 

ରାତି କେତେ ହେବ କେଜାଣି, କୋଠରି ଭିତରେ ଖସ୍ ଖସ୍ ଶବ୍ଦ ଶୁଣି ମହେନ୍ଦ୍ରବାବୁଙ୍କର ନିଦ ଚାଉଁକିନା ଭାଙ୍ଗିଗଲା । ସେ ନିଦ ଗରଗର ହୋଇ ଅନାଇଁ ଦେଲାକ୍ଷଣି ଦେଖିଲେ, ତାଙ୍କ ମୁହଁ ପାଖରେ ଗୋଟିଏ କ୍ଷୀଣ ମହମବତୀ ଜଳୁଛି । ଆଉ ସେହି ମହମବତୀର ଆଲୁଅରେ ଦେଖା ଯାଉଛି, ଯମଦୂତ ପରି ମୁଖା ପିନ୍ଧା ଚାରିଜଣ ଲୋକ । ସେମାନଙ୍କ ହସ୍ତରେ ଚାରିଟା ଚାଖଣ୍ଡେ ଚାଖଣ୍ଡେ ଲମ୍ବର ଛୁରୀ ତାଙ୍କ ବେକ ଓ ଛାତି ପାଖରେ ଉଞ୍ଚାହୋଇ ରହିଛି । ସେହି ଅଳ୍ପ ମହମବତୀ ଆଲୁଅରେ ବି ସେହି ଛୁରୀଗୁଡ଼ିକ ଚିକ୍ ଚିକ୍ ମାରୁଥାଏ ।

 

ମହେନ୍ଦ୍ରବାବୁ ଆଉ ସେ ଭୟଙ୍କର ଦୃଶ୍ୟ ଦେଖିପାରିଲେ ନାହିଁ । ଭୟରେ ପାଟି ଖନି ମାରିଗଲା । ଛାନିଆରେ ଚେତାଶୂନ୍ୟ ହୋଇ ଆଖି ବୁଜି ପଡ଼ି ରହିଲେ ।

 

ତା’ପରେ ସେ ଯମଦୂତ ପରି ଚାରିଜଣ ଲୋକ ନିଶବ୍ଦରେ ତାଙ୍କର ଗୋଡ଼ହାତ ଖୁବ୍ ଜୋରରେ ବନ୍ଧାବନ୍ଧି କଲେ । ତା’ ଭିତରୁ ଜଣେ ଲୋକ ଜବରଦସ୍ତ ତାଙ୍କ ପାଟି ଭିତରେ କନା ମେଞ୍ଚାଏ ପୂରାଇ କେବଳ ନାକଟି ଛଡ଼ା ଆଉ ସମସ୍ତ ଅଂଶ ଭଲଭାବରେ ବାନ୍ଧି ଦେଲା । ମହେନ୍ଦ୍ରବାବୁ ତାଙ୍କର ନିଜର ଅବସ୍ଥା ସ୍ୱପ୍ନ ଦେଖିଲାଭଳି ଜାଣୁଥିଲେ ବି ଆଉ ଉପାୟ ନାହିଁ ।

 

ନିଶବ୍ଦ ରାତି । ଚାରିଆଡେ଼ ଶୁନଶାନ ତା’ ଭିତରୁ ଜଣେ ଲୋକ ଫୁସ୍‍ଫୁସ୍ କରି ଅନ୍ୟକୁ କହିଲା—ଏହି ଝରକାବାଟେ ତଳକୁ ଖସାଇ ଦିଅ । ମୁଁ ପରେ କଟା ହୋଇଥିବା ଲୁହା କାଠି ଗୁଡ଼ିକ ସିଧାକରି ସଜାଡ଼ି ଦେବି ଏବଂ କିଛି ସମୟ ପରେ ଏଇ ଗୋଇନ୍ଦାର ପୋଷାକ ପିନ୍ଧି ଧର୍ମଶାଳାର ମ୍ୟାନେଜରକୁ ପାହାନ୍ତା ପହର ଗାଡ଼ିକୁ ଯିବାକୁ କହି ସଦର ଦରଜା ବାଟେ ବିଛଣା ପତର ଧରି ବାହାରି ଯିବି ।

 

ଅନ୍ୟ ଜଣେ ଉତ୍ତର ଦେଲା—ବେଶ୍ ।

 

ମହେନ୍ଦ୍ରବାବୁଙ୍କ କାନରେ ଏ କଥା ବାଜୁଥିଲେ ବି, ତାଙ୍କର ଗୋଡ଼ ହାତ ହଲାଇବାର କି ପାଟି କରିବାର କୌଣସି ଉପାୟ ନ ଥିଲା ।

 

କିଛିକ୍ଷଣ ପରେ ତାଙ୍କର ପେଟ ମଝିଆ ମଝି ଏବଂ ଗୋଡ଼ରେ ମୋଟା ରସି ବାନ୍ଧି ଦିଆଯାଇ ଝରକା ବାଟରେ ତାଙ୍କୁ ଖସାଇ ଦିଆଗଲା ତଳକୁ । ତା’ପରେ ଚା’ରିଜଣ ଲୋକ ଘନ ଅନ୍ଧକାର ଦେଇ ତାଙ୍କୁ କାନ୍ଧେଇ ଚାଲିଲେ । ପ୍ରାୟ କୋଡ଼ିଏ ମିନିଟ କାଳ ଉଚ୍ଚା ନୀଚ୍ଚା ବାଟ ଦେଇ ଚାଲିଲା ପରେ ତାଙ୍କୁ ଗୋଟାଏ ଜାଗାରେ କଚାଡ଼ି ଦିଆଗଲା ।

 

କିଛିକ୍ଷଣ ସେ ସେହି ଅବସ୍ଥାରେ ପଡ଼ିଲା ପରେ ଦି’ଜଣ ଲୋକ ତାଙ୍କ ଗୋଡ଼ ହାତ ମୁହଁରୁ ଲୁଗା, ଦଉଡ଼ା ଫିଟାଇ ଦେଲେ । ସେତେବେଳକୁ ମହେନ୍ଦ୍ରବାବୁଙ୍କ ଦେହ ଟଣାଟଣି ବନ୍ଧା ଓଟରାରେ ଝିମି ଝିମି ହୋଇ ଯାଉଥାଏ । ଭୟରେ ଛାତି ପଡ଼ୁଥାଏ ଉଠୁଥାଏ । ତାଙ୍କ ଦେହରୁ ଲୁଗାପଟା ଫିଟିଯିବାରୁ ସେ ଟିକିଏ ଆରାମ ବୋଧ କରି ଚାହିଁ ଦେଖିଲେ ଠିକ୍ ଆଗ ଭଳି ମୁଖାପିନ୍ଧା କେତେ ଜଣ ମଣିଷ ତାଙ୍କ ପାଖରେ ଠିଆ ହୋଇ କଥାବାର୍ତ୍ତା ହେଉଛନ୍ତି, କିନ୍ତୁ ସେମାନଙ୍କ କଥା ଆଡ଼େ କାନ ଦେବାକୁ ଯେପରି ତାଙ୍କ ଦେହରେ ଶକ୍ତି ନାହିଁ ।

 

ପାଞ୍ଚମିନିଟ ବିତିଛି କି ନାହିଁ । ତାଙ୍କ ଭିତରୁ ଦି’ଜଣ ଲୋକ ମହେନ୍ଦ୍ରବାବୁଙ୍କୁ ଖୁବ୍ ଜୋରରେ ହଲାଇ ଉଠାଇ ବସାଇଲେ ଏବଂ ଅନ୍ୟଜଣେ ବଡ଼ କର୍କଶ ଗଳାରେ ଖୁବ୍ ଜୋରରେ ତାଙ୍କ ହାତକୁ ଝିଙ୍କି ଦେଇ କହିଲା—ଉଠି ଠିଆ ହୁଅ । ମାରଓ୍ୱାଡ଼ି ବେଶ ସାଜି ଆସିଛି ଆମକୁ ଧରିବାପାଇଁ—ନୁହେଁ ? ଏଥର ଧରା ପଡ଼ିଛି ନିଜେ ।

 

ଝିଙ୍କାଝିଙ୍କି ଦ୍ଵାରା ଭୟରେ ମହେନ୍ଦ୍ରବାବୁ କାଠ ପିତୁଳା ପରି ଉଠି ଠିଆ ହେଲେ । ସେତେବେଳେ ତାଙ୍କ ବୁଦ୍ଧି ବୃତ୍ତି ବା ଭାବନା ଶକ୍ତି କୁଆଡ଼େ ଉଭେଇ ଯାଇଥିଲା ।

 

ମହେନ୍ଦ୍ରବାବୁ ଉଠି ଠିଆ ହେବା ସଙ୍ଗେ ସଙ୍ଗେ ଗୋଟାଏ ଦରଜା ଫିଟାଇବାର ଶବ୍ଦ ହେଲା ଏବଂ ଜଣେ ଲୋକ ତାଙ୍କୁ ଧକ୍‍କା ଦେଲା ଭଳି ଘର ଭିତରକୁ ଠେଲି ନେଇ ଗୋଟାଏ ଖଟିଆ ଉପରେ ବସାଇ ଦେଲା । ତା’ ଭିତରୁ ଜଣେ କିଏ ବିଦ୍ରୂପ କରି କହିଲା, ଏଥର ଏଇଠି ପଡ଼ି ଥା ।

 

ବାହାରୁ କବାଟ ବନ୍ଦ ହେଲା ।

 

ତହିଁ ଆରଦିନ ଝାପ୍‍ସା ଆଲୁଅରେ ଘର ଆଲୋକିତ ହେବାରୁ ମହେନ୍ଦ୍ରବାବୁ ଆଖି ଖୋଲି ଚାହିଁଲେ—ସେ ଯେଉଁଠି ଅଛନ୍ତି ତାହା ପାହାଡ଼ ତଳ ଗୁମ୍ଫା ନୁହେଁ, ଛୋଟ ପକ୍‍କା କୋଠରିଟିଏ । ସେହି କୋଠରିକୁ ଯେଉଁ ଝରକା ବାଟ ଦେଇ ଆଲୋକ ଆସୁଥିଲା, ସେହି ଝରକାଟି ଛାତ ଉପରେ । ମହେନ୍ଦ୍ରବାବୁ ସେହି ଝରକାଟି ଆଡ଼େ ବାରମ୍ବାର ଦୃଷ୍ଟି ପକାଇ ବୁଝିନେଲେ ଯେ, ସେ ମାଟିତଳେ ଥିବା ଏକ କୋଠରି ଭିତରେ ଅଛନ୍ତି । ତାଙ୍କ ଉପରେ ହୁଏତ ଏକମହଲା କି ଦୁଇ ମହଲା କୋଠା ଅଛି । ଏଥର କୌଣସି ରକମ ବାହାରକୁ ଯିବାର ତାଙ୍କର ଉପାୟ ନାହିଁ । ଟୁନି ହୁଏତ ଏହି ଡକାୟତଦଳ ହସ୍ତରେ ଆଗରୁ ମରିଛି, ସେ ମଧ୍ୟ ମରିବେ । ସେଥିରେ ଦୁଃଖ କଣ ? କିନ୍ତୁ ତାଙ୍କର ବେଶି ଦୁଃଖ, ଗୋଟାଏ ଡକାୟତ ଦଳ ବୁଦ୍ଧି ବିବେକରେ ବଳି ଯାଇଁ ତାଙ୍କୁ ଯାହା ଧରି ପାରିଲେ ।

 

ମହେନ୍ଦ୍ରବାବୁଙ୍କ ଭାବନା ଶେଷ ହୋଇନାହିଁ, ସେ ଘରକୁ କବାଟ ଫିଟାଇ ଜଣେ ସ୍ତ୍ରୀ ଲୋକ ପଶିଆସିଲା । ମହେନ୍ଦ୍ରବାବୁ ସେ ସ୍ତ୍ରୀ ଲୋକଟିକୁ ଅନାଇଁ ଚମକି ପଡ଼ିଲେ । ସେ ଆଉ କେହି ନୁହେଁ—ମାଳତୀ ! ମହେନ୍ଦ୍ରବାବୁ ଗୋଇନ୍ଦା ହିସାବରେ ତା’ ସହିତ ବିଶ୍ୱାସଘାତକତା କରି ସେହି ଦଳର ଦିନେ ସର୍ବନାଶ କରିଥିବାରୁ ତାଙ୍କ ଛାତି ମାଳତୀକୁ ଦେଖିଲାକ୍ଷଣି ଉଠିଲା ପଡ଼ିଲା । ସେ ତଳକୁ ମୁହଁ ପୋତି ନୀରବ ରହିଲେ ।

 

ମାଳତୀ ତାଙ୍କର ଖୁବ୍ ନିକଟରେ ଠିଆ ହୋଇ କିଛି ସମୟ ତାଙ୍କ ଆଡ଼େ ଚା’ହିଁ ତାତ୍ସଲ୍ୟ କରି କହିଲା—କିହୋ ବାବୁ ! ଚିହ୍ନିପାରୁନା ପରା ? ଏଥର ଯିବ କୁଆଡ଼େ ? କାଉ ବେଶି ସିଆଣିଆ ବୋଲି ଘୁଅ ଖାଏ । ଦିନେ ତମକୁ ମୁଁ ବିଶ୍ୱାସ କରିଥିଲି ବୋଲି ତମେ ଆମର ସର୍ବନାଶ କରିଛ ! ପୁଣି ଆସିଛ ମାରୁଓ୍ୱାଡ଼ି ବେଶ ସାଜି ଏ ଦଳକୁ ଧରିବାପାଇଁ ? ଆହା କି ସୁନ୍ଦର ଫଟଟି ଦିଶୁଛି । ମାଳତୀ ହସି ହସି ଗୋଟିଏ ଫଟ ମହେନ୍ଦ୍ରବାବୁଙ୍କ ଆଗରେ ଧରିଲା ।

 

ମହେନ୍ଦ୍ରବାବୁ ମାରୁଓ୍ୱାଡ଼ି ବେଶରେ ତାଙ୍କର ଫଟଟି ଦେଖିଲାକ୍ଷଣି ତାଙ୍କର ବିସ୍ମୟର ଆଉ ସୀମା ରହିଲା ନାହିଁ । ତାହାହେଲେ ସେହି ଫଟବାଲା କ’ଣ ଏ ଦଳର ଲୋକ । ନୋହିଲେ ସେ ଫଟବାଲା କୌଶଳରେ ଏ ଫଟ ଉଠାଇ ଆଣି ଏଠି ଦେଇଥାନ୍ତା କାହିଁକି ?

 

ହଠାତ୍ ଚାରିଜଣ ଲୋକ ସେ ଘର ଭିତରକୁ ଭୁସ୍‍ଭୁସ୍ ହୋଇ ପଶି ଆସିଲେ । ସେହି ଚାରିଜଣଙ୍କ ଭିତରୁ ତିନିଜଣ ମୁହଁରେ କଳାପଟିର ମୁଖା ପିନ୍ଧିଥିଲେ । ସେମାନେ ଘର ଭିତରକୁ ପଶିଆସି କେବଳ କିରି କିରି ହୋଇ ହସିବାକୁ ଲାଗିଲେ ।

 

ମହେନ୍ଦ୍ରବାବୁ କୌଣସି ବିପଦର ଆଶଙ୍କା କରି ଛାନିଆରେ ଆଗକୁ ଅନାଇଁ ଦେଖିଲେ–ସେହି ଚାରିଜଣଙ୍କ ଭିତରୁ ମୁଖାପିନ୍ଧି ନ ଥିବା ଲୋକଟି ଆଉ କେହି ନୁହେଁ, କାଲିର ଫଟବାଲା-। ଭୟରେ ତାଙ୍କ ମୁଣ୍ଡ ଘୂରିବାକୁ ଲାଗିଲା ।

 

ସେହି ଫଟବାଲାଟି ମହେନ୍ଦ୍ରବାବୁଙ୍କ ନିକଟକୁ ଯାଇଁ ଥଟ୍ଟା କଲାପରି କହିଲା—କି ବାବୁଜୀ-? ଏହିକ୍ଷଣି ପାଞ୍ଚଟଙ୍କା ଦେଇ, ମାରଓ୍ୱାଡ଼ି ପୋଷାକ ପିନ୍ଧ । ଆଚ୍ଛା କରି ଫଟ ଉଠାଇ ଦେବି, କହିବତ ଏଇକ୍ଷଣି ପିଠିରୁ ଚମଡ଼ା ବି ଉତ୍ତାରି ଦେବି ।

 

ଏ କଥାରେ ମାଳତୀ ସହିତ ଅନ୍ୟମାନେ ଠୋ ଠୋ ହୋଇ ହସିବାକୁ ଲାଗିଲେ ।

 

ମହେନ୍ଦ୍ରବାବୁ କ୍ଷଣକ ପାଇଁ ସବୁକଥା ଭୁଲିଯାଇ ରାଗରେ ତାଙ୍କ ମୁହଁ ଲାଲ ହୋଇଉଠିଲା । ସେ ଟିକିଏ ମାତ୍ର କଣେଇ ଚାହିଁ ତଳକୁ ମୁହଁ ପୋତି ଦେଲେ । ଏହି ଭୀଷଣ ଡକାୟତଦଳ ଭିତରେ ତାଙ୍କର ଆଉ ଉପାୟ କ’ଣ ।

 

ମୁଖାପିନ୍ଧିଥିବା ଜଣେ ଲୋକ ଦାନ୍ତ କଡ଼ମଡ଼ କରି କହି ଉଠିଲା—ବାବୁ, ରାଗିଗଲ କିହୋ । ଏଥର ତମର ପିସ୍ତଲ ଚଲାଇ କେତେ ଜଣଙ୍କୁ ମାରିଦିଅ ।

 

ମହେନ୍ଦ୍ରବାବୁଙ୍କ ଦେହରେ ସେ କଥାଗୁଡ଼ାକ ଛୁଞ୍ଚିରେ ଫୋଡ଼ିଲା ପରି ଲାଗୁଥିଲା । ତାଙ୍କର ପ୍ରତି ଶିରାରେ ବିଜୁଳି ବେଗରେ ରକ୍ତ ଖେଳିଯାଇ ମନ ହେଉଥିଲା, ଯଦି ପାଖରେ ପିସ୍ତଲଟା ଥା’ନ୍ତା ତାହାହେଲେ ସେ ମରନ୍ତେ ପଛକେ ଏହି ମୁହୂର୍ତ୍ତରେ ଏମାନଙ୍କର ଖପୁରି ଉଡ଼ାଇ ଦିଅନ୍ତେ ! କିନ୍ତୁ ଉପାୟ ! ସେ ଯେ ବନ୍ଦୀ ।

 

କିଛିକ୍ଷଣ ଏହିପରି ମହେନ୍ଦ୍ରବାବୁଙ୍କ ପ୍ରତି ବିଦ୍ରୂପ ଚା’ଲିଲା । ତା’ ପରେ ଜଣେ ଲୋକ ତାର ଲୌହ ହସ୍ତରେ ମହେନ୍ଦ୍ରବାବୁଙ୍କ ହାତକୁ ଖୁବ୍ ଜୋରରେ ଟାଣି ଟାଣି ନେଇ ଚାଲିଲା ଅନ୍ୟ ଏକ କୋଠରିକୁ । ସେତେବେଳେ ମହେନ୍ଦ୍ରବାବୁ ନିଧାର୍ଯ୍ୟ କରି ଭାବିନେଇଥିଲେ ଯେ ତାଙ୍କୁ ଏହି ମୁହୂର୍ତ୍ତକ ଭିତରେ ହତ୍ୟାକରି ଦିଆଯିବ । ଆଖିରୁ ବୁନ୍ଦାଏ ଲୁହ ଗଡ଼ାଇବା ପାଇଁ ବି ସେତେବେଳେ ତାଙ୍କ ଆଖିରେ ଲୁହ ନଥିଲା ।

 

ମହେନ୍ଦ୍ରବାବୁଙ୍କୁ ଗୋଟାଏ ଘରେ ପୂରାଇ ଦିଆଗଲା । ସେ ଘରେ ତାଙ୍କୁ ବାନ୍ଧି କରି ଅଣାଯାଇଥିବା ଭଳି ଅନ୍ୟ ଦୁଇଜଣ ବନ୍ଧାହୋଇ ପଡ଼ିଥିଲେ । ମହେନ୍ଦ୍ରବାବୁଙ୍କୁ ତାଙ୍କରି ପାଖରେ ଠିଆ କରାଇ ଦେଇ, ତା’ ପରେ ତାଙ୍କ ଭିତରୁ ଜଣେ ମହେନ୍ଦ୍ରବାବୁଙ୍କ ପ୍ରତି କଠୋର ଗଳାରେ ଆଦେଶ ଦେଲା—ସେ ଦୁଇଜଣଙ୍କ ମୁହଁରୁ ଲୁଗା ଫିଟାଇ ଦିଅ ।

 

ମହେନ୍ଦ୍ରବାବୁ ଯନ୍ତ୍ରଚାଳିତ ପରି ଦୁଇ ହାତରେ ଦୁଇ ଜଣଙ୍କର ମୁହଁରୁ ଲୁଗା ଫିଟାଇ ଦେଇ ଅବାକ୍ ହୋଇଗଲେ । ସେ ଦୁଇଜଣଯାକ ପ୍ରିୟନାଥବାବୁ ଓ ସୁରେଶବାବୁ ! ସେମାନେ ବି ହରଣଚାଳ ହୋଇ ଆସିଛନ୍ତି ? ଏମାନଙ୍କର ବାସ୍ତବିକ୍ କି କୌଶଳପୂର୍ଣ୍ଣ ଯୋଗସୂତ୍ର !

 

ମହେନ୍ଦ୍ରବାବୁଙ୍କ ମୁହଁକୁ ଲକ୍ଷ୍ୟ କରି ସମସ୍ତେ ଠୋ ଠୋ ହୋଇ ହସି ଉଠିଲେ । ସେଥିଭିତରୁ ଜଣେ ମହେନ୍ଦ୍ରବାବୁଙ୍କୁ ହଲାଇ ଦେଇ କହିଲା—ଏମାନଙ୍କୁ ଦେଖି ଅବାକ୍ ହୋଇଗଲ କାହିଁକି ? ଏମାନେ ତମର ଚିହ୍ନାପରିଚ ନା କ’ଣ ?

 

ଅନ୍ୟଜଣେ ହସି ହସି କହିଲା—ଥରେ ଏ ଦଳକୁ ଧରି ପାରିଥିଲେ ବୋଲି ଏମାନଙ୍କର ସାହାସ ବଢ଼ି ଯାଇଛି । କିଏ ମାରଓ୍ୱାଡ଼ି ବେଶରେ, ଆଉ କିଏ ପଠାଣ ବେଶରେ ଆସୁଛି । ଆମକୁ ବୋକା ଠଉରେଇଛ, ନୁହେଁ ? ଏ ଦି’ଜଣ ଆସିଲାଦିନୁ ସେମାନଙ୍କ ଢଙ୍ଗ ଢାଙ୍ଗରୁ ଜଣାପଡ଼ିଛି, ସେମାନେ ନିଶ୍ଚୟ ସନ୍ଧାନୀ ହୋଇ ଆସିଛନ୍ତି । ତୁମେ ଯେ ମହେନ୍ଦ୍ରବାବୁ, ଦିନେ ଏଠିକୁ ସନ୍ଧାନ କରିବାକୁ ଆସିବ, ଏ କଥା ଆମେ ଜାଣିଥିଲୁ । ସେଥିପାଇଁ ଆମେ ଜାଣି ଶୁଣି ଏ ଦି’ଜଣଙ୍କ ମନରେ ସନ୍ଦେହ ଜାତ କରାଇଛୁ ।

 

ଆଉ ଜଣେ କହି ଉଠିଲା—ଏ ଛୁରୀ ଦି’ଟାକୁ ଏ ଲୋକଟା ଦଶ ଟଙ୍କା ନେଇଛି । ଏହି ଛୁରୀରେ କ’ଣ ହେବ ଜାଣ, ତମ ତିନି ଜଣଙ୍କ ଛାତି ଭିତରେ ଏହାର ଧାର ପରୀକ୍ଷା କରାଯିବ ।

 

ମହେନ୍ଦ୍ରବାବୁ ନୀରବରେ ଠିଆ ହୋଇ ରହିଥିଲେ । ପ୍ରିୟନାଥବାବୁ ଓ ସୁରେଶବାବୁ କେବଳ ବଲ ବଲ କରି ମହେନ୍ଦ୍ରବାବୁଙ୍କୁ ଆଡ଼େ ଚାହିଁ ରହିଥାନ୍ତି ।

 

X X X

 

ମହେନ୍ଦ୍ରବାବୁ ଓ ଅନ୍ୟ ଦୁଇଜଣ ଡକାୟତ ଦଳ ହସ୍ତରେ ବନ୍ଦୀ ହୋଇ ରହିବାର ସତର ଦିନ ହୋଇଗଲାଣି I ସେମାନଙ୍କର ବାହାରକୁ ଆସିବାକୁ କିମ୍ବା ବାହାର ଦୁନିଆ ବିଷୟରେ କିଛି ଜାଣିବାକୁ ଉପାୟ ନାହିଁ I ଯେଉଁ ଟୁନି ଲାଗି ମହେନ୍ଦ୍ରବାବୁ ମରଣ ମୁହଁକୁ ଝାସ ଦେଇ ଡକାୟତ ଦଳର ସନ୍ଧାନରେ ଆସିଥିଲେ, ସେହି ଟୁନି ତାଙ୍କ ରହିବା କୋଠରି ପାଖ କୋଠରିରେ ଥିଲେ ସୁଦ୍ଧା ସେ ତିଳେ ହେଲେ ତାର ସନ୍ଧାନ ପାଇନାହାନ୍ତି I

 

X X X

 

ମହେନ୍ଦ୍ରବାବୁ ଗଲା ଛ ଦିନ ପରେ, ଗଗନବାବୁ ଖଣ୍ଡେ ରିପୋର୍ଟ ପାଇଲେ I

 

ସେଥିରେ ଲେଖା ଅଛି—

 

ମୋର ବନ୍ଧୁ ଦୁଇଜଣଙ୍କର ଅନୁସନ୍ଧାନ ଠିକ୍‍ I ସେମାନଙ୍କର ନିଶ୍ଚୟ ଏଠି ଆଡ଼ା ଜାଗା ଅଛି I ମୁଁ ସଠିକ ଭାବେ ସମୁଦାୟ ଦଳକୁ ଧରା ପକାଇବାକୁ ସନ୍ଧାନ ନ ପାଇବା ଯାଏ ହଠାତ୍‍ କିଛି କରିବି ନାହିଁ I ବର୍ତ୍ତମାନ ଆମେ ସନ୍ଧାନରେ ଅନ୍ୟ ଆଡ଼େ ବାହାରିଛୁ I ଅନ୍ୟ ରିପୋର୍ଟ ଆପଣଙ୍କ ପାଖକୁ ପଠାଇବାକୁ ବୋଧହୁଏ ଆଠଦିନ ଡେରି ହେବ I ସବୁ କଥା ଗୁପ୍ତ ରଖିବେ I ଆପଣଙ୍କ ଆଶୀର୍ବାଦରୁ ଆମେ କୃତକାର୍ଯ୍ୟ ହେବୁ ବୋଲି ମୋର ଆଶା I

 

ଆପଣଙ୍କର ବିଶ୍ୱସ୍ତ

ମହେନ୍ଦ୍ରନାଥ ପଟ୍ଟନାୟକ

 

X X X

 

ଆଠଦିନ ବିତିଗଲା I ଗଗନବାବୁ ଡକାୟତ ଦଳ ଧରାପଡ଼ିବା ନେଇ ମହେନ୍ଦ୍ରବାବୁଙ୍କଠାରୁ କୌଣସି ଆଶାଜନକ ଉତ୍ତର ପାଇବା ପାଇଁ ବଡ଼ ଆଗ୍ରହରେ ରିପୋର୍ଟକୁ ଅନାଇ ରହିଥିଲେ I

 

ଠିକ୍‍ ଦି’ଦିନ ପରେ ଗଗନବାବୁ ତାଙ୍କର ପ୍ରାଇଭେଟ ସେକ୍ରେଟେରୀଙ୍କୁ ଡାକି ପଚାରିଲେ–ମହେନ୍ଦ୍ରବାବୁଙ୍କଠାରୁ ଆଜି କୌଣସି ରିପୋର୍ଟ ଆସିଛି ନା ନାହିଁ ?

 

ପ୍ରାଇଭେଟ ସେକ୍ରେଟେରୀ ଉତ୍ତର ଦେଲେ—ଅଫିସରେ କେତେକ ଜରୁରୀ କାମ ଥିବାରୁ ମୁଁ ଚିଠି ପତ୍ର ଖୋଲି ନାହିଁ I ବର୍ତ୍ତମାନ ଖୋଲି ଆପଣଙ୍କୁ ଜଣାଇବି I

 

ପ୍ରାୟ ଅଧଘଣ୍ଟା ପରେ ଗଗନବାବୁଙ୍କ ପ୍ରାଇଭେଟ ସେକ୍ରେଟେରୀ ମହେନ୍ଦ୍ରବାବୁଙ୍କଠାରୁ ଆସିଥିବା ଖଣ୍ଡେ ରିପୋର୍ଟ ଧରି ଗଗନବାବୁଙ୍କ ଆଗରେ ଥୋଇଦେଲେ I

 

ଗଗନବାବୁ ସେହି ରିପୋର୍ଟର ତଳକୁ ଅନାଇଁ ଦେଇ ସବୁ କାମ ବନ୍ଦ କରି ପଢ଼ି ବସିଲେ I

 

ଲେଖାଅଛି—

 

ଆମେ ଅନୁସନ୍ଧାନ କରିବାରେ ଅନେକଦୂର ଆଗେଇଛୁ, ଏ ଦଳ ଯେ ନିଶ୍ଚୟ ଧରାପଡ଼ିବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ I ଆମେ ତିନିଜଣଯାକ, ଜଣେ ଖୁବ୍‍ ବଡ଼ଲୋକ ବଙ୍ଗାଳି ଡାକ୍ତରଙ୍କ ଘରେ ଗୁପ୍ତରେ ଅଛୁ I ଡାକ୍ତରବାବୁ ଆମକୁ ଅନେକ ସାହାଯ୍ୟ ମଧ୍ୟ କରୁଛନ୍ତି I ଦରକାର ପଡ଼ିଲେ, ମୁଁ ଆପଣଙ୍କୁ ଜଣାଇଲାକ୍ଷଣି ଆପଣ, ଶ୍ରୀବତ୍ସବାବୁ ଓ ଚିହ୍ନଟ କରିବାପାଇଁ ଜେଲରବାବୁଙ୍କୁ ସଙ୍ଗରେ ନେଇ ଆସିବେ I ପୋଷାକପତ୍ର ନ ପିନ୍ଧି ସାଧାସିଧା ପୋଷାକରେ ଆସିବାକୁ ପଡ଼ିବ, କିନ୍ତୁ ଗୁପ୍ତରେ ପିସ୍ତଲ ଯେପରି ଆପଣମାନଙ୍କ ସମସ୍ତଙ୍କ ପାଖରେ ଥାଏ I ଆସିବାର ପୂର୍ବଦିନ ପୁଣି ରିପୋର୍ଟ ପଠାଇବି, ବର୍ତ୍ତମାନ ଟିକିଏ ମାତ୍ର ସମୟ ନାହିଁ I ଜେଲର ବାବୁ ଶ୍ରୀବତ୍ସବାବୁଙ୍କୁ କେବଳ ଦରକାର ପଡ଼ିଲେ ଆସିବାପାଇଁ ଖବରଦେବା ଛଡ଼ା ଅନ୍ୟ ସବୁ ବିଷୟ ଗୁପ୍ତ ରଖିବେ I ନଚେତ୍‍ ଆମେ ଏଠୁ ଫେରିପାରିବୁ ନାହିଁ I

 

ଆପଣଙ୍କର

ମହେନ୍ଦ୍ରନାଥ ପଟ୍ଟନାୟକ

 

ଗଗନବାବୁ ରିପୋର୍ଟ ପଢ଼ିସାରି ଆନନ୍ଦରେ ତାଙ୍କ ଛାତି ପୂରି ଉଠିଲା I ମନେ ମନେ ଖୁବ ଗର୍ବ ଅନୁଭବ କରି ଭାବିଲେ; ଡକାୟତ ଦଳ ଧରା ପଡ଼ିବାକ୍ଷଣି ତାଙ୍କ ପାଖକୁ ଆସିଥିବା ଚିଠିର ପ୍ରତିଶୋଧ ସେ ଶୁଝାଇବାକୁ ଭୁଲିବେ ନାହିଁ I

 

X X X

 

ଆଠଦିନ ପରେ । ଗଗନବାବୁ ସେଥିମଧ୍ୟରେ ଶ୍ରୀବତ୍ସବାବୁ ଓ ଜେଲରବାବୁଙ୍କୁ ଡାକି ଦରକାର ପଡ଼ିଲେ କୌଣସି ଜାଗାକୁ ତାଙ୍କ ସାଙ୍ଗରେ ଯିବାକୁ ହେବ ବୋଲି ଜଣାଇ ଦେଇଛନ୍ତି I

 

ସେଦିନ ଗଗନବାବୁ ଦିନ ଦୁଇଟାବେଳେ ଅଫିସରେ ଆସି ପହଞ୍ଚିଲାକ୍ଷଣି ତାଙ୍କର ପ୍ରାଇଭେଟ୍‍ ସେକ୍ରେଟେରୀ ପ୍ରଥମ କରି ମହେନ୍ଦ୍ରବାବୁଙ୍କ ଦସ୍ତଖତ୍‍ ହୋଇଥିବା ରିପୋର୍ଟଟା ନେଇ ତାଙ୍କ ଆଗରେ ରଖିଦେଲେ I

 

ଗଗନବାବୁ ସେ ରିପୋର୍ଟଟି ଦେଖିଲାକ୍ଷଣି ଖୁସି ହୋଇ କହିଲେ—ଏହି ରିପୋର୍ଟ ପାଇବାପାଇଁ ମୁଁ ଆଜି ଖୁବ୍‍ ଆଶା ରଖିଥିଲି I ଯାହାହେଉ ପ୍ରକୃତରେ ତାହା ଆସି ଯାଇଛି । ଗଗନବାବୁ ରିପୋର୍ଟ ଧରି ଆଗ୍ରହରେ ପଢ଼ିବାକୁ ଲାଗିଲେ ।

 

ଆପଣ ଏ ରିପୋର୍ଟ ପାଇ ଶ୍ରୀବତ୍ସବାବୁ ଜେଲରବାବୁଙ୍କୁ ଘେନି ସାଧା ପୋଷାକରେ କାଲି ସନ୍ଧ୍ୟା ଗାଡ଼ିରେ ଆସି ପହଞ୍ଚିବେ । ଆପଣମାନଙ୍କ ପିସ୍ତଲ ଛଡ଼ା ପ୍ରିୟନାଥବାବୁ ଓ ସୁରେଶବାବୁଙ୍କ ପାଇଁ ଅଧିକା ଦୁଇଗୋଟି ପିସ୍ତଲ ଆଣିଥିବେ । ଆମେ ଯେଉଁ ଡାକ୍ତରବାବୁଙ୍କ ଘରେ ଅତିଥି ହୋଇଛୁ ବୋଲି ଆର ରିପୋର୍ଟରେ ଲେଖିଥିଲି, ସେ ଡାକ୍ତରବାବୁଙ୍କ ନାମ ହେଉଛି ରଜନୀକାନ୍ତ ମାଇତି । ଆପଣମାନଙ୍କ ଆସିବା କେହି ନ ଜାଣିବା ପାଇଁ ତାଙ୍କର କଳା ମଟର ଯାଇ ଷ୍ଟେସନରେ ଥିବ । ମଟର ନମ୍ବର ହେଉଛି ୫୮୦ । ଆପଣ ଡ୍ରାଇଭରକୁ କିଛି ନ କହି ସେହି ମଟରରେ ବସିଲାକ୍ଷଣି ଡ୍ରାଇଭର ଘେନି ଆସିବ ।

 

ଗଗନବାବୁ ସେହି ରିପୋର୍ଟଟି ପଢ଼ିସାରି ଫୋନରେ ଶ୍ରୀବତ୍ସବାବୁଙ୍କୁ ଡକାଇ ପଠାଇଲେ ଏବଂ ଜେଲରବାବୁଙ୍କୁ ମଧ୍ୟ କାଲି ଛ’ଟା ପୂର୍ବରୁ ପ୍ରସ୍ତୁତ ହୋଇ ରହିବାପାଇଁ ଜଣାଇଦେଲେ ।

 

ପ୍ରାୟ ଦଶମିନିଟ ପରେ ଶ୍ରୀବତ୍ସବାବୁ ଆସି ଗଗନବାବୁଙ୍କ ପାଖରେ ପହଞ୍ଚିଲେ । ଗଗନବାବୁ ସେହି ରିପୋର୍ଟରେ ଲେଖାହୋଇଥିବା ବିଷୟକୁ ସଂକ୍ଷେପରେ କହି ପୋଲିସ ଅସ୍ତ୍ରାଗାରରୁ ଦୁଇଟି ଅଧିକା ପିସ୍ତଲ ଓ କିଛି ଗୁଳି ଆଣିବାପାଇଁ ଏକ ଆଦେଶ ପତ୍ର ତାଙ୍କ ହସ୍ତରେ ଲେଖିଦେଲେ ।

 

X X X

 

ତହିଁ ଆରଦିନ ସନ୍ଧ୍ୟା । ଗଗନବାବୁ ପ୍ରଭୃତି ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇ ଫାଟକ ଆରପାଖକୁ ଗଲାକ୍ଷଣି ଦେଖିଲେ କଳାରଙ୍ଗର ୫୮୦ ନମ୍ବର ଗାଡ଼ି ଥୁଆ ହୋଇଛି । ଗଗନବାବୁ ଅନ୍ୟମାନଙ୍କ ସହିତ ଗାଡ଼ିରେ ବସିଲାକ୍ଷଣି, ଡ୍ରାଇଭର ମଟର ଚଳାଇ ଚାଲିଲା ମନ୍ଦିର ଆଡ଼େ ।

 

ପ୍ରାୟ ଦଶମିନିଟ ଭିତରେ ମଟର ମନ୍ଦିର ପାଖ ବିନ୍ଦୁସାଗର ମୋଡ଼ ଦେଇ ଏକ ନିର୍ଜନ ରାସ୍ତାରେ ଛୁଟିବାକୁ ଲାଗିଲା । ପ୍ରାୟ ପାଞ୍ଚମିନିଟ ମଟର ଚାଲିଲା ପରେ ଗଗନବାବୁ ଡ୍ରାଇଭରକୁ ପଚାରିଲେ, କିହୋ, ତମ ଡାକ୍ତରବାବୁ ଆଉ କେତେ ଦୂରେ ଘର କରିଛନ୍ତି କି ?

 

ଡ୍ରାଇଭର ଉତ୍ତର ଦେଲା—ହଜୁର, ଆଉ ବେଶି ବାଟ ନୁହେଁ, ଆଜି ଅମାବାସ୍ୟ ଅନ୍ଧାର ବୋଲି ଆପଣଙ୍କୁ ସେମିତି ଜଣାଯାଉଛି । ଡାକ୍ତରବାବୁ ପ୍ରତିଦିନ ଚାଲି ଚାଲି ଏଇ ପାଖ କେଦାରଗୌରୀ କୁଣ୍ଡକୁ ଗାଧୋଇବାକୁ ଆସନ୍ତି ।

 

ଡ୍ରାଇଭର କଥା ଶେଷହେବା ବେଳକୁ ମଟର ଯାଇ ଗୋଟାଏ ଫାଟକ ପାଖରେ ରହିଲା-। ଗଗନବାବୁ ପ୍ରଥମେ ଓହ୍ଲାଇ ଫାଟକକୁ ଛୋଟ ଟର୍ଚ୍ଚ ଆଲୁଅ ପକାଇ ଦେଖିଲେ–ଖଣ୍ଡେ ସୁନ୍ଦର ପଟାରେ ଲେଖା ହୋଇଛି, ଡାକ୍ତର ରଜନୀକାନ୍ତ ମାଇତି ।

 

ଗଗନବାବୁ ଓହ୍ଲାଇବା ସଙ୍ଗେ ସଙ୍ଗେ ଶ୍ରୀବତ୍ସବାବୁ ଓ ଜେଲରବାବୁ ଗାଡ଼ିରୁ ଓହ୍ଲାଇ ପଡ଼ିଲେ । ଡ୍ରାଇଭର ମଟର ବନ୍ଦ କରି ସେମାନଙ୍କୁ ବାଟ କଢ଼ାଇ ନେବାପାଇଁ ଆଗେ ଆଗେ ଚାଲିଲା ।

 

ପ୍ରାୟ ଦୁଇମିନିଟ ବାଟ ଦୁଇ ପାଖରେ ଫୁଲଗଛ ଓ କୁଣ୍ଡ ସଜା ହୋଇଥିବା ଛୋଟ ସିମେଟକରା ରାସ୍ତା ଉପର ଦେଇ ଚା’ଲିଲା ପରେ ବାରଣ୍ଡା ଉପରକୁ ଉଠି ଯିବାକୁ ପାହାଚ । ବାରଣ୍ଡାରେ ଟଙ୍ଗା ହୋଇଥିବା ଉଜ୍ଜ୍ଵଳ ଚେମେଣୀ ଆଲୁଅରେ ବାରଣ୍ଡା ଧାରରେ ଉତ୍ତମ ରୂପେ ସଜା ହୋଇଥିବା ଫୁଲକୁଣ୍ଡ ଗୁଡ଼ିକ ବେଶ୍‍ ସୁନ୍ଦର ଦିଶୁଛି ।

 

ଗଗନବାବୁ ପ୍ରଭୃତି ବାରଣ୍ଡାକୁ ଉଠିଗଲାକ୍ଷଣି ଜଣେ ଭଦ୍ରଲୋକ ତାଙ୍କୁ ପାଛୋଟି ନେବାକୁ ଅଧା ବଙ୍ଗଳା ଅଧା ଓଡ଼ିଆରେ କହିଲେ—ଭିତରକୁ ଆସନ୍ତୁ ଆଜ୍ଞା ! ଡାକ୍ତରବାବୁ ପୂଜାରେ ବସିଛନ୍ତି, ଅଧଘଣ୍ଟା ପରେ ଉଠିବେ । ମହେନ୍ଦ୍ରବାବୁ ଏହି ଅଧଘଣ୍ଟା ହେଲା ବଡ଼ ତରବରରେ ବାହାରକୁ ଯାଇଛନ୍ତି, ଏହିକ୍ଷଣି ବୋଧହୁଏ ଫେରି ଆସିବେ ।

 

ଗଗନବାବୁ ସେ ଭଦ୍ରଲୋକଙ୍କର ବ୍ୟବହାରରେ ଖୁସିହୋଇ କହିଲେ—ଆମେ ଏହି ବାରଣ୍ଡାରେ ବସିଛୁ, ଡାକ୍ତରବାବୁଙ୍କୁ ଆମେ ଆସିଲୁଣି ବୋଲି ବିବ୍ରତ କରନ୍ତୁ ନହିଁ । ତାଙ୍କ ପୂଜାରେ ବାଧା ପଡ଼ିବ ।

 

ପାଛୋଟି ନେବାକୁ ଆସିଥିବା ଭଦ୍ରଲୋକ ହସ ହସ ହୋଇ କହିଲେ—ନା ଆଜ୍ଞା ! ଭିତରକୁ ଆସନ୍ତୁ ! ବାହାରେ ବସିବା ଉଚିତ ନୁହେଁ । ମହେନ୍ଦ୍ରବାବୁ ଇତ୍ୟାଦି ଏଠି ରହିଲାଦିନୁ ବଡ଼ ସାବଧାନରେ ଚଳିବାକୁ ପଡ଼ୁଛି କି ନା !

 

ଗଗନବାବୁ ତାଙ୍କ କଥାର ମର୍ମ ବୁଝି ଭିତରକୁ ପଶିଗଲେ ।

 

ଅଫିସ ଘରଟି ବେଶ୍‍ ଆଧୁନିକ ଧରଣର ସାଜସଜା । ସେହି କୋଠରିରେ ପଡ଼ିଥିବା ଗଦି ଚେୟାରଗୁଡ଼ିକ ବେଶ୍‍ ଦାମିକା ।

 

ଘରର କାନ୍ଥ ଗୁଡ଼ିକ ଆଜିକାଲିକା ରୁଚିସମ୍ପନ୍ନ ଛବିରେ ଶୋଭା ପାଉଛି । ଗଗନବାବୁ ଗୋଟିଏ ଗଦି ଆରାମ ଚେୟାରରେ ବସିବା ସଙ୍ଗେ ସଙ୍ଗେ ଅନ୍ୟ ଦୁଇଟି ଚେୟାରରେ ଶ୍ରୀବତ୍ସବାବୁ ଓ ଜେଲରବାବୁ ବସିଲେ ।

 

କିଛିକ୍ଷଣ ପରେ ଉକ୍ତ ଭଦ୍ରଲୋକଙ୍କ ଆଦେଶରେ ଜଣେ ଚାକର ତିନୋଟି ଛୋଟ ଛୋଟ ଟେବୁଲ ସେମାନଙ୍କ ଆଗରେ ପକାଇ ଦେଲା । ସେହି ଭଦ୍ରଲୋକ ହାତଯୋଡ଼ି ହସ ହସ ହୋଇ ନରମ ଗଳାରେ କହିଲେ, ଡାକ୍ତରବାବୁ ଆପଣମାନଙ୍କ ପାଇଁ ଟିକିଏ ଜଳଖିଆର ବନ୍ଦୋବସ୍ତ କରି ପୂଜାରେ ବସିଛନ୍ତି । ଡେରି ହେଲେ ଉଠି ମୋ ଉପରେ ବିରକ୍ତ ହେବେ । ହାତ ଧୁଅନ୍ତୁ ଆଜ୍ଞା !

ଗଗନବାବୁ ଭଦ୍ରତା ସ୍ଵରରେ କହିଲେ—ଡାକ୍ତରବାବୁ ପୂଜାରୁ ଉଠିଥିଲେ ଭଲ ହୋଇଥାନ୍ତା, ଆଚ୍ଛା ଆଣନ୍ତୁ ।

ସଙ୍ଗେ ସଙ୍ଗେ ଦୁଇଜଣ ଲୋକ ତିନୋଟି ଥାଳିରେ ଅନେକ ପ୍ରକାର ସୁ-ସ୍ଵାଦୁ ଜଳଖିଆ ଆଣି ରଖି ଦେଇଗଲେ । ଜଳଖିଆ ଖିଆ ସରିଲା ପରେ ପାନ ଓ ସିଗାରେଟ୍‍ର ବ୍ୟବସ୍ଥା କରିଦେଇ ସେ ଭଦ୍ରଲୋକ ଭିତରକୁ ଗଲେ ଓ କିଛି ସମୟ ପରେ ଫେରି ଆସି ଗଗନବାବୁଙ୍କୁ ଜଣାଇଲେ, ଡାକ୍ତରବାବୁ ଆପଣମାନଙ୍କୁ ଠାକୁର ଦର୍ଶନ କରିବାପାଇଁ ଅନୁରୋଧ କରୁଛନ୍ତି । ମୋ ସଙ୍ଗରେ ଆସନ୍ତୁ ।

ଗଗନବାବୁ ସେ ଭଦ୍ରଲୋକର ବ୍ୟବହାରରେ ଏତେ ସନ୍ତୁଷ୍ଟ ହୋଇ ଯାଇଥିଲେ ଯେ ତାଙ୍କ ପାଟିରୁ କଥା ନ ସରୁଣୁ ଗଗନବାବୁ ଶ୍ରୀବତ୍ସବାବୁ ଓ ଜେଲରବାବୁଙ୍କୁ ଡାକି ଦର୍ଶନ କରି ଯିବାପାଇଁ ଉଠି ଠିଆ ହେଲେ ।

ଅଫିସ ଘରୁ ଗୋଟିଏ ଦରଜା ପାର ହୋଇ ଅନ୍ୟ ଦରଜାରେ ପହଞ୍ଚିଲାକ୍ଷଣି ସେହି ଭଦ୍ରଲୋକ ବଡ଼ ନରମ ଗଳାରେ କହିଲେ—ଆଜ୍ଞା, ଠାକୁର ଖଞ୍ଜାକୁ କୌଣସି ଚମଡ଼ାର ଜିନିଷ ଯାଏ ନାହିଁ । ଚମଡ଼ା ଖୋଳରେ ଥିବା ପିସ୍ତଲଗୁଡ଼ିକ ଏଇଠି ରଖି ଦିଅନ୍ତୁ । ଦରକାର ପଡ଼ିଲେ ଚୋରଙ୍କୁ ଗୁଳି କରିବାପାଇଁ ଡାକ୍ତରବାବୁଙ୍କର ମଧ୍ୟ ଦୁଇନଳିଆ ବନ୍ଧୁକ ଅଛି ।

ଗଗନବାବୁ ନିଜକୁ ନିଜେ ଚମକି ପଡ଼ି କହିଲେ—ଆରେ, ଆପଣ ମନେ ନ କରିଥିଲେ ଚମଡ଼ା ସହିତ ପିସ୍ତଲ ଆମ ସଙ୍ଗରେ ନେଇ ଯାଇଥାନ୍ତୁ । ଏହା କହି ତାଙ୍କର ପିସ୍ତଲଟି ସେ ବାବୁଙ୍କ ହସ୍ତକୁ ବଢ଼ାଇ ଦେଲେ ଏବଂ ତାଙ୍କ ପଛେ ପଛେ ଶ୍ରୀବତ୍ସବାବୁ ଓ ଜେଲରବାବୁ ମଧ୍ୟ ନିଜ ନିଜର ପିସ୍ତଲ ବଢ଼ାଇ ଦେଇ ଟିକିଏ ସାବଧାନରେ ରଖିବାକୁ କହିଲେ ।

ଉକ୍ତ ଭଦ୍ରଲୋକଟି ହସିଦେଇ କହିଲେ—ମୁଁ ଏ ଗୁଡ଼ିକ ଏହି କାନ୍ଥ ଆଲମାରିରେ ରଖିଦେଉଛି ।

ଗଗନବାବୁ ପ୍ରଭୃତି ଗୋଟିଏ ଦରଜା ପାର ହେଲାକ୍ଷଣି ହଠାତ୍ ପଛରୁ କବାଟ ବନ୍ଦ ହୋଇଗଲା ଏବଂ କବାଟ ବନ୍ଦ ହେବା ସଙ୍ଗେ ସଙ୍ଗେ ସେ ଘରଟି ଠୋ ଠୋ ବିଦ୍ରୂପ ହସରେ ପୂରି ଉଠିଲା ।

ଗଗନବାବୁ ପ୍ରଭୃତି ବିସ୍ମିତ ହୋଇ ଚାରିଆଡ଼କୁ ଅନାଇଲାକ୍ଷଣି ଜଣେ ସୁନ୍ଦରୀ ଯୁବତୀ ହସି ହସି ଆଗେଇ ଆସି କହିଲେକିହୋ ଜେଲରବାବୁ, ଚୋର ଚିହ୍ନଟ କରିବାପାଇଁ ଆସିଛନ୍ତି, ନୁହେଁ ? ନିଜେ ଯେ ଏଇକ୍ଷଣି ବଳି ପଡ଼ିବେ, ଘରେ କହିଦେଇ ଆସିଛନ୍ତି ତ ?

ଜେଲରବାବୁ ଅବାକ୍ ହୋଇ ସେହି ଯୁବତୀଟିକୁ ଚାହିଁ ଅନୁମାନ କରିନେଲେ—ଏ’ତ ସେହି ଯୁବତୀ, ଯିଏ ତାଙ୍କୁ ରାଏ ସାହେବ ବିପ୍ରଚରଣଙ୍କ କନ୍ୟା ବୋଲି ଜେଲ ବୁଲିଲା ବେଳେ ଚୋରମାନଙ୍କ କଥା ପଚାରୁଥିଲା ।

ଗଗନବାବୁ ଓ ଶ୍ରୀବତ୍ସବାବୁଙ୍କର ଆଉ କିଛି ବୁଝିବାରେ ବାକି ନ ଥିଲା । ଜେଲରବାବୁ ବିଚରା ଛାନିଆଁରେ କାନ୍ଥକୁ ଆଉଜି ରହିଲେ । ବର୍ତ୍ତମାନ ଆଉ ଉପାୟ କ’ଣ ? ସମସ୍ତେ ସେ ଡକାୟତ ଦଳର କବଳରେ ପଡ଼ିଯାଇ ସାରିଲେଣି । ଗଗନବାବୁ ଓ ଶ୍ରୀବତ୍ସବାବୁ ଗୋଟାଏ ହୋସରେ କାଠପିତୁଳି ପରି ଛିଡ଼ା ହୋଇଥିଲେ ବି, ତାଙ୍କ ଦେହରୁ ରକ୍ତ ଯେପରି ଶୁଖି ଯାଉଥିଲା ।

 

କିଛିକ୍ଷଣ ପରେ ଜଣେ ଲୋକ ଆଖିରେ ଗୋଟାଏ କଳାପାଟି ବାନ୍ଧି ହାତରେ ଗୋଟାଏ ପିସ୍ତଲ ଧରି ଗଗନବାବୁ ଓ ଶ୍ରୀବତ୍ସବାବୁ ଠିଆ ହୋଇଥିବା ସ୍ଥାନକୁ ଆସିଲା ଏବଂ ଖଣ୍ଡେ ଚୌକି ଟାଣି ଆଣି ବସି, ଗଗନବାବୁ ପ୍ରଭୃତିଙ୍କୁ ପାଖରେ ପଡ଼ିଥିବା ଚୌକିରେ ବସିବାକୁ ଆଦେଶ ଦେଲା ।

 

ଗଗନବାବୁ ପ୍ରଭୃତି ପୋଲିସ ବିଭାଗର କର୍ତ୍ତା ହୋଇଥିଲେ ମଧ୍ୟ ନିରୁପାୟ ହୋଇ ଭୟଭୀତ ହୋଇଥିବା ଛୋଟ ଶିଶୁଟି ଭଳି ଆଦେଶ ଦେଉଥିବା ଲୋକର କଥା ମାନି ତିନୋଟି ଚୌକିରେ ବସିଲେ । ଗଗନବାବୁଙ୍କ ଭିତରଟା କାନ୍ଦି ଉଠୁଥାଏ, ଆଖି ଆଗରେ ନାଚି ଯାଉଥାଏ ତାଙ୍କ ସ୍ତ୍ରୀ, ପିଲା ଝିଲାମାନଙ୍କର ମୁଖ । ଶ୍ରୀବତ୍ସବାବୁ ଓ ଜେଲରବାବୁଙ୍କର ଅବସ୍ଥାତ ଛାଡ଼ ।

 

ତା’ପରେ ସେହି ଲୋକ ଗଗନବାବୁଙ୍କଠାରୁ ଉତ୍ତର ପାଇବା ଆଶାରେ କର୍କଶ ସ୍ଵରରେ ପଚାରିଲା—ତୁମେ ଏ ଦଳକୁ ଧରିବାପାଇଁ ଏବଂ ଦଳର ଅନିଷ୍ଟ କରିବାପାଇଁ ଯଥାସାଧ୍ୟ ଚେଷ୍ଟା କରିଛ; କିନ୍ତୁ ଏଇକ୍ଷଣି ତୁମେ ପଡ଼ିଛ ସେହି ଡକାୟତ ଦଳ କବଳରେ । ବର୍ତ୍ତମାନ ଆମଠାରୁ କ’ଣ ଚାହଁ ?

 

ଗଗନବାବୁ ଟିକିଏ ନୀରବ ରହି ଉତ୍ତର ଦେଲେ—ତୁମର ଦଳ ଚତୁର ପଣିଆରେ ପୋଲିସକୁ ଜିତିଛି । ଆମେ ଚାହୁଁ ମୁକ୍ତି ।

 

ଗଗନବାବୁଙ୍କ କଥା ଶୁଣି ସେହି ଲୋକଟି ଠୋ ଠୋ ହୋଇ ହସି ଉତ୍ତର ଦେଲେ—ଜୀବନକୁ ଏତେ ଡର ! ଆଚ୍ଛା, ଏହି ମୁହୂର୍ତ୍ତରେ ଯଦି ତୁମକୁ ଛାଡ଼ି ଦିଆଯାଏ, ତାହାହେଲେ କାଲି ସକାଳକୁ ଆମକୁ ସବୁ ଜୀବନରେ ରଖିବ ତ ? ବର୍ତ୍ତମାନ ମରଣ ମୁଖରେ ରହି ହୁଏତ କିଛି ଅନିଷ୍ଟ ନ କରିବାପାଇଁ କହିବ, କିନ୍ତୁ ମୁକ୍ତ ହେଲାପରେ….... ? ତୁମ ପ୍ରତି ଏ ଦଳର ଅନ୍ତରରେ ପ୍ରତିଶୋଧର ନିଆଁ ଜଳୁଛି । ଏଇ ମୁହୂର୍ତ୍ତରେ ଯଦି ମୁଁ ଟିକିଏ ଇସାରା ଦେବି, ତାହାହେଲେ ତୁମମାନଙ୍କର ଗଣ୍ଡି ଦେହରୁ ମୁଣ୍ଡ ଛିଡ଼ିଯିବ ! କିହୋ ଜେଲରବାବୁ, ମୋତେ ଚିହ୍ନି ପାରୁଚ ? ମୁଁ ସେହି ବିପ୍ରଚରଣ । ତୁମେ ସେଦିନ ମୋ ପ୍ରତି ଅଜାଣତରେ ଯେଉଁ ଭଦ୍ରତା ଦେଖାଇଛ, ସେଥିପାଇଁ ତୁମ ପ୍ରତି ପ୍ରତିଶୋଧ ନେବାକୁ ମନ ବଳୁ ନହିଁ । ତୁମର ବା ଦୋଷ କ’ଣ ?

 

ଗଗନବାବୁ ପ୍ରଭୃତି ନୀରବରେ ତଳକୁ ମୁହଁ ପୋତି ବସି ରହିଥାନ୍ତି । ଉକ୍ତ ଭଦ୍ରଲୋକଟି ସେହି ଘରେ ବୁଲୁଥିବା ଜଣକୁ ଆଦେଶ ଦେଲେ—ମହେନ୍ଦ୍ରବାବୁ ପ୍ରଭୃତିଙ୍କୁ ଏଠିକୁ ନେଇ ଆସ ।

 

ଲୋକଟି ସଙ୍ଗେ ସଙ୍ଗେ ଆଦେଶ ପାଳନ କରି ମହେନ୍ଦ୍ରବାବୁ, ପ୍ରିୟନାଥବାବୁ ଓ ସୁରେଶବାବୁଙ୍କୁ ଆଣି ସେ ଘରେ ପହଞ୍ଚିଲା । ମହେନ୍ଦ୍ରବାବୁ ପ୍ରଭୃତି ଏ ଘରେ ଗଗନବାବୁଙ୍କୁ ଦେଖି ଅବାକ୍ ହୋଇ ଠିଆ ହୋଇ ରହିଲେ ।

 

ସେହି ଲୋକଟି ମହେନ୍ଦ୍ରବାବୁଙ୍କ ଆଡ଼େ ଚାଇଁ କହିଲେ—କ’ଣ ଦେଖୁଛ ? ଚିହ୍ନି ପାରୁନାହଁ ? ତୁମରି ହାକିମ ପୋଲିସ ସାହେବ ।

 

ଗଗନବାବୁ ଟିକିଏ ମାତ୍ର ମହେନ୍ଦ୍ରବାବୁଙ୍କ ଆଡ଼େ ଚାହିଁ ନୀରବ ରହିଲେ । କାହାରି ମୁଖରେ ଭାଷା ନାହିଁ ।

 

ହଠାତ୍‍ ସେ କୋଠରିକୁ ମାଳତୀ ପଶି ଆସି ବସିଥିବା ଲୋକଟିକୁ ଜଣାଇଲା—ସର୍ଦ୍ଦାରଜୀ, ଠିକ୍‍ ବେଳ ହୋଇଯାଇଛି ।

 

ସର୍ଦ୍ଦାରଜୀ ଘଣ୍ଟାକୁ ଅନାଇଲେ ବାରଟା ବାଜିବ । ତେଣୁ ତରତର ହୋଇ ଚେୟାରରୁ ଉଠି ପଡ଼ି ଗଗନବାବୁ ପ୍ରଭୃତି ସେହି ଘରେ ଥିବା ଛ’ ଜଣକୁ ଆଦେଶ ଦେଲେ—ମୋର ପଛେ ପଛେ ଆସନ୍ତୁ ।

 

ଗଗନବାବୁ ପ୍ରଭୃତି ନିରୁପାୟ ହୋଇ ତାଙ୍କ ପଛେ ପଛେ ଚାଲୁଥିଲେ ବି ନିଶ୍ଚିତ କରି ଭାବି ନେଇଥିଲେ ଯେ ବର୍ତ୍ତମାନ ସେମାନଙ୍କୁ ହତ୍ୟା କରାଯିବ ।

 

ଗୋଟିଏ କୋଠରି ପାର ହୋଇ ଅନ୍ୟ କୋଠରିରେ ସମସ୍ତେ ପହଞ୍ଚିଲେ । ସେହି କୋଠରିରେ ଗୋଟିଏ ସୁନ୍ଦର ଗାଲିଚା ବିଛା ହୋଇଥିଲା । ସର୍ଦ୍ଦାରଜୀଙ୍କର ନିର୍ଦ୍ଦେଶରେ ଜଣେ ଲୋକ ସେହି ଗାଲିଚାଟି ଉଠାଇ ଦେବାକ୍ଷଣି, ସର୍ଦ୍ଦାରଜୀ ଗୋଟିଏ ଛୋଟ ଲୁହାକୁ ଗୋଡ଼ରେ ଖୁବ୍‍ ଜୋରରେ ଚାପିଦେଲେ । ସଙ୍ଗେ ସଙ୍ଗେ ସେହି ଗାଲିଚା ତଳେ ଥିବା ସୁଦୃଢ଼ ପଟାର ଚଟାଣ ଦୁଇଭାଗ ହୋଇ ଦୁଇ ପାଖକୁ ଅପସରି ଗଲା । ତା’ ତଳକୁ ତଳ ପାହାଚ ।

 

ଗଗନବାବୁ ପ୍ରଭୃତି ପ୍ରାଣ ଭୟରେ ଥରୁଥିଲେ ସୁଦ୍ଧା ସେହି କୌଶଳପୂର୍ଣ୍ଣ କାମ ସେମାନଙ୍କ ମନରେ ଆହୁରି ଦ୍ଵିଗୁଣ ଭୀତି ଜନ୍ମାଇଲା ।

 

ସର୍ଦ୍ଦାରଜୀ ପାହାଚକୁ ପାହାଚ ତଳକୁ ଓହ୍ଲାଇଲେ । ଗଗନବାବୁ ପ୍ରଭୃତି ନିରୀହ ଛେଳିକୁ ଅର୍ଗଳି କାଠକୁ ନେଲାପରି ଥରଥର ପଦରେ ତଳକୁ ଓହ୍ଲାଇଲେ ।

 

ଛ’ ସାତଟି ପାହାଚ ପରେ ସୁନ୍ଦର କୋଠରିଟିଏ । ଚୁଆ ଚନ୍ଦନ ଫୁଲ ଗନ୍ଧରେ ସେ ଘରଟି ମହକି ଉଠୁଛି । ସର୍ଦ୍ଦାରଜୀ ଗଗନବାବୁଙ୍କ ଉଦ୍ଦେଶ୍ୟରେ ସମ୍ମୁଖକୁ ହସ୍ତ ନିର୍ଦ୍ଦେଶ କରି କହିଲେ—ଏ ଦଳର ଅଧିଷ୍ଠାତ୍ରୀ କାଳିମା’ଙ୍କୁ ନମସ୍କାର କର ।

 

ଗଗନବାବୁ ପ୍ରଭୃତି ଆଗକୁ ଚାହିଁ ଚମକି ପଡ଼ିଲେ । କିଛି ଦୂରରେ ମୁଣ୍ଡ ମଳଶୋଭିତା ଖଡ଼ଗ୍‍ଧାରିଣୀ କାଳୀ ମୂର୍ତ୍ତି । ବେକରେ ମନ୍ଦାର ଫୁଲର ହାର । ସମ୍ମୁଖରେ ପୂଜକ ହିସାବରେ ଜଣେ ଅତି କ୍ଷୀଣକାୟ ବୃଦ୍ଧ । ହସ୍ତରେ ମନ୍ଦାରଫୁଲ, ବେଲପତ୍ର ଧରି ପୂଜାରେ ମଗ୍ନ । ସମସ୍ତେ ଭାବିନେଲେ ଏଇ ବୋଧହୁଏ ସ୍ଵାମୀବାବା ।

 

ସମସ୍ତଙ୍କର ସେହି ଜୀବନ୍ତଭଳି କାଳୀ ମୂର୍ତ୍ତି ଦର୍ଶନ କରି ଅଜଣା ଭୟରେ ଛାତି ଥରୁଥିଲେ ସୁଦ୍ଧା ସର୍ଦ୍ଦାରଜୀଙ୍କ ଆଦେଶ ମାନି ମୁଣ୍ଡ ତଳେ ଲଗାଇ ନମସ୍କାର କଲେ । ତା’ପରେ ସର୍ଦ୍ଦାରଜୀ ଆଦେଶ କଲେ—ସମସ୍ତେ ଏହି ଗାଲିଚାରେ ବସ । ଆଜି ଅମାବାସ୍ୟା ରାତି ଏବଂ ସ୍ଵାମୀବାବଙ୍କର ଶେଷ ଦିନ । ମା’ଙ୍କ ଆଗରେ ଆଉ ଟିକିଏ ପରେ ନରବଳି ଦିଆଯିବ ।

 

ଗଗନବାବୁ ପ୍ରଭୃତି ନରବଳି କଥା ଶୁଣି ସେମାନଙ୍କୁ ଲାଗୁଥିଲା ସତେ ଯେପରି ତାଙ୍କ ପିଣ୍ଡରୁ ପ୍ରାଣବାୟୁ ଆପେ କିଛିକ୍ଷଣ ପରେ ଉଡ଼ିଯିବ । ସର୍ଦ୍ଦାରଜୀ କହିବା ମୁତାବକ ସେମାନେ ଗାଲିଚା ଉପରେ ବସି ରହିଲେ ।

 

ହଠାତ୍‍ କିଛି ସମୟ ପରେ ସ୍ଵାମୀବାବାଙ୍କର ଧ୍ୟାନ ଭଗ୍ନ ହେଲା । ସର୍ଦ୍ଦାରଜୀଙ୍କ ଇସରାରେ ସେ ଘରେ ପ୍ରାୟ ୩୦ଜଣ ଲୋକ ରୁଣ୍ଡ ହୋଇଗଲେ । ଜଣେ ଭୀଷଣକାୟ ପୁରୁଷ ଅର୍ଗଳି ପାଖରେ ଠିଆହୋଇ ସିନ୍ଦୂର ମଖାହୋଇ ରଖା ହୋଇଥିବା ବିରାଟ କଟାରୀକୁ ହସ୍ତରେ ଟେକି ଧରିଲା । ସେହି କୋଠରିଟି ନିଶବ୍ଦ । ଗଗନବାବୁ ପ୍ରଭୃତିଙ୍କର ନିଶ୍ଵାସ ଖୁବ୍ ଜୋରରେ ବହୁଥିଲା ।

 

ପଲକମାତ୍ରେ ଚା’ରିଜଣ ପୁରୁଷ ଜଣେ ସ୍ତ୍ରୀ ଲୋକକୁ ଶୂନ୍ୟେ ଶୂନ୍ୟେ ଟେକି ସେହି ଅର୍ଗଳି ପାଖକୁ ଘେନି ଆସିଲେ । ସ୍ତ୍ରୀ ଲୋକଟି ସୁନ୍ଦରୀ, ବୋଧହୁଏ ବାଳିକା ହେବ । ଛଟପଟ ହୋଇ ଚିତ୍କାର କରୁଥାଏ । କିଏ ଶୁଣୁଛି ସେ ଚିତ୍କାର !

 

ଗଗନବାବୁ ପ୍ରଭୃତିଙ୍କର ପୋଲିସ ଅନ୍ତର ନେଇ ସେହି ନିରୀହ ବାଳିକାକୁ ଉଦ୍ଧାର କରିବାକୁ ମନ ଛଟପଟ ହେଉଥିଲେ ମଧ୍ୟ ଉପାୟ ନାହିଁ । ତାଙ୍କ ପାଖରେ ଜଣେ ପିସ୍ତଲ ଧରି ଜଗି ରହିଛି । ଯଦି ପାଟି ତୁଣ୍ଡ କରି, ସ୍ଵାମୀବାବାଙ୍କ ପୂଜାରେ ବାଧା ବିଘ୍ନ ଘଟାଅ, ତାହାହେଲେ ସମସ୍ତଙ୍କୁ ମାରି ଦିଆଯିବ ।

 

ସେହି ବାଳିକାଟିକୁ ଟେକି ଆଣି ତା’ର ବେକକୁ ଅର୍ଗଳି ଭିତରେ ପୂରାଇ ଦିଆଗଲା । ବାଳିକାଟି ଶେଷ ମୁହୂର୍ତ୍ତରେ ଅଜ୍ଞାନ ହୋଇ ଯାଇଥିଲେ ବି ଗୋଡ଼ ଓ ଛାତି ପାଖରୁ ଦି’ଜଣ ଲୋକ ଖୁବ୍ ଜୋରରେ ମାଡ଼ି ଧରିଥିଲେ ।

 

ପ୍ରାୟ ପାଞ୍ଚମିନିଟ କାଳ ସ୍ଵାମୀବାବା ମନ୍ତ୍ର ପାଠ କରି ସେହି ବାଳିକାଟି ଉପରେ ମନ୍ଦାର ଫୁଲ ଦେଇ ଧ୍ୟାନ ମଗ୍ନ ହେଲେ । ଖଡ଼୍‍ଗ ଉତ୍ତୋଳନ କରି ଠିଆ ହୋଇଥିବା ଘାତୁକ ସ୍ଵାମୀବାବଙ୍କ ଇସରାକୁ ଚା’ହିଁ ରହିଥିଲା ।

 

ଗଗନବାବୁ ପ୍ରଭୃତିଙ୍କ ଛାତି ଆଗ ଅପେକ୍ଷା ଅନେକ ଗୁଣରେ ଉଠୁଥାଏ ପଡ଼ୁଥାଏ ।

 

ସ୍ଵାମୀବାବା ଧ୍ୟାନ ଭଗ୍ନ ହୋଇ ବେଲପତ୍ର ସେହି ବାଳିକାଟିର ଉପରକୁ ପକାଇ ଦେବା ସଙ୍ଗେ ସଙ୍ଗେ ଶୁଭିଲା ବିକଟ କରୁଣ ଚିତ୍କାର ।

 

ଗଗନବାବୁ ଓ ଶ୍ରୀବତ୍ସବାବୁ ପ୍ରଭୃତି ସେହି ହୃଦୟବିଦାରକ କରୁଣ ଦୃଶ୍ୟ ଆଉ ଦେଖି ପାରିଲେ ନାହିଁ । ଆଖି ଆପେ ଆପେ ବୁଜି ହୋଇଗଲା ।

 

ତା’ପଛକୁ କାହାର କଇଁ କଇଁ କାନ୍ଦଣା ଶବ୍ଦ ଶୁଣି ଗଗନବାବୁ ପ୍ରଭୃତି ଅନାଇଁ ଦେଲେ ଆଉ ଜଣେ ଯୁବତୀକୁ ମାଳତୀ ଧରି ଧରି ଆଣୁଛି । ମହେନ୍ଦ୍ରବାବୁ ସେହିଆଡ଼କୁ ଦୃଷ୍ଟି ପକାଇଲାକ୍ଷଣି ଦିଗଶୂନ୍ୟ ହୋଇ ଚିତ୍କାର କରି ଉଠିଲେ—ଏ କିଏ ଟୁନି ! ତାକୁ ମାର ନାହିଁ, ତାକୁ ମାର ନାହିଁ !

 

ଟୁନି ବି ମହେନ୍ଦ୍ରବାବୁଙ୍କ ସ୍ଵର ଶୁଣି ଚିତ୍କାର କରି ଉଠିଲା, ତାଙ୍କୁ ମାର ନାହିଁ—ତାଙ୍କୁ ମାର ନାହିଁ ।

 

ସ୍ଵାମୀବାବା ଏହି ଗୋଳମାଳରେ ପଛକୁ ଟିକିଏ ବକ୍ର ଦୃଷ୍ଟି ପକାଇ ଛାଡ଼ିଦେବାକୁ ଇସାରା ଦେଲେ ଏବଂ ଆଶୀର୍ବାଦ କଲା ଭଳି ଉପରକୁ ହାତ ଉଠାଇଲେ, ବୋଧହୁଏ ତାଙ୍କ ଦଳ ପ୍ରତି ଏ ଆଶୀର୍ବାଦ । ତା’ପରେ ସ୍ଵାମୀବାବା ଧ୍ୟାନମଗ୍ନ ହେଲେ ।

 

ସ୍ଵାମୀବାବା ଧ୍ୟାନମଗ୍ନ ହେବା ସଙ୍ଗେ ସଙ୍ଗେ ସମସ୍ତଙ୍କ ଆଖିରେ ଲୁହ ଭରିଗଲା । କି ଆଶ୍ଚର୍ଯ୍ୟର କଥା, କାହିଁକି ଏମାନେ କାନ୍ଦୁଛନ୍ତି ? ଗଗନବାବୁ ପ୍ରଭୃତିଙ୍କ ବିସ୍ମୟର ସୀମା ରହିଲା ନାହିଁ । ଏଥିମଧ୍ୟରେ ଟୁନି ଗୋଟାଏ ହୋସରେ ଆସି ମହେନ୍ଦ୍ରବାବୁଙ୍କ ପାଖରେ ମୂର୍ଚ୍ଛା ହୋଇ ପଡ଼ିଗଲାଣି ।

 

ସର୍ଦ୍ଦାରଜୀ କେତେବେଳେକେ ଆଖିରୁ ଲୁହ ପୋଛି ଗଗନବାବୁଙ୍କ ଉଦ୍ଦେଶ୍ୟରେ କହିଲେ—ସ୍ୱାମୀବାବାଙ୍କର ଆଜି ଶେଷଦିନ । ଅନେକଦିନ ଆଗରୁ ଆମ୍ଭମାନଙ୍କୁ ସେ ତାଙ୍କର ମରଣର ଦିନ ଜଣାଇ ଦେଇଥିଲେ । ସେ ବର୍ତ୍ତମାନ ଧ୍ୟାନରେ ବସିଲେ, ଆଉ ଉଠିବେ ନାହିଁ । ଆଗରେ ସେହି କୁଣ୍ଡରେ ସ୍ୱାମୀବାବାଙ୍କର ପବିତ୍ର ଶରୀର ବର୍ତ୍ତମାନ ଭସ୍ମ କରି ଦିଆଯିବ ।

 

ଗଗନବାବୁ ପ୍ରଭୃତି ନିଜ ନିଜର ଭବିଷ୍ୟତ କଥା ଭାବି ଭାବି ନୀରବ ।

 

ସର୍ଦ୍ଦାରଜୀ ପୁଣି କହିବାକୁ ଲାଗିଲେ—ତୁମର ଆଜି ବଡ଼ ସୌଭାଗ୍ୟ । ଇଚ୍ଛା କରିଥିଲେ ତୁମକୁ ବି ସେହି ଅର୍ଗଳି ଭିତରେ ପୂରାଇ ବଳି ଦିଆ ଯାଇଥାନ୍ତା, କିନ୍ତୁ ଆଉ ତୁମମାନଙ୍କୁ ମାରି ଲାଭ କ'ଣ ? ସ୍ୱାମୀବାବାଙ୍କର ନିୟମ ଥିଲା ତାଙ୍କ ପରେ ପରେ ଏ ଦଳକୁ ଭାଙ୍ଗିଦେବାକୁ । ଏହି ମୁହୂର୍ତ୍ତରେ ଏ ଦଳ ଭାଙ୍ଗିଗଲା । ରାତି ପାହିଲାବେଳକୁ ଏ ଦଳର କେହି ଜଣେ ହେଲେ ଲୋକ ଏଠି ନ ଥିବେ । ଏ ବିପୁଳ ସମ୍ପତ୍ତି—ଏ କୋଠାବାଡ଼ି କେବଳ ପଡ଼ି ରହିଥିବ । ଏ କୋଠାବାଡ଼ି ମୋର । କିନ୍ତୁ ମୋର ନାମ ଜାଣି ତମର କିଛି ଲାଭ ନାହିଁ । ଯେଉଁ ନାମ ଫାଟକରେ ଲେଖା ଯାଇଛି, ସେହି ନାମରେ ମୁଁ ଏଠି ପରିଚିତ । ମୁଁ ସ୍ୱାମୀବାବାଙ୍କର ଶିଷ୍ୟ ।

 

ଏତେବେଳେ ଗଗନବାବୁ ସାହସ ବାନ୍ଧି କହିଲେ—ମୋ ଦ୍ଵାରା କ’ଣ ଆଉ ଆପଣଙ୍କର ଉପକାର ହୋଇ ପାରିବ ?

 

ସର୍ଦ୍ଦାରଜୀ କହିଲେ—ଉପକାର ଆଉ ଲୋଡ଼ା ନାହିଁ, କିନ୍ତୁ ମୋର ଗୋଟିଏ କଥା ମନେ ରଖିବେ—ମୁଁ ଆଜି ତମର ଜୀବନ, ତମର ପିଲା ଛୁଆଙ୍କ ପାଇଁ ଦାନ କରିଛି । ତୁମେ ସେହି ଉପକାରର ପ୍ରତିବଦଳରେ ଏ ଘରେ ଥିବା ବିପୁଳ ସମ୍ପତ୍ତି, ଏ କୋଠବାଡ଼ି ବିକ୍ରିର ପ୍ରଚୁର ଧନ କୌଣସି ସତ୍ ଅନୁଷ୍ଠାନକୁ ଦାନ କରିବ । ମୁଁ ତୁମକୁ ସେ କ୍ଷମତା ଦେଇଯାଉଛି । ଏହା କହି ପକେଟରେ ଥିବା ଖଣ୍ଡେ କାଗଜ ଗଗନବାବୁଙ୍କ ହାତକୁ ବଢ଼ାଇ ଦେଲେ ।

 

ଗଗନବାବୁ ଖୁସି ହୋଇ କହିଲେ, ଧନ୍ୟବାଦ ! ତୁମେ ଏ ଦଳକୁ ଭାଙ୍ଗି ଦେଇଥିବା ସୁଖର କଥା । ଏଥର ତୁମେ ନିଶ୍ଚିନ୍ତରେ ଲୋକ ସେବା କର, ତୁମର କିଛି ଅନିଷ୍ଟ ହେବ ନାହିଁ ।

 

ସର୍ଦ୍ଦାରଜୀ କ୍ଷୀଣ ହସି କହିଲେ—କେଉଁ ବିଶ୍ୱାସରେ ସେ କଥା ଆଉ ହେବ ? ମୁଁ ଅନେକ କିଛି କରିଛି, ଆଉ ମୋର କିଛି ଆଶା ଆକାଂକ୍ଷା ନାହିଁ । ହଁ ଗୋଟାଏ କଥା କହିବାକୁ ଭୁଲି ଯାଇଥିଲି, ମୋତେ ଆଉ ଅକାରଣ ଖୋଜି ସମୟ ନଷ୍ଟ କରିବ ନାହିଁ । ଦୁନିଆରେ ମୋର କେହି ନାହିଁ, ମୋର ସନ୍ଧାନ ବି କେହି ପାଇ ପାରିବେନାହିଁ ।

 

ତାପରେ ସର୍ଦ୍ଦାରଜୀ ମହେନ୍ଦ୍ରବାବୁଙ୍କ ଉଦ୍ଦେଶ୍ୟରେ କହିଲେ—ତୁମେ ଦିନେ ଏ ଦଳର ସର୍ବନାଶ କରିଛ, ତୁମର ସର୍ବନାଶ କରିବାକୁ କିଏ କାହିଁକି ପଛାନ୍ତା ? କିନ୍ତୁ ଶେଷବେଳରେ ଛାଡ଼ି ଦିଆଗଲା । ତୁମେ ତୁମର ସ୍ତ୍ରୀଙ୍କୁ ଗ୍ରହଣ କର । ମୋ କଥାରେ ବିଶ୍ଵାସ କର,ଏ ଦଳ ଟୁନିକୁ ହରଣଚାଳ କରି ଆଣିଥିଲେ ବି ତା ଦେହକୁ ଦିନେ ହେଲେ କୌଣସି ପୁରୁଷ ମୋର ଆଦେଶରେ ଛୁଇଁ ନାହିଁ । ସେ ସତୀ । କିଛି ଭାବ ନାହିଁ ।

 

ହଠାତ୍‍ ଗୋଳମାଳରେ ସେ ଘର ପୂରି ଉଠିଲା । ସମସ୍ତେ ଅନାଇଁ ଦେଖିଲେ, ସ୍ୱାମୀବାବା ଟଳି ପଡ଼ିଛନ୍ତି । ଏଇ ମୂହୁର୍ତ୍ତକ ମଧ୍ୟରେ ସେହି କାଳୀ ମୂର୍ତ୍ତି କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛି । କି ଆଶ୍ଚର୍ଯ୍ୟ ! ସ୍ୱାମୀବାବାଙ୍କର କି ଆଲୌକିକ ଶକ୍ତି ।

 

ସର୍ଦ୍ଦାରଜୀ ଆଖିରୁ ଲୁହ ପୋଛି ସ୍ୱାମୀବାବାଙ୍କୁ ଶୀଘ୍ର ଚନ୍ଦନକାଠ ଘିଅରେ ସେହି ଘର ଭିତରେ ଥିବା କୁଣ୍ଡରେ ସଂସ୍କାର କରିବାପାଇଁ ଆଦେଶ ଦେଲେ ।

 

ମହେନ୍ଦ୍ରବାବୁଙ୍କ ହାତରେ ପରଶ ବାଜି ଟୁନିର ସେତେବେଳକୁ ଚେତନା ଆସିଥିଲା । ସର୍ଦ୍ଦାରଜୀ ଗୋଟିଏ ଦୀର୍ଘନିଶ୍ଵାସ ଛାଡ଼ି ବ୍ୟଥାଭରା ସ୍ଵରରେ କହିଲେ—ସବୁ ଶେଷ ହୋଇଛି, ଏଥର ଚାଲନ୍ତୁ ।

 

ସର୍ଦ୍ଦାରଜୀ ପାହାଚ ଦେଇ ଉପରକୁ ଚାଲିଲେ । ଗଗନବାବୁ ପ୍ରଭୃତି ତାଙ୍କ ପଛେ ପଛେ-। ସର୍ଦ୍ଦାରଜୀ ଅନ୍ୟ ଗୋଟିଏ କୋଠରିକୁ ନେଇ ଯାଇ କହିଲେ—ଏ ଦଳରେ ରହିଯାଇଥିବା ଅବଶିଷ୍ଟ ଲୋକଙ୍କର ନିରାପଦତ୍ତା ପାଇଁ ତୁମ୍ଭମାନଙ୍କୁ ଆଜି ଏ ଘରେ ଶୋଇବାକୁ ହେବ । କେହି କିଛି ଭାବ ନାହିଁ, ଏହି ସୁନ୍ଦର ଗାଲିଚା ଉପରେ ଶୋଇଯାଅ ।

 

ସେହି ସୁସଜ୍ଜିତ ଲମ୍ବା ଗାଲିଚା ପରା କୋଠରିରେ ଟୁନି ଗୋଟାଏ ପାଖକୁ ଶୋଇଗଲା,ଅନ୍ୟମାନେ ଟିକେ ଛାଡ଼ି ଛାଡ଼ି ଶୋଇ ରହିଲେ ।

 

ସର୍ଦ୍ଦାରଜୀ ଘଣ୍ଟାକୁ ଅନାଇ ବ୍ୟସ୍ତ ହୋଇଉଠିଲେ । ଆଉ ମୋଟେ ଦେଢ଼ଘଣ୍ଟା ସମୟ ବାକି ।

 

ତା’ପରେ ସେ ଜଣେ ଲୋକକୁ ତାଙ୍କର ଡାକ୍ତରୀ ବାକ୍‍ସଗୁଡ଼ିକୁ ଆଣିବାକୁ କହିଲେ । ଲୋକଟି ବାକ୍‍ସ ଆଣିବା ସଙ୍ଗେ ସଙ୍ଗେ ସର୍ଦ୍ଦାରଜୀ ବାକ୍‍ସ ଫିଟାଇ ଇଞ୍ଜେକ୍ସନ୍‍ ସିରିଞ୍ଜରେ କ’ଣ ଔଷଧ ପୁରାଇ ଗଗନବାବୁଙ୍କ ପାଖରେ ଠିଆ ହୋଇ କହିଲେ—ବିଶ୍ଵାସ କରନ୍ତୁ, କିଛି ଅନିଷ୍ଟ ହେବନାହିଁ । ମୋତେ ବାଧ୍ୟ ହୋଇ ଇଞ୍ଜେକ୍ସନ୍‍ ଆପଣଙ୍କୁ ଦେବାକୁ ପଡ଼ିବ ।

 

ଟୁନି ସହିତ ଆଉ ପାଞ୍ଚଜଣଙ୍କୁ ଇଞ୍ଜେକ୍ସନ୍‍ ଦିଆ ସରିଲା । ତା’ ପରେ ସର୍ଦ୍ଦାରଜୀ ସମସ୍ତଙ୍କୁ କହିଲେ—ଏ ଘରେ ଥିବା ବିପୁଳ ସମ୍ପତ୍ତି, ଅସ୍ତ୍ର ଶସ୍ତ୍ର ଆପଣମାନଙ୍କୁ ଲାଗିଲା । ସେଗୁଡ଼ିକ ଯେପରି ସତ୍ ଉଦ୍ଦେଶ୍ୟରେ ଖର୍ଚ୍ଚ ହୁଏ । ଯିଏ ଜୀବନ ଦାନ କରିଛି, ତା’ ବଦଳରେ ଆପଣଙ୍କ ବିବେକରେ ଏତିକି କରିବା କ’ଣ ଉଚିତ ନୁହେଁ ? ମଟରଖଣ୍ଡକ ଷ୍ଟେସନରେ ଥୁଆ ହୋଇଥିବ । ମୋ ଜୀବନରେ ଏ ପବିତ୍ର ଉତ୍କଳଭୂମି ଦେଖିବା ସ୍ଵପ୍ନ ପରି । ଆମେ ଏଥର ଚାଲିଲୁ । ସର୍ଦ୍ଦାରଜୀଙ୍କ ଆଖି ଲୁହ ଛଳଛଳ ହୋଇଉଠିଲା ।

 

ସେତେବେଳକୁ ଗଗନବାବୁ ପ୍ରଭୃତିଙ୍କ ଦେହ ଝିମିଝିମି ହୋଇ ଆସୁଥାଏ ।

 

ମାଳତୀ ଓ ଅନ୍ୟ କେତେ ଜଣ ଆସି କହିଲେ—ସର୍ଦ୍ଦାରଜୀ ସବୁ ଠିକ୍ ଠାକ୍ ।

 

ସର୍ଦ୍ଦାରଜୀ ତାଙ୍କର ଡାକ୍ତରୀ ବାକ୍‍ସଟି ଉଠାଇ ନେଉ ନେଉ କହିଲେ—ଦେହ ଝିମିଝିମି ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । ଇଞ୍ଜେକ୍ସନ୍‍ ଦେବାର ଉଦ୍ଦେଶ୍ୟ, ଆପଣମାନଙ୍କର ଚେତା ଏଇ ପନ୍ଦର ମିନିଟ ଭିତରେ ବୁଡ଼ିଯିବ । ପୁନର୍ବାର ଚେତା ଆସିବାକୁ ବାରଘଣ୍ଟା ଡେରି, ବୁଝିଲେ ? ମୋର ଅନୁରୋଧ ଅକ୍ଷରେ ଅକ୍ଷରେ ପାଳନ କରିବେ । ବିଦାୟ !

 

ଗଗନବାବୁଙ୍କୁ ଲାଗୁଥିଲା ସେ ଯେପରି ସ୍ଵପ୍ନ ଦେଖୁଛନ୍ତି । ଅନ୍ୟମାନେ ଅଚେତନ ହୋଇ ସାରିଲେଣି ।

 

ସର୍ଦ୍ଦାରଜୀ ଓରଫ ଡାକ୍ତରବାବୁ ଶେଷଥର ପାଇଁ ଅଶ୍ରୁସଜ୍ଜଳ ନୟନରେ ଚାରିଆଡ଼କୁ ଚାହିଁ ଚାହିଁ ସଦଳବଳେ ମଟରରେ ଆସି ବସିଲେ । ମଟର ଛୁଟି ଚାଲିଲା ଷ୍ଟେସନ ଆଡ଼େ ।

 

କଲିକତା ଆଡ଼କୁ ମାଡ୍ରାସମେଲ ଆସିବାକୁ ଆଉ ପାଞ୍ଚମିନିଟ ଡେରି ।

Image